ପାର୍ବଣ ପୂର୍ବରୁ ସକ୍ରିୟ ହେଲେଣି ଲୁଟେରା ଦଳ, ସାହିବଗଞ୍ଜରୁ ତେଲେଙ୍ଗାନା ଯାଏ ନେଟଓ୍ବାର୍କ, ଟାର୍ଗେଟ୍‌ରେ ଦୁର୍ଗାପୂଜା, କାଳୀପୂଜା

କଟକ: ପାର୍ବଣ ଋତୁ ଆରମ୍ଭ ପୂର୍ବରୁ କଟକ ସହରକୁ ପଶିଆସିଲେଣି ଲୁଟେରା ଦଳ। ଝାରଖଣ୍ତର ସାହିବଗଞ୍ଜ, ବିହାରର ବେଗୁସରାଇ, ଟାଟା, ପଶ୍ଚିମବଙ୍ଗର ମେଦିନିପୁର, ପୁରୁଲିିଆ, ମୁର୍ସିଦାବାଦ, ମଧ୍ୟପ୍ରଦେଶର ଇନ୍ଦୋର, ଆନ୍ଧ୍ର, ତେଲେଙ୍ଗାନାରୁ ଲୁଟେରା ଦଳ କଟକ ପଶିଆସିଛନ୍ତି। ଓଡ଼ିଶାର ଯାଜପୁର ଏବ˚ ଗଞ୍ଜାମ ବି ରହିଛି। ଏମାନେ ପ୍ରାୟତଃ ଭୁବନେଶ୍ବର ୟୁନିଟ୍‌-୧ ଓ ରେଳ ଷ୍ଟେସନରେ ଆଡ୍ଡା ଜମାଇଛନ୍ତି। ଏବେ କଟକର ପରିବା ମାର୍କେଟ୍‌ ଓ ମାଛ ମାର୍କେଟକୁ ଟାର୍ଗେଟ୍‌ କରୁଥିବା ବେଳେ ଆଉ ଏକ ମାସ ପରେ କଟକରେ ଦୁର୍ଗାପୂଜା ଓ କାଳୀପୂଜା ହେବାକୁ ଯାଉଥିବାରୁ ଭିଡ଼ର ସୁଯୋଗ ନେଇ ଲୁଟ୍‌ କରିବାକୁ ଯୋଜନା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ପୁରୀଘାଟ ଓ ବାଦାମବାଡ଼ି ଥାନା ପୁଲିସ ହାତରେ ୫ ଜଣ ଲୁଟେରା ଗିରଫ ହୋଇସାରିଥିବାରୁ ସବୁ ଥାନାକୁ ଭିଡ଼ ଅଞ୍ଚଳରେ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, କଟକରେ ପାର୍ବଣ ସମୟରେ ବଞ୍ଜାରା ଗୋଷ୍ଠୀ ଭିକ୍ଷାବୃତ୍ତି ଆଳରେ ପାର୍ବଣ ପୂର୍ବରୁ ଜଗତପୁର ଗୋଲେଇ ଛକ, କେନ୍ଦ୍ରାପଡ଼ା ରେଳ ଷ୍ଟେସନ, କଟକ ରେଳଷ୍ଟେସନ୍‌ ଓ ମାଲଗୋଦାମ ଅଞ୍ଚଳରେ ଆଡ୍ଡା ଜମାଇ ରହିଥାନ୍ତି। କିନ୍ତୁ ଚଳିତ ବର୍ଷ କଟକ ସହରରେ ବଞ୍ଜାରାଙ୍କଠୁ ଅଧିକ ପ୍ରଭାବ ସାହେବଗଞ୍ଜ, ବେଗୁସରାଇ ଅଞ୍ଚଳର ଲୁଟେରାଙ୍କୁ ଦେଖିବାକୁ ମିଳୁଛି। ବଞ୍ଜାରା ଗୋଷ୍ଠୀ ସବୁଥର କଟକ ସହରରେ ପାର୍ବଣ ସମୟରେ ଉତ୍ପାତ କରୁଥିବା ବେଳେ ଏଥର ଝାଡ଼ଖଣ୍ତ ଗୋଷ୍ଠୀ ପଶିଆସିଛନ୍ତି। ଝାରଖଣ୍ତ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ପଟୁ ନାବାଳକ ଅପରାଧୀ କଟକରେ ଉତ୍ପାତ ଆରମ୍ଭ କରିଦେଇଛନ୍ତି। ବାଦାମବାଡ଼ି ଥାନା ପୁଲିସ ତେଲେଙ୍ଗାନା ଓ ଗଞ୍ଜାମ ପଟୁ ୪ ଜଣ ଦୁର୍ବୃତ୍ତଙ୍କୁ ଛତ୍ରବଜାରରୁ ଗଲା ଦୁଇ ମାସ ଭିତରେ ଗିରଫ କରିଥିବା ବେଳେ ପୁରୀଘାଟ ଥାନା ପୁଲିସ ସେମିନାରୀ ଛକ ମାର୍କେଟରୁ ଜଣେ ସାହେବଗଞ୍ଜର ନାବାଳକକୁ ଗିରଫ କରିଛି। ପୁରୀଘାଟ ଥାନା ପୁଲିସ ଏହି ନାବାଳକକୁ ଗୁରୁବାର ପଚରାଉଚରା କରିବା ପରେ ପୁଲିସକୁ ଅପରାଧୀକ କାର୍ଯ୍ୟକଳାପ ସମ୍ପର୍କିତ ଚାଞ୍ଚଲ୍ୟକର ତଥ୍ୟ ଦେଇଛି।

ଏହି ଗ୍ରୁପ ସେମିନାରୀ ଛକ, ଛତ୍ରବଜାର, କୃଷକବଜାର ଇତ୍ୟାଦି ଅଞ୍ଚଳକୁ ପରିବା ବ୍ୟାଗ୍‌ ଧରି ଯାଉଛନ୍ତି। ଯେଭଳି ତାଙ୍କୁ କେହି ସନ୍ଦେହ କରିବେ ନାହିଁ, ପରିବା ଓ ଆଇଁଷ କିଣିବା ବାହାନାରେ ଏହି ଗ୍ରୁପ୍‌ ମୋବାଇଲ୍‌ ଫୋନ୍‌ ଓ ପର୍ସକୁ ଝାମ୍ପିନେଉଛନ୍ତି। ମଦ ଦୋକାନ ବାହାରେ ବି ସନ୍ଧ୍ୟା ସମୟରେ ଏମାନଙ୍କ ଉତ୍ପାତ କରୁଛନ୍ତି। ଏମାନଙ୍କ ଭିତରେ ୧୩ରୁ ୧୫ ବର୍ଷର ନାବାଳକ ଏବ˚ ୨୦ରୁ ୩୦ ବର୍ଷ ଯୁବକ ରହିଛନ୍ତି। ଭୁବନେଶ୍ବରରେ ଏମାନଙ୍କ ଗ୍ରୁପ୍‌ ରହୁଥିବା ବେଳେ ଟ୍ରେନ ଓ ବସ୍‌ ଯୋଗେ କଟକ ଆସୁଥିବା କୁହାଯାଉଛି। ଛତ୍ରବଜାରରୁ ଏହି ଗୋଷ୍ଠୀ ସିରିଜ୍‌ ଲୁଟ୍‌ କରିବା ପରେ ବାଦାମବାଡ଼ି ଥାନା ପୁଲିସ ନିୟମିତ ସ୍ବତନ୍ତ୍ର ପୁଲିସ ଫୋର୍ସ ମୁତୟନ ଆରମ୍ଭ କରିଦେଇଛି। ପୁରୀଘାଟ ଥାନା ପୁଲିସ ସାହେବଗଞ୍ଜର ନାବାଳକ ଲୁଟେରାକୁ କାବୁ କରିବା ପରେ ସବୁ ଥାନା ପୁଲିସ ରାଜ୍ୟ ବାହାରର ଲୁଟେରାଙ୍କୁ ନେଇ ସତର୍କ ହୋଇଯାଇଛନ୍ତି। ନିଜ ଥାନା ଅଞ୍ଚଳରେ ଥିବା ପରିବା ମାର୍କେଟ୍‌, ମାଛ ମାର୍କେଟ, ମଦ ଦୋକାନ ଆଖପାଖ ଅଞ୍ଚଳରେ ସାଦା ପୋଷାକରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। କଟକରୁ ଚୋରି ହେଉଥିବା ମୋବାଇଲରେ ପୁରୁଣା ମୋବାଇଲରୁ ପାଟସ୍‌ ବିକ୍ରି ହେଉଥିବା ବେଳେ ନୂଆ ମୋବାଇଲ୍‌ ଗୋଟା ୫ରୁ ୮ ହଜାର ଟଙ୍କାରେ ବିକ୍ରି କରାଯାଉଛି। ପୂର୍ବବର୍ଷ ପାର୍ବଣରେ ଲକଡାଉନ୍‌ କଟକଣା ଥିବାରୁ ବଜାରରେ ଭିଡ଼ ଦେଖିବାକୁ ମିଳିନଥିଲା। କିନ୍ତୁ ଏଥର ପାର୍ବଣର ଏକ ମାସ ପୂର୍ବରୁ କଟକଣା କୋହଳ ହୋଇଯାଇଥିବାରୁ ଲୁଟେରାଙ୍କ ଉତ୍ପାତ ଏବେଠାରୁ ବଢ଼ିଯାଇଛି। ପୂଜା ସମୟରେ ପୁଲିସ ଏମାନଙ୍କ ଗତିବିଧି ଉପରେ କଡ଼ା ନଜର ନରଖିଲେ ସିରିଜ୍‌ ଲୁଟ୍‌ ହେବାର ଯଥେଷ୍ଟ ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର