ମହାନଦୀବିହାର: କଟକର ପୂର୍ବାଞ୍ଚଳ ଅପର୍ଣ୍ଣାନଗର, ମହାନଦୀବିହାର, ଗୋପବନ୍ଧୁ ନଗର, ନୀଳାଦ୍ରି ବିହାର ଅଞ୍ଚଳରେ ଜାଇକା ପ୍ରକଳ୍ପରେ ନିୟୋଜିତ ଠିକା ସଂସ୍ଥାର ବେପରୱା କାମ ସମଗ୍ର ଅଞ୍ଚଳକୁ ବିପଦରେ ରଖିଛି। ବର୍ଷ ବର୍ଷ ଧରି କାମ ଚାଲିଥିବା ବେଳେ ଯେଉଁଠି କାମ ସରିଥିବା କୁହାଯାଉଛି, ସେହି ଅଞ୍ଚଳକୁ ବି ଅସୁରକ୍ଷିତ ଢଙ୍ଗରେ ଛାଡି ଦିଆଯାଇଛି। କେଉଁଠି ସତର୍କ ସୂଚନା ନାହିଁ କି ସୁରକ୍ଷା ବ୍ୟବସ୍ଥା ନାହିଁ। ଅପର୍ଣ୍ଣାନଗର ସିଦ୍ଧେଶ୍ୱର ମନ୍ଦିର ଛକରେ ଜାଇକା କାମରେ ଏକ ଗାତ କରି ଏହାକୁ ସମ୍ପୂର୍ଣ ନକରି ବାଲି ପକାଇ ଦିଆଯାଇଥିବା ବେଳେ ବିଭିନ୍ନ ସମୟରେ ଏଠାରେ ଛୋଟ ବଡ଼ ଦୁର୍ଘଟଣା  ଘଟୁଛି। ଏହି ଛକର ଆଗକୁ ଥିବା ତେଲ ମିଲ ଗଳି ସାମନାରେ ପ୍ରାୟ ଏକ ମାସ ହେବ ଜାଇକା କାମ କରୁଥିଲେ ବି ଏହା ସରୁ ନାହିଁ। ଏଠାରେ  କେବେଳ ଏକ ଷ୍ଟପ ବୋର୍ଡ ରଖା ଯାଇଛି। କିନ୍ତୁ ସେଠାରେ ସୁରକ୍ଷାକର୍ମୀ ଜଗିବାର ନିହାତି ଆବଶ୍ୟକତା ଥିଲେ ବି କୌଣସି ବ୍ୟବସ୍ଥା କରାଯାଇ ନାହିଁ।

Advertisment

ମହାନଦୀବିହାରର ସବୁଠୁ ବ୍ୟସ୍ତ ବହୁଳ ଛକ ଜଷ୍ଟିସ ଛକରେ ଡ୍ରେନ କାମ ଚାଲିଥିଲେ ବି ସେଠାରେ ଟ୍ରାଫିକ ବ୍ୟବସ୍ଥା ଦେଖିବାକୁ କୌଣସି ସଂସ୍ଥା ଅଥବା ପୁଲିସ ପକ୍ଷରୁ ବ୍ୟବସ୍ଥା କରାଯାଇ ନାହିଁ।
ଚାଉଳିଆଗଞ୍ଜ ମୁଖ୍ୟ ରାସ୍ତାରେ ଥିବା ଗୋପବନ୍ଧୁ ନଗରର ଗଳି ସମ୍ମୁଖରେ  ଏକ ବଡ଼ ଗାତ ଖୋଳା ଯାଇଥିବା ବେଳେ ଗାତରୁ ବାହାରୁଥିବା ମାଟି ଗୁଡିକୁ ରାସ୍ତା ଉପରେ ଗଦାଇ ରଖାଯାଇଛି। ଫଳରେ  ଗଳି ଭିତରେ ରହୁଥିବା ଲୋକେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସବୁଠାରୁ ଦୟନୀୟ ପରିସ୍ଥିତି ଉପୁଜିଛି ନୀଳାଦ୍ରି ବିହାର ଅଞ୍ଚଳରେ। ଏହି ଗଳିରେ ପ୍ରାୟ ପାଞ୍ଚ ବର୍ଷ ହେବ ଜାଇକା କାମ ଚାଲୁଥିବା ବେଳେ ଏହା ଶେଷ ହେବାର ନାଁ ଧରୁ ନାହିଁ। ନୀଳାଦ୍ରି ବିହାର ଗଳି ମୁହଁରେ ବିପଦ ସଂକୁଳ ଅବସ୍ଥାରେ ଏକ ବିରାଟ ଗାତ ଖୋଳା ଯାଇଥିବା ବେଳେ ବଡ଼ ବଡ଼ ଲୁହା ଖଣ୍ଡ ଓ ପାଇପକୁ ରାସ୍ତା ଉପରେ ଗଦାଇ ରଖା ଯାଇଛି। କିନ୍ତୁ କୌଣସି ଠାରେ ସୁରକ୍ଷା ବ୍ୟବସ୍ଥା କି ସୂଚନା ନରହିବା ଘଟଣା ବିପଦର କାରଣ ହୋଇଛି।