ବିପଦ ବଢ଼ାଉଛି ବଡ଼ ଡ଼ାକ୍ତରଖାନା; ବିଭିନ୍ନ ସମୟରେ ୧୨ରୁ ଅଧିକ କୋଭିଡ ରୋଗୀ ଚମ୍ପଟ

କଟକ: କଟକ ବଡ଼ଡାକ୍ତରଖାନାରୁ ଗଲା ଦେଢ ବର୍ଷ ଭିତରେ ପ୍ରାୟ ୧୨ରୁ ଅଧିକ କରୋନା ସଂକ୍ରମିତ ଚମ୍ପଟ ମାରିଥିବା କୁହାଯାଉଛି। ୨୦୨୦ରୁ ବର୍ତ୍ତମାନ ସୁଦ୍ଧା ଏତେ ସଂଖ୍ୟାରେ କରୋନା ଆକ୍ରାନ୍ତ ଚମ୍ପଟ ମାରିବା ପଛରେ ଘରୋଇ ସୁରକ୍ଷାକର୍ମୀଙ୍କ ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ଅଭିଯୋଗ ସାମ୍ନାକୁ ଆସିଛି। ଏମାନେ ଯଦି କୋଭିଡ ୱାର୍ଡ ବାହାରେ ୨୪ ଘଣ୍ଟିଆ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛନ୍ତି, ତେବେ କରୋନା ସଂକ୍ରମିତ ୱାର୍ଡ ବାହାରକୁ ଆସିବାରେ ସକ୍ଷମ କିଭଳି ହେଉଛନ୍ତି, ସେ ନେଇ ଏବେ ସନ୍ଦେହ ବଢ଼ିଲାଣି। ସୂଚନା ଅନୁଯାୟୀ, ଆୟରଲ୍ୟାଣ୍ଡର ଜଣେ ଯୁବକ ଭୁବନେଶ୍ୱର ବିମାନବନ୍ଦରରୁ ୨୦୨୦ ମାର୍ଚ୍ଚ ୫ ତାରିଖରେ ପଜିଟିଭ ଚିହ୍ନଟ ହୋଇଥିଲେ। ଚିହ୍ନଟ ପରେ ତାଙ୍କୁ ପ୍ରଥମେ କ୍ୟାପିଟାଲ୍ ହସପିଟାଲ୍ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ବଡ଼ ଡାକ୍ତରଖାନାରୁ ସେ ଫେରାର ହୋଇଯାଇଥିଲେ। ୬ ତାରିଖରେ ଭୁବନେଶ୍ବରର ଏକ ହୋଟେଲରୁ କମିସନରେଟ ପୁଲିସ ତାଙ୍କୁ ଉଦ୍ଧାର କରିଥିଲା। ଏହି ଘଟଣା ବଡ଼ଡାକ୍ତରଖାନାରେ ପ୍ରଥମଥର ଘଟିଥିବା ବେଳେ ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ୨୦୨୦ ଅଗଷ୍ଟ ୧୫ ତାରିଖରେ ଯୋବ୍ରା ଅଞ୍ଚଳର ବାପ-ପୁଅ ବଡ଼ ମେଡିକାଲରେ କରୋନା ପଜିଟିଭ ଚିହ୍ନଟ ପରେ ଆଇସୋଲେସନ୍ ଓ୍ବାର୍ଡକୁ ସ୍ଥାନାନ୍ତର ପୂର୍ବରୁ ଚମ୍ପଟ୍ ମାରିଥିଲେ।

ଅଗଷ୍ଟ ୧୧ ତାରିଖରୁ ୧୮ ତାରିଖ ଭିତରେ ୭ ଜଣ କରୋନା ରୋଗି ଚମ୍ପଟ୍ ମାରିଥିବା କୁହାଯାଉଛି। ୨୦୨୧ ମେ ୧୧ ତାରିଖରେ ବଡ଼ ମେଡିକାଲରୁ ଜଣେ ଯୁବକ ଫେରାର ହୋଇଯାଇଥିଲା। ସେହି ଯୁବକ ଜଣକ କେରଳରୁ ଆସି ପଜିଟିଭ ଚିହ୍ନଟ ହେଇଥିଲେ। ଗଲା ୨୮ ତାରିଖରେ ଜଗତସିଂହପୁରର ୭୧ ବର୍ଷୀୟ ବୃଦ୍ଧ ଅନନ୍ତ ଚରଣ ସାହୁ ଫେରାର ଘଟଣା ପୁଲିସର ଚିନ୍ତା ବଢ଼ାଇ ଦେଇଛି। ଅନନ୍ତଙ୍କୁ ମିଶାଇ ବଡ଼ ଡାକ୍ତରଖାନାରୁ ପ୍ରାୟ ୧୨ ରୁ ଅଧିକ କରୋନା ରୋଗୀ ଚମ୍ପଟ ମାରିବା କୁହାଯାଉଛି। କିନ୍ତୁ ଅନେକ ମାମଲା ଥାନାରେ ଲିଖିତ ଭାବେ ଏତଲା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦିଆଯାଇନଥିବା କୁହାଯାଉଛି। ବଡ଼ଡାକ୍ତରଖାନାର ଦୁଇଟି କୋଭିଡ ୱାର୍ଡର ସୁରକ୍ଷା ଦାୟିତ୍ୱରେ ଏକ ଘରୋଇ ସଂସ୍ଥା ରହିଛି। ଏମାନେ ଉଭୟ ୱାର୍ଡ ମୁଖ୍ୟ ଗେଟରେ ୨୪ ଘଣ୍ଟିଆ ଜଗି ରହୁଥିବା ବେଳେ କରୋନା ରୋଗୀ ବାହାରକୁ ଆସୁଛନ୍ତି କିଭଳି ସେନେଇ ସମ୍ପୃକ୍ତ ସଂସ୍ଥାର କାର୍ଯ୍ୟକଳାପ ଏବେ ସନ୍ଦେହରେ। କରୋନା ୱାର୍ଡରେ ଥରେ ଭର୍ତ୍ତି ହେଉଥିବା ରୋଗୀ କୌଣସି ପରିସ୍ଥିତିରେ ସୁସ୍ଥ ନହେବା ପର୍ଯ୍ୟନ୍ତ ବାହାରକୁ ଆସିପାରିବେ ନାହିଁ।

କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ରୋଗୀ ବାହାରକୁ ଆସି ଫେରାର ହୋଇଯିବା ଭଳି ସମ୍ବେଦନଶୀଳ ପ୍ରସଙ୍ଗ ସାଧାରଣରେ ଉଦବେଗ ପ୍ରକାଶ କରିଛି। ଏହି କରୋନା ରୋଗୀଙ୍କୁ କମିସନରେଟ ପୁଲିସ ଉଦ୍ଧାର କରିବା ପୂର୍ବରୁ ଏମାନେ କେତେ ଯେ ସୁସ୍ଥ ଲୋକଙ୍କୁ ସଂକ୍ରମିତ କରୁଛନ୍ତି, ସେ ନେଇ କଣ୍ଟାକ୍ଟ ଟ୍ରେସିଂ କରିବା ସିଏସମସି ପାଇଁ କଷ୍ଟକର ହେଉଥିବା କୁହାଯାଉଛି। ଗଲାବର୍ଷ ରାଜ୍ୟରେ କ୍ବାରାଣ୍ଟାଇନ ସେଣ୍ଟରରୁ ପ୍ରବାସୀ ଖସିଯାଉଥିବା ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ଡିଜି ସମସ୍ତ ସେଣ୍ଟର ଗୁଡ଼ିକରେ ପୁଲିସ ଫୋର୍ସ ମୁତୟନ ସହିତ ସ୍ଥାନୀୟ ପୁଲିସକୁ ନିୟମିତ ପାଟ୍ରୋଲିଂ ନିର୍ଦେଶ ଦେଇଥିଲେ। କିନ୍ତୁ କୋଭିଡ ହସ୍ପିଟାଲ ପ୍ରତି ପୁଲିସ ବିଭାଗ ଗୁରୁତ୍ୱ ଦେଉନଥିବା ଦେଖିବାକୁ ମିଳୁଛି। ବାରମ୍ବାର ବଡ଼ଡାକ୍ତରଖାନାରୁ ରୋଗୀ ଖସି ଯାଉଥିବାରୁ କମିସନରେଟ ପୁଲିସ ପକ୍ଷରୁ ଫୋର୍ସ ମୁତୟନ କରାଯିବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର