ବସ୍‌ ଟର୍ମିନାଲ ପାଇଁ ଖାନନଗର ଅଞ୍ଚଳ ପରିଦର୍ଶନ କଲେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ

ବସ୍‌ ଟର୍ମିନାଲ ପାଇଁ ଦରକାର ୧୫ ଏକର ଜାଗା

କଟକ: ବଦଳିବ କଟକ ସହରର ନକ୍ସା। ଏଥିପାଇଁ ପ୍ରତିଦିନ ଚାଲିଛି ନୂଆ ନୂଆ ଯୋଜନା। ଖାନନଗରଠାରେ ପ୍ରସ୍ତାବିତ ବସ ଟର୍ମିନାଲ କରାଯିବା ନେଇ ଶୁକ୍ରବାର କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଖାନନଗର ଅଞ୍ଚଳ ପରିଦର୍ଶନ କରିଥିଲେ। ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମ୍‌ସି କମିଶନର ଅନନ୍ୟା ଦାସ ତଥା ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ଉକ୍ତ ଅଂଚଳ ପରିଦର୍ଶନ କରିବା ସହିତ ଉକ୍ତ ଅଞ୍ଚଳର ସରକାରୀ ଜମିର ସ୍ଥିତାବସ୍ଥା ସଂପର୍କରେ ମ୍ୟାପ ଜରିଆରେ ଉପଜିଲ୍ଲାପାଳ ଓ ତହସିଲଦାରଙ୍କଠାରୁ ଅବଗତ ହୋଇଥିଲେ। ଏହି ଯୋଜନାରେ ବାଦାମବାଡି ସହ ଖାନନଗରକୁ ଯୋଡାଯିବ।

ଅନ୍ତତଃ ପକ୍ଷେ ୧୫ ଏକର ସ୍ଥାନରେ ଏହି ବସ୍‌ ଟର୍ମିନାଲ କରିବାର ଯୋଜନା ଥିବାରୁ ପୂର୍ତ୍ତ ବିଭାଗ, ରାଜସ୍ୱ ବିଭାଗ ଓ ମହାନଗର ନିଗମ ତରଫରୁ ମନ୍ଦିର ତଥା ଶ୍ମଶାନକୁ ବାଦ୍‌ ଦେଇ ସର୍ଭେ କରାଯାଇ ଉପଲବ୍ଧ ଥିବା ସରକାରୀ ଜମି ତଥା ବସ ଟର୍ମିନାଲ ପାଇଁ ଆବଶ୍ୟକ ଥିବା ଅନ୍ୟୁନ ୧୫ ଏକରରୁ ଉର୍ଦ୍ଧ ଜମି ସଂପର୍କରେ ଅବଗତ କରାଇବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ଆରଡିସି ନିର୍ଦ୍ଦେଶ ଦେଇଛନ୍ତି। ସେହି ପରିଧି ମଧ୍ୟରେ ଥିବା ପୁରାତନ ବିଶ୍ବନାଥ ପାଠାଗାରକୁ ଉଠାଯାଇ ପ୍ରା୍ଥମିକଭାବେ ଓଏଟି ବିଲଡିଂକୁ ସ୍ଥାନାନ୍ତର ପାଇଁ ଯୋଜନା ରହିଛି। ସେହିପରି ସିଏମ୍‌ସିର ନର୍ସରିକୁ ମଧ୍ୟ ଉଠାଇଦିଆଯିବ। ସେଠାରେ ଥିବା ସ୍କୁଲକୁ ନିକଟସ୍ଥ‌ ବିଦ୍ୟାଳୟରେ ମିଶ୍ରଣ କରାଯିବା ଆଦି ବିଭିନ୍ନ ଯୋଜନା ପ୍ରାଥମିକ ସ୍ତରରେ ପ୍ରଶାସନ ହାତକୁ ନେଇଛି।

କିନ୍ତୁ ଏସଂପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇନଥିବା ଓ ସରକାରୀ ନିଷ୍ପତ୍ତିକୁ ପ୍ରଶାସନ ଅପେକ୍ଷା କରିଥିବା ଜଣାପଡିଛି। ତେବେ ଏହି ପରିପ୍ରକ୍ଷୀରେ ରାଜସ୍ୱ ଆଯୁକ୍ତଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସରକାରୀ ଜମିରୁ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା, ନିର୍ମାଣ କାର୍ଯ୍ୟ ନିମନ୍ତେ ଆର୍କିଟେକ୍ଟଙ୍କୁ ନିୟୋଜିତ କରାଯିବା ସଂପର୍କରେ ଆଲୋଚନା କରାଯାଇଥିଲା। ଏହି ବୈଠକ ତଥା ଅଞ୍ଚଳ ପରିର୍ଦଶନ ସମୟରେ ଜିଲ୍ଲାପାଳ, ସିଏମସି କମିଶନରଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ସଦର ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରିଆ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ, ସଦର ତହସିଲଦାର ସମ୍ବିତ ଗଡନାୟକଙ୍କ ସମେତ ସିଏମସିର ଅଧିକାରୀ ଓ ଯନ୍ତ୍ରୀ ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର