ଜୀବନ ନେଉଛି ପାପ ସମ୍ପର୍କ, ବର୍ଷକୁ ମରୁଛନ୍ତି ହାରାହାରି ଜଣେ ପ୍ରେମିକ

କଟକ: କଟକ କମିସନରେଟ୍ ପୁଲିସରେ ୨୦୧୬ରୁ ୨୦୨୨ ଭିତରେ ୬ଟି ବିଭତ୍ସ ହତ୍ୟାକାଣ୍ଡ କେବଳ ପାପ ସମ୍ପର୍କକୁ ନେଇ ଘଟିଲାଣି। ବିବାହିତ ମହିଳାଙ୍କ ସହିତ ସମ୍ପର୍କ ରଖିବା କାରଣରୁ ଯୁବକଙ୍କୁ ମହିଳାଙ୍କ ପରିବାର ସଦସ୍ୟ, ସମ୍ପର୍କୀୟ ହତ୍ୟା କରିଛନ୍ତି। ଆଜି ବିହାରୀ ମିସ୍ତ୍ରି ଆଜାଦ କୁମାର ଯାଦବ ହତ୍ୟାକାଣ୍ଡକୁ ମିଶାଇଲେ ବର୍ତ୍ତମାନ ସୁଦ୍ଧା ୬ଟି ସମାନ ଧରଣର ବୀଭତ୍ସ ହତ୍ୟାକାଣ୍ଡ କଟକ ସହରରେ ଘଟିଗଲାଣି। ଏଭଳି ଘଟଣା ଯେତିକି ଚର୍ଚ୍ଚିତ ସେତିକି ସମ୍ବେଦନଶୀଳ।

ବ୍ରଜବିହାରୀପୁର ହତ୍ୟାକାଣ୍ଡ
୨୦୧୬ ନଭେମ୍ବର ୨୩। ସିଡିଏ ବ୍ରଜବିହାରୀପୁର ନିକଟସ୍ଥ କାଠଯୋଡ଼ି ନଦୀ ପଠାରେ ବିଳମ୍ବିତ ରାତିରେ ଜଣେ ମହିଳାଙ୍କ ମୁଣ୍ଡ କାଟି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଦୁର୍ବୃତ୍ତମାନ ବେଲ୍‌ଚା କିମ୍ବା କୌଣସି ଧାରୁଆ ଅସ୍ତ୍ରରେ ମହିଳାଙ୍କ ବକ୍ଷ ସମେତ ମୁଣ୍ଡ କାଟି ନେଇଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପାରିପାର୍ଶ୍ବିକ ସ୍ଥିତିରୁ ପରକୀୟା ପ୍ରୀତିକୁ କେନ୍ଦ୍ର କରି ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ପରିଚୟ ମିଳିଲା ନାହିଁ।

ଦୁର୍ଦ୍ଦାନ୍ତ ଧପୁକୁ ମାରିଦେଲେ
୨୦୧୭ ଅକ୍ଟୋବର ୮ ତାରିଖ। ମଧୁପାଟଣା ମଙ୍ଗଳାସାହିରେ ପୁରୀଘାଟ ବାମ୍ଫିସାହିର ଦୁର୍ଦ୍ଦାନ୍ତ ଅପରାଧୀ ଧପୁ ଓରଫ ବସନ୍ତ ଦୋରାକୁ ବିଭତ୍ସ ହତ୍ୟା କରାଯାଇଥିଲା। ମଙ୍ଗଳାସାହିରେ ସୁବାସ ପାତ୍ର ନାମକ ଜଣେ ଯୁବକ ସହିତ ପୂର୍ବ ସମ୍ପର୍କ ଥିବାରୁ ତାଙ୍କ ଘରକୁ ନିୟମିତ ଯିବାଆସିବା କରୁଥିଲା ଧପୁ। ସୁବାସଙ୍କ ପତ୍ନୀଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିଲା। ୨୦୧୬ରେ ସୁବାସଙ୍କ ପତ୍ନୀଙ୍କୁ ଅପହରଣ କରିବା ପରେ ପୁଲିସ ଉଦ୍ଧାର କରିଥିଲା। ସେବେଠୁ ଧପୁ ଓ ସୁବାସଙ୍କ ଭିତରେ ସମ୍ପର୍କ ଅଧିକ ତିକ୍ତ ହୋଇଥିଲା। ଅକ୍ଟୋବର ୮ ତାରିଖରେ ସୁବାସ ଘରକୁ ଧପୁ ଆସିଥିବା ବେଳେ ସୁବାସର ପରିବାର ଲୋକ ତାକୁ ଘେରି ଲୁହା ରଡ଼ରେ ପିଟିପିଟି ହତ୍ୟା କରିଥିଲେ। ପୁଲିସ ସୁବାସ, ତାଙ୍କ ମା ବାସନ୍ତୀ ଓ ପତ୍ନୀ ପଦ୍ମିନୀଙ୍କୁ ୮ ତାରିଖରେ ଗିରଫ କରିଥିବା ବେଳେ ୨୦୧୮ ଏପ୍ରିଲ ୩୦ ତାରିଖରେ ଭାଇ ସନ୍ତୋଷକୁ ଜଗତସିଂହପୁର ଜିଲ୍ଲାରୁ ଗିରଫ କରିଥିଲା।

ବାହାଘର ପୂର୍ବରୁ ନିର୍ଝର ଚାଲିଗଲା
ଚୌଦ୍ୱାର କପାଳେଶ୍ୱର ଅଞ୍ଚଳର ନିର୍ଝର ବେହେରା ଓରଫ ଲିଟିଲ୍‌ ୨୦୧୮ ଜାନୁଆରି ୧୦ ତାରିଖରେ ବିବାହ ହେବାର ଥିଲା। କିନ୍ତୁ ଜାନୁଆରି ୭ ତାରିଖ ରାତିରେ ନିର୍ଝରଙ୍କୁ ବିରୂପା ବ୍ୟାରେଜ୍‌ ନିକଟରେ ହତ୍ୟା କରାଯାଇଥିଲା। ୨୦୧୭ ମେ ୨୭ ତାରିଖରେ ନିର୍ଝରଙ୍କ ସହିତ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ନିର୍ବନ୍ଧ ହୋଇଥିଲା। ନିର୍ଝର ବିବାହ କରିବାକୁ ସ୍ଥିର ହୋଇଥିବା ଯୁବତୀ ତାଙ୍କ ସମ୍ପର୍କୀୟ ଭିଣୋଇ ସମ୍ବିତ କୁମାର ସେନାପତିଙ୍କ ସହିତ ଏକ ପ୍ରକାର ପ୍ରେମ ସମ୍ପର୍କ ଥିଲା। ଏହି ନିର୍ବନ୍ଧକୁ ଦେଖି ଇର୍ଷାରେ ଜଳିଥିଲା ସମ୍ବିତ। ନିର୍ଝରଙ୍କୁ ରାସ୍ତାରୁ ହଟାଇବାକୁ ଷଡ଼ଯନ୍ତ୍ର ଅାରମ୍ଭ ହୋଇଥିଲା। ୨୦୧୮ ଜାନୁଅାରି ୭ ତାରିଖରେ ନିର୍ଝରଙ୍କୁ ସମ୍ବିତ ହତ୍ୟା କରିଥିଲା। ଜାନୁଆରି ୧୯ ତାରିଖରେ ସମ୍ବିତକୁ ଜଗତପୁର ଥାନା ପୁଲିସ ଗିରଫ ହୋଇଥିଲା।

ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟ ସୁପରଭାଇଜରଙ୍କୁ ହତ୍ୟା
୨୦୧୮ ନଭେମ୍ବର ୨୫। ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟର ହଷ୍ଟେଲ ସୁପରଭାଇଜର ସୁନିଲ ରଞ୍ଜନ ସାହୁଙ୍କୁ ହତ୍ୟା କରାଯାଇଥିଲା। ସୁନିଲ ଢେଙ୍କାନାଳରେ ଏକ ଘରୋଇ କଲେଜରେ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ଜଣେ ମହିଳା ଅଧ୍ୟାପିକାଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ସୁନିଲ ଚାକିରି ଛାଡ଼ି କଟକ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଯୋଗ ଦେବା ପରେ ବି ମହିଳାଙ୍କ ଯୋଗାଯୋଗରେ ଥିଲେ। ମହିଳା ଜଣକ ନିଜ ବନ୍ଧୁ ନିରଞ୍ଜନ ବେହେରାଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ନିରଞ୍ଜନ ପ୍ରତିଶୋଧ ପରାୟଣ ହୋଇ ନଭେମ୍ବର ୨୫ ତାରିଖରେ ନେତାଲ ବଜାର ନିକଟରେ ଗୁଳି ଫୁଟାଇ ସୁନିଲଙ୍କୁ ହତ୍ୟା କରିଥିଲା। ଡିସେମ୍ବର ୨ ତାରିଖରେ ବାରଙ୍ଗ ଥାନା ପୁଲିସ ଗିରଫ କରିଥିଲା।

ପ୍ରେମିକ ମଲା, ପତ୍ନୀ ବଞ୍ଚିଗଲା
୨୦୨୧ ଜୁନ ୧୯ ତାରିଖ। ପରକୀୟା ପ୍ରୀତିକୁ କେନ୍ଦ୍ର କରି କଲେଜ ଛକରେ ଜଣେ ବିବାହିତ ମହିଳା ଓ ତାଙ୍କ ପ୍ରେମିକ କୁହାଯାଉଥିବା ସନାତନ ଦାସଙ୍କୁ ଗୋଡ଼ାଇ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ସନାତନଙ୍କ ମୃତ୍ୟୁ ହୋଇଥିଲା। ସିଡିଏ ସେକ୍ଟର ୧୩ରେ ରହୁଥିବା କାଳନ୍ଦୀ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗିରହିଥିଲା। ପତ୍ନୀ ଘରୁ ଚାଲିଆସି କଲେଜ ଛକରେ ସନାତନଙ୍କ ସହିତ ଏକାଠି ରହୁଥିଲେ। କଲେଜ ଛକ ଅଞ୍ଚଳରେ ଜୁନ ୧୯ ତାରିଖ ରାତିରେ ଶୋଇଥିବା ବେଳେ କାଳନ୍ଦୀ ମାରାଣସ୍ତ୍ରରେ ଉଭୟଙ୍କୁ ଆକ୍ରମଣ କରିଥିଲା। ମାଲଗୋଦାମ ଥାନା ପୁଲିସ ୨୦ ତାରିଖରେ କାଳନ୍ଦୀକୁ ଗିରଫ କରିଥିବା ବେଳେ ହତ୍ୟାରେ ସହଯୋଗୀ ଥିବା ଅଭିଯୋଗରେ ସେପ୍ଟେମ୍ବର ୩୦ ତାରିଖରେ ସଢ଼ୁ କେନ୍ଦୁଝରର ରାଜୁ ଗିରିକୁ ପୁଲିସ ଗିରଫ କରିଥିଲା।

ଯୁବ ବିହାରୀ ମିସ୍ତ୍ରିଙ୍କୁ ବୀଭତ୍ସ ହତ୍ୟା

୨୦୨୨ ଫେବ୍ରୁଆରି ୨୫। ବିହାର ଭାଗଲପୁରର ବିହାରୀ ସିଲିଂ ମିସ୍ତ୍ରୀ ଆଜାଦ୍ କୁମାର ଯାଦବ ଭୁବନେଶ୍ବରରେ ରୁହନ୍ତି। କଟକ ଚାଉଳିଆଗଞ୍ଜରେ ରହୁଥିବା ଭାଗଲପୁରର ଜଣେ ଠିକାଦାର ମୁନିଲାଲ ଶର୍ମାଙ୍କ ସମ୍ପର୍କୀୟ ପତ୍ନୀଙ୍କ ସହିତ ଅନୈତିକ ପ୍ରେମ ସମ୍ପର୍କ ରଖିଥିବା କୁହାଯାଉଛି। ଏହି ସମ୍ପର୍କକୁ ନେଇ ଦୁଇ ପରିବାର ଭିତରେ ବାରମ୍ବାର ବିବାଦ ଲାଗି ରହିଥିଲା। ଗଲା ଫେବ୍ରୁଆରି ୨୫ ତାରିଖରେ ୨୦ ହଜାର ଫୁଟର ଛାତ ସିଲିଂ କରିବା ଆଳରେ ମୁନିଲାଲ ଭୁବନେଶ୍ବରରୁ ଯାଦବକୁ କଟକ ଡାକିଥିଲା। ସେବେଠାରୁ ଯାଦବ ନିଖୋଜ ଥିବା ବେଳେ ଆଜି ବିଡାନାସୀ ଗଜିଆ ପଠା ନିକଟରୁ ଯାଦବର ଖଣ୍ଡ ବିଖଣ୍ଡିତ ଶବ ବିଡାନାସୀ ଥାନା ପୁଲିସ ଉଦ୍ଧାର କରିଛି।

ସମ୍ବନ୍ଧିତ ଖବର