ଜଣଙ୍କ ୟୁଡିଆର୍‌ ନମ୍ବରରେ ଅନ୍ୟଜଣଙ୍କୁ ମିଳୁଛି ପ୍ରମାଣପତ୍ର, ଏସ୍‌ସିବି କର୍ମଚାରୀଙ୍କ ଅବ‌ହେଳା ଯୋଗୁଁ କରୋନା ମୃତକଙ୍କୁ ମିଳୁନି ମୃତ୍ୟୁ ପ୍ରମାଣପତ୍ର

କଟକ: ଏସ୍‌ସିବି କର୍ମଚାରୀଙ୍କ ଅବହେଳା ଯୋଗୁଁ କରୋନାରେ ମୃତ୍ୟୁବରଣ କରିବାର ଦୁଇ ମାସ ପରେ ବି ମିଳି ପାରୁନି ମୃତ୍ୟୁର ପ୍ରମାଣପତ୍ର। ମୃତକଙ୍କ ଭାଇଙ୍କ ମୋବାଇଲ୍‌ ନମ୍ବରରେ ପଞ୍ଜୀକରଣ କରାଯାଇଥିବା ୟୁଡିଆର ନମ୍ବରଟିକୁ ଅନ୍ୟ ଜଣେ ମୃତକଙ୍କ ନାମରେ ଚଢାଇ ଦେଇଛନ୍ତି କର୍ମଚାରୀ। ଏପରି ପରିସ୍ଥିତିରେ ଜଗତସିଂହପୁର ବାଲିତୁଠ ଗ୍ରାମ (ବାଣପଟା)ର ବିକାଶ କୁମାର ସ୍ବାଇଁ(୨୬)ଙ୍କ କରୋନାରେ ଗତ ଜୁନ୍‌ ୧୬ରେ ମୃତ୍ୟୁ ହୋଇ ଥିଲେ ବି ପରିବାର ଲୋକଙ୍କୁ ମୃତ୍ୟୁ ପ୍ରମାଣପତ୍ର ଏଯାଏ ମିଳି ପାରିଲା ନାହିଁ। ଏନେଇ ସମାଜସେବୀ ମାନସ ରଂଜନ କର ଏସ୍‌ସିବି ସୁପରଟେ‌େଣ୍ଡଣ୍ଟ, ସିଏମ୍‌ସି କମିସନରଙ୍କୁ ମେଲ୍‌ କରିବା ସହିତ ଟୁଇଟ୍‌ କରିଛନ୍ତି। ସ୍ବର୍ଗତ ବିକାଶ କୋଭିଡ୍‌ରେ ଆକ୍ରାନ୍ତ ହୋଇ ଗତ ଜୁନ୍‌ ୧୧ରେ ଏସ୍‌ସିବିକୁ ଚିକିତ୍ସା ପାଇଁ ଆସିଥିଲେ। ୧୪ ତାରିଖରେ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସିତ ଅବସ୍ଥାରେ ୧୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ସତୀଚୌରା ଶ୍ମଶାନରେ କୋଭିଡ୍‌ ଗାଇଡ୍‌ ଲାଇନ୍‌ରେ ତାଙ୍କ ଶେଷକୃତ୍ୟ କରାଗଲା।

ସ୍ବର୍ଗତ ସ୍ବାଇଁଙ୍କ ବଡ଼ଭାଇ ସନ୍ତୋଷଙ୍କୁ ଏସ୍‌ସିବି ପକ୍ଷରୁ ପଞ୍ଜୀକରଣ ନମ୍ବର‌ ୬୭୧୬/୧୧-୦୬-୨୦୨୧ରେ କରୋନାରେ ମୃତ କାଗଜ ଧରାଇ ଦିଆଗଲା। ସନ୍ତୋଷ ଏହାକୁ ନେଇ ସମସ୍ତ ଆବଶ୍ୟକ କାଗଜପତ୍ର କାମ ଶେଷ କରିଲେ। ପରେ ସନ୍ତୋଷଙ୍କ ମୋବାଇଲକୁ ‘ୟୁନିକ୍‌ ଡେଥ୍‌ ରେଜି‌େଷ୍ଟ୍ରସନ୍ ନମ୍ବର’(ୟୁଡିଆରଏନ୍‌)୨୧ୟୁଡି୩୫୦-୦୦୦୨-୦୧୧୭୪୪/୨୦୨୧ରେ ଏକ ମେସେଜ୍‌ ଆସିଥିଲା। ମାତ୍ର କିଛି ଦିନପରେ ଉକ୍ତ ୟୁଡିଆରଏନ୍‌ ନମ୍ବରରେ ଇନ୍ଦୁ ବେହେରାଙ୍କ ନାମରେ ମୃତ ପ୍ରମାଣପତ୍ର ବାହାରି ଥିବାର ସ‌ନ୍ତୋଷ ଜାଣିବାକୁ ପାଇଥିଲେ। ପରିବାର ସଦସ୍ୟ ସିଏମ୍‌ସିକୁ ଆସି ଏ ବିଷୟରେ ପଚାରିବାରୁ ସେହି ନମ୍ବରରେ ସ୍ବର୍ଗତ ଇନ୍ଦୁଙ୍କ ନାମରେ କାଗଜ ଆସିଥିବାର ସୂଚନା ପାଇଥିଲେ। ପରେ ଏସ୍‌ସିବିର କମ୍ପ୍ୟୁଟରରେ ବିକାଶଙ୍କ ନାମରେ କୌଣସି କାଗଜପତ୍ର ନଥିବା ଜାଣିବାକୁ ପାଇଲେ। ପୁଅର ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ପରିବାର ସଦସ୍ୟ ଏବେ ମୃତ୍ୟୁ ପ୍ରମାଣପତ୍ର ପାଇଁ ଏସ୍‌ସିବି ଓ ସିଏମ୍‌ସିକୁ ଦୌଡ଼ିଦୌଡ଼ି ନୟାନ୍ତ ହେଲେଣି। କର୍ମଚାରୀଙ୍କ ଏପରି ଖାମଖିଆଲ କାମ ପାଇଁ ପରିବାର ସଦସ୍ୟ ସମସ୍ୟାରେ ପଡ଼ିଥିବା ବେଳେ କର୍ତ୍ତୃପକ୍ଷ ଏହାର ସମାଧାନର ବାଟ ବାହାର କରିବାକୁ ମାନସ କର ଦାବି କରିଛନ୍ତି।

ସମ୍ବନ୍ଧିତ ଖବର