କଟକ: ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ୨୦୧୬ରୁ କଟକରେ ମାଞ୍ଜା ସୂତା ବିକ୍ରି ଓ କାରବାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇଥିଲେ ଜିଲ୍ଲାପାଳ। ଏଥିପାଇଁ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ କଲା। ଥାନା ପୁଲିସକୁ ବି ଚଢ଼ଉ ନିର୍ଦ୍ଦେଶ ବି ଦିଆଯାଇଥିଲା। ଏତେସବୁ କଟକଣା ପରେ ବି ଆଜି ଜଗତପୁରରେ ମାଞ୍ଜାସୂତା ଲାଗି ପୁଣି ଜଣେ ବାଇକ୍ ଚାଳକ ଜୟନ୍ତ ସାମଲଙ୍କ ମୃତ୍ୟୁ ହେଲା କେମିତି? ଏଥିରୁ ଗୋଟିଏ କଥା ଏବେ ସାମ୍ନାକୁ ଆସୁଛି। ତାହା ହେଲା, ହାଇକୋର୍ଟଙ୍କ ନିର୍ଦ୍ଦେଶନାମାକୁ ଉଭୟ ଜିଲ୍ଲା ପ୍ରଶାସନ ଓ ପୁଲିସ ହାଲୁକା ନେଇ ନିଷ୍କ୍ରିୟ ହୋଇଯାଇଛନ୍ତି। ନଚେତ୍ ବ୍ୟବସାୟୀ ଖୋଲାଖୋଲି ମାଞ୍ଜା ସୂତା ବିକ୍ରି କରୁଛନ୍ତି କେମିତି? ବିଗତ ୬ ବର୍ଷ ଭିତରେ କଟକରେ ୫ ଜଣଙ୍କ ମାଞ୍ଜା ସୂତା ଲାଗି ଗୁରୁତର ଆହତ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି। କେବଳ ଜଗତପୁରରେ ୫ଟି ଘଟଣା ଘଟିଛି। ମାଞ୍ଜା ସୂତା କେତେ ଯେ ମାରାତ୍ମକ ତାହା ଏହି ତଥ୍ୟ ହିଁ ସୂଚାଉଛି। ୨୦୧୬ ଜାନୁଆରି ୧୮ ତାରିଖରେ ତେଲେଙ୍ଗାପେଣ୍ଠ ନିକଟ ନୂଆଗଡ଼ ଅଞ୍ଚଳରେ ୬ ବର୍ଷୀୟା ନାବାଳିକାଙ୍କ ମାଞ୍ଜା ସୂତା ଲାଗି ମୃତ୍ୟୁ ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜାନୁଆରି ୨୦ ତାରିଖରେ ମାଞ୍ଜା ସୂତାକୁ କଟକ ଜିଲ୍ଲା ପ୍ରଶାସନ ନିଷେଧ କରିଥିଲା। ତତ୍କାଳୀନ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଏକ ବୈଠକରେ ଏହି ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଏକ ସ୍ବତନ୍ତ୍ର ସ୍କ୍ବାଡ ଉପ-ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠନ କରି ସହରରେ ଚଢ଼ଉ କରିବାକୁ ବି ନିଷ୍ପତ୍ତି ହୋଇଥିଲା।
ସ୍କୁଲ ଓ କଲେଜର ଶିକ୍ଷକଙ୍କ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସଚେନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ରାସ୍ତା, ଜନଗହଳିପୂର୍ଣ୍ଣ ଅଞ୍ଚଳ କିମ୍ବା ଛାତ ଉପରେ ଗୁଡ଼ି ନଉଡ଼ାଇବାକୁ ଛାତ୍ରଛାତ୍ରୀଙ୍କୁ ସଚେତନ କରିବାକୁ ଏଥିରେ କୁହାଯାଇଥିଲା। ସେହି ବର୍ଷ ନଭେମ୍ବର ୮ ତାରିଖରେ ଅଦାଲତ ମାଞ୍ଜା ସୂତା ବିକ୍ରି ଓ ବ୍ୟବହାର ଉପରେ କଡ଼ା ନଜର ରଖିବାକୁ କମିସନରେଟ୍ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ଥାନା ପୁଲିସକୁ ଏଥିପ୍ରତି କଡ଼ା ନଜର ରଖିବାକୁ କୁହାଯାଇଥିଲା। କଟକ ସହରରେ ମାଞ୍ଜା ସୂତା ବିକ୍ରି, କିଣିବା ଓ ଗଚ୍ଛିତ ରଖିବା ଉପରେ ନିଷେଧାଦେଶ ଜାରି କରିଥିଲା।
ଏମିତିକି ଯେଉଁ ଗୁଡ଼ି ବ୍ୟବସାୟୀଙ୍କୁ କମିସନରେଟ୍ ପୁଲିସ ପକ୍ଷରୁ ଲାଇସେନ୍ସ ପ୍ରଦାନ କରାଯାଇଛି, ସେମାନେ ମାଞ୍ଜା ସୂତା ବିକ୍ରି କରିପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏତେସବୁ କଟକଣା ଜିଲ୍ଲା ପ୍ରଶାସନ ଓ କମିସନରେଟ୍ ପୁଲିସ କରିଥିବା ବେଳେ ମାଞ୍ଜା ସୂତା କଟକ ସହରରେ ଆସୁଛି କେଉଁଠୁ? ବିକ୍ରି କରୁଛି କିଏ? ସ୍କାଡ୍ ଗଠନ, ଚଢ଼ଉ ପାଇଁ କେବଳ ନିର୍ଦ୍ଦେଶନାମା ଜାରି ଚୁପ୍ ବସିପଡ଼ିଲେ କଣ ମାଞ୍ଜାସୂତା ବିକ୍ରି ବନ୍ଦ ହେଇଯିବ କି? ୬ ବର୍ଷ ଭିତରେ କଟକରେ ମାଞ୍ଜାସୂତା ଲାଗି ୪ ଜଣଙ୍କ ଅମୂଲ୍ୟ ଜୀବନ ଯିବା ପାଇଁ ଉତ୍ତରଦାୟୀ କିଏ ହେବ? ୨୦୧୭ ଜାନୁଆରି ୧୪ ତାରିଖରେ ପୁରୀଘାଟ ଥାନା ପୁଲିସ ସ୍ଥାନୀୟ ଅଞ୍ଚଳରୁ ୨୦ କେଜି ଓଜନର ମାଞ୍ଜାସୂତା ଜବତ କରିଥିଲା। ସେ ସମୟରେ ବ୍ୟବସାୟୀମାନେ ଭୟଭୀତ ହୋଇ ସୂତା କାରବାର ବନ୍ଦ କରିଦେଇଥିଲେ। ଝୋଲାସାହି, ନନ୍ଦୀସାହି, ଚୌଧୁରୀବଜାର, ପୀଠାପୁର ଅଞ୍ଚଳରୁ ମାଞ୍ଜାସୂତା ପୁରା ସହରକୁ ଚାଲାଣ ହେଉଥିବା କୁହାଯାଉଥିବା ବେଳେ ପୁଲିସ ସେବେଠୁ ସେଭଳି ଆଖିଦୃଶିଆ ଚଢ଼ଉ କରି ନଥିବା କୁହାଯାଉଛି। ଆସନ୍ତା ଜାନୁଆରି ୧୪ ତାରିଖରେ ମକର ସଂକ୍ରାନ୍ତି ପଡ଼ୁଥିବାରୁ ଏହା ପୂର୍ବରୁ ପରମ୍ପରା ଅନୁଯାୟୀ ଗୁଡ଼ି ଉଡ଼ା କଟକ ସହରରେ ଆରମ୍ଭ ହୋଇଯାଇଛି। ଉଭୟ ପୁଲିସ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ମାଞ୍ଜାସୂତା ବିକ୍ରି ହେଉଥିବା ନିର୍ଦ୍ଦିଷ୍ଟ ଗୁଡ଼ି ଦୋକାନରେ ଚଢ଼ଉ କରି ବ୍ୟବସାୟୀଙ୍କ ଭିତରେ ଭୟ ସୃଷ୍ଟି ନକଲେ କଟକ ସହରରେ ଜୟନ୍ତଙ୍କ ଭଳି ବାଇକ୍ ଚାଳକମାନେ ବିପଦରେ ପଡ଼ିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ।