ଉଲିବୁରୁ ଖଣି ଦୁର୍ନୀତି ମାମଲା : ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ୩ ମାସ ଅନ୍ତରୀଣ ଜାମିନ

କଟକ : ଉଲିବୁରୁ ଖଣି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଦୀପକ୍‌ ଗୁପ୍ତାଙ୍କୁ ହାଇକୋର୍ଟରୁ ୩ ମାସ ଅନ୍ତରୀଣ ଜାମିନ ମିଳିଛି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଦୀପକଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ତାଙ୍କୁ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି। ଅନ୍ୟପକ୍ଷରେ ନିମ୍ନ ଅଦାଲତରେ ମାମଲା ବିଚାରାଧୀନ ଥିବା ବେଳେ ଦୀପକଙ୍କୁ ନିୟମିତ ଜାମିନ‌ରେ ଛାଡିବା ପାଇଁ ଖଣ୍ଡପୀଠ ମନା କରିଛନ୍ତି। ୨୦୨୦, ଅକ୍ଟୋବର ୧‌ରେ ଦୀପକଙ୍କ ଅନ୍ତରୀଣ ଜାମିନ ଅବଧି ଆରମ୍ଭ ହେବ। ୨୦୨୧, ଜାନୁଆରି ୨ରେ ସେ ନିମ୍ନ ଅଦାଲତରେ ଆତ୍ମ ସମର୍ପଣ କରିବେ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି।

ଅନ୍ତରୀଣ ଜାମିନରେ ଛାଡ ପାଇବା ପାଇଁ ସେ ଏକ କୋଟି ଟଙ୍କା ନିମ୍ନ ଅଦାଲତରେ ଜମା କରିବେ। ଜାତୀୟକରଣ ବ୍ୟାଙ୍କରେ ଏକ କୋଟି ଟଙ୍କା ସ୍ଥାୟୀ ଜମା କରି ସେ ଏ ସଂପର୍କିତ ରସିଦ ନିମ୍ନ ଅଦାଲତରେ ଦାଖଲ କରିବେ। ଦୁଇ କୋଟି ଟଙ୍କାର ଦୁଇ ଜଣ ସ୍ଥାନୀୟ ଜାମିନଦାରଙ୍କ ବଦଳରେ ତାଙ୍କୁ ନିମ୍ନ ଅଦାଲତ ଜାମିନରେ ଛାଡିବେ। ଜାମିନରେ ଛାଡ ପାଇବା ପରେ ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ କରିବେ ନାହିଁ ଓ ଯେଉଁ ସ୍ଥାନରେ ରହିବେ ତାର ଠିକଣା ସହିତ ଫୋନ୍ ନମ୍ବର ଓ ଇମେଲ୍ ସଂପର୍କିତ ତଥ୍ୟ ଭିଜିଲାନ୍ସ ନିକଟରେ ଦାଖଲ କରିବେ। ଏହା ସହ ପାସ୍ ପୋର୍ଟ ନିମ୍ନ ଅଦାଲତରେ ଦାଖଲ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦି ପାସ୍‌ପୋର୍ଟ ନଥିବ ତେବେ ଏ ନେଇ ସତ୍ୟପାଠ ଦାଖଲ କରିବେ ଓ ମାମଲାର ଶୁଣାଣି ତାରିଖରେ ନିମ୍ନ ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହେବେ। ଜାମିନରେ ଥିବା ବେଳେ ମାମଲା ସଂକ୍ରାନ୍ତରେ ଦୀପକ ଗଣମାଧ୍ୟମକୁ କୌଣସି ସାକ୍ଷାତକାର ବା ପ୍ରତିକ୍ରିୟା ଦେବେ ନାହିଁ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତରେ ସ୍ବାଭାବିକ ଭାବେ କାର୍ଯ୍ୟ ଆରମ୍ଭ ହେବାର ୬ ମାସ ଭିତରେ ଯଦି ଟ୍ରାଏଲରେ ବିଶେଷ ଅଗ୍ରଗତି ନ ହୁଏ ତେବେ ଆବେଦନକାରୀ ଟ୍ରାଏଲ କୋର୍ଟରେ ଅନ୍ତରୀଣ ଜାମିନ ଆବେଦନ ଦାୟର କରି ପାରିବେ ଓ ନିମ୍ନ ଅଦାଲତ ଆଇନ ଅନୁସାରେ ଏପରି ଆବେଦନର ବିଚାର କରିବେ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ନିମ୍ନ ଅଦାଲତରେ ବିଚାରାଧୀନ ମାମଲାର ଶୁଣାଣିରେ ବିଶେଷ ଅଗ୍ରଗତି ହେଉନଥିବା ଓ ଦୀପକ ୭ ବର୍ଷ ବିଚାରାଧୀନ ବନ୍ଦୀ ଭାବେ ଜେଲରେ ରହିବା ଘଟଣାକୁ ଦୃଷ୍ଟିରେ ରଖି ତାଙ୍କୁ ଅନ୍ତରୀଣ ଜାମିନ ମଞ୍ଜୁର କରାଯାଇଥିବା ପ୍ରକାଶିତ ରାୟରୁ ସ୍ପଷ୍ଟ ହୋଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସନ୍ତୋଷ କୁମାର ମୁଣ୍ଡ୍ ଓ ଭିଜିଲାନ୍ସ ପକ୍ଷରୁ ସ୍ବତନ୍ତ୍ର ଭାବେ ନିଯୁକ୍ତ ବରିଷ୍ଠ ଆଇନଜୀବୀ ନିର୍ମଳ ଚନ୍ଦ୍ର ପାଣିଗ୍ରାହୀ ମାମଲା ପରିଚାଳନା କରୁଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୩, ସେପ୍ଟେମ୍ବର ୫ରେ ବହୁ ଚର୍ଚ୍ଚିତ ଉଲିବୁରୁ ଖଣି ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨), ୧୩(୧)(ସି)(ଡି) ଓ ଆଇପିସିର ଦଫା ୧୨୦-ଖ, ୪୦୯, ୩୭୯, ୪୨୦, ୪୬୮, ୪୧୧ରେ ଦୀପକ୍‌ ଗୁପ୍ତା, ତାଙ୍କ ପରବାରର ୪ ଜଣ ସଦସ୍ୟ, ମୂଳ ଲିଜ୍‌ଧାରୀ ବି.କେ.ମହାନ୍ତିଙ୍କ ସହିତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଭିଜିଲାନ୍‌ସ୍‌ ପକ୍ଷରୁ କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନସ୍‌ ଅଦାଲତରେ ଚାର୍ଜସିଟ୍‌ ଦାଖଲ୍‌ କରାଯାଇଥିଲା। ଦୀପକଙ୍କ ପ୍ରଥମ ଜାମିନ୍‌ ଆବେଦନ ୨୦୧୪, ଜାନୁଆରି ୨୯ରେ ଓ ଦ୍ବିତୀୟ ଆବେଦନ ୨୦୧୪, ନଭେମ୍ବର ୧୪ରେ ହାଇକୋର୍ଟ ଖାରଜ କରିଥିଲେ। ଏହାପରେ ତାଙ୍କ ତୃତୀୟ ଜାମିନ୍‌ ଆବେଦନ ହାଇକୋର୍ଟରେ ବିଚାରାଧୀନ ଥିବା ବେଳେ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏକ ମାସ ଭିତରେ ତାଙ୍କ ଜାମିନ୍‌ ଆବେଦନ ବିଚାର କରିବା ପାଇଁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୨୦୧୬, ମାର୍ଚ୍ଚ ୧୮ ତାରିଖ ଦିନ ତାଙ୍କ ଜାମିନ୍‌ ଆବେଦନର ହାଇକୋର୍ଟରେ ଚୂଡାନ୍ତ ଶୁଣାଣି ହୋଇ ମାର୍ଚ୍ଚ ୨୮ରେ ରାୟ ପ୍ରକାଶ ପାଇଥିଲା। ଏହା ପରେ ୨୦୧୭, ଅଗଷ୍ଟ ୨୪ରେ ଚତୁର୍ଥ ଥର ପାଇଁ ଦୀପକ କରିଥିବା ଜାମିନ ଆବେଦନ ହାଇକୋର୍ଟ ଖାରଜ କରିଥିଲେ। ୨୦୧୯, ଅଗଷ୍ଟ ୭ରେ ହାଇକୋର୍ଟ ଦୀପକଙ୍କ ପଞ୍ଚମ ନିୟମିତ ଜାମିନ ଆବେଦନ ଖାରଜ କରିବା ସହିତ ସିଆରପିସିର ଧାରା ୩୦୯କୁ ଦୃଷ୍ଟିରେ ରଖି ନିମ୍ନ ଅଦାଲତ ବିଚାରାଧୀନ ମାମଲାର ତ୍ବରିତ ଶୁଣାଣି ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ଯଦି ଟ୍ରାଏଲରେ ବିଶେଷ ଅଗ୍ରଗତି ନ ହୁଏ ତେବେ ଆବେଦନକାରୀ ଅନ୍ତରୀଣ ଜାମିନ ପାଇଁ ଆବେଦନ କରି ପାରିବେ ବୋଲି ହାଇକୋର୍ଟ କହିଥିଲେ। ଟ୍ରାଏଲରେ ବିଶେଷ ଅଗ୍ରଗତି ହେଉ ନଥିବା ଦର୍ଶାଇ ଆବେଦନକାରୀ ନିମ୍ନ ଅଦାଲତରେ ଜାମିନ ପାଇଁ କରିଥିବା ଆବେଦନ ଖାରଜ ହେବା ପରେ ସେ ୨୦୨୦, ଫେବ୍ରୁଆରି ୪ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଗତ ଜୁନ୍ ୨୬ରେ ହାଇକୋର୍ଟ ଦୀପକଙ୍କୁ ଏକ ମାସ ଅନ୍ତରୀଣ ଜାମିନ ମଞ୍ଜୁର କରିଥିଲେ।

ସମ୍ବନ୍ଧିତ ଖବର