୮ବର୍ଷ ହେଲା ହରିଣ ପାର୍କ ପାଇଁ ଜାଗା ମିଳୁନି, କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁଁ ସଂକଟରେ ୨୫୫ ହରିଣ

କଟକ: ତୁଳସୀପୁରସ୍ଥିତ ହରିଣ ପାର୍କର ନୂଆ ଠିକଣା ଗତ ୮ବର୍ଷ ଧରି ମିଳୁନାହିଁ। ପାର୍କରେ ଆବଶ୍ୟକରୁ ଅଧିକ ସଂଖ୍ୟାରେ ହରିଣ ଥିବାରୁ ସେମାନଙ୍କ ପାଇଁ ନୂଆ ଜାଗା ଚିହ୍ନଟି କରି ସ୍ଥାନାନ୍ତର କରିବାକୁ ୨୦୧୪ରେ ଜାତୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ। ସେବେଠାରୁ କଟକ ସହର ଉପକଣ୍ଠର ବିଭିନ୍ନ ସ୍ଥାନକୁ ଏଥିପାଇଁ ସର୍ଭେ କରାଯାଉଛି। ମାତ୍ର ଏହା ମଧ୍ୟରେ ୮ବର୍ଷ ବିତି ଯାଇଥିଲେ ବି ଜଙ୍ଗଲ ବିଭାଗ, ଜିଲ୍ଲା ପ୍ରଶାସନ ଓ ସିଏମ୍‌ସି କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁଁ ଦ୍ବିତୀୟ ହରିଣ ପାର୍କ ପାଇଁ ସ୍ଥାନ ପ୍ରସ୍ତୁତ ହୋଇପାରି ନାହିଁ। ଅନ୍ୟପଟେ ଯେଉଁ ସ୍ଥାନରେ ୬ରୁ ୮ଟି ହରିଣ ରହିବା କଥା ସେଠାରେ ଏବେ ୨୫୫ଟି ହରିଣ ଅଛନ୍ତି। ସୀମିତ ସ୍ଥାନ ମଧ୍ୟରେ ଅଧିକ ସଂଖ୍ୟାର ହରିଣ ରହୁଥିବାରୁ ଦିନକୁ ଦିନ ସେମାନଙ୍କ ସମସ୍ୟା ବଢି ଚାଲିଛି। ଏପରିକି ପରସ୍ପର ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣରେ ଅନେକ ହରିଣ ଆହତ ହେଉଥିବାର ନଜିର ରହିଛି। ସହରବାସୀଙ୍କ ଆମୋଦ ପାଇଁ ୧୯୮୧ରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ବାଳଙ୍କ ଉଦ୍ୟମରେ ତୁଳସୀପୁରଠାରେ ମହାନଦୀ କୂଳରେ ଏହି ହରିଣ ପାର୍କ ନିର୍ମାଣ ହୋଇଥିଲା। ୪ ଏକରର ଜାଗାରେ ସେତେବେଳେ ନନ୍ଦନକାନନରୁ ୮୫ଟି ହରିଣ ଆଣି ରଖା ଯାଇଥିଲା। ଏବେ ସେମାନଙ୍କ ସଂଖ୍ୟା ବଢି ୨୫୫ରେ ପହଞ୍ଚିଲାଣି। ସେଥିମଧ୍ୟରୁ ୮୪ଟି ଅଣ୍ଡିରା, ୧୨୮ଟି ମାଇ ଓ ୪୩ଟି ଛୁଆ ଅଛନ୍ତି।

୨୦୧୪ରେ ଅଳ୍ପ ସ୍ଥାନରେ ଦେଢ ଶହରୁ ଅଧିକ ହରିଣ ରହିବା, ପାର୍କର ଚାରି ପାଖରେ ବ୍ୟସ୍ତବହୁଳ ରାସ୍ତା ଥିବାର ଦେଖି ଜାତୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ଅସନ୍ତୋଷ ପ୍ରକାଶ କରିଥିଲେ। ତୁରନ୍ତ ହରିଣଙ୍କ ପାଇଁ ନୂଆ ସ୍ଥାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେବା ସହିତ ଜଙ୍ଗଲ ବିଭାଗ ଏଠାରେ ଥିବା ହରିଣର ୭୦ ପ୍ରତିଶତଙ୍କୁ ନେଇ ଅାଉ ଏକ ପାର୍କ ନିର୍ମାଣ କରି ରଖିବାକୁ କହିଥିଲେ। ଏହା ମଧ୍ୟରେ ସହରର ଉପକଣ୍ଠର ବାରଙ୍ଗ, ମୁଣ୍ଡଳି ଓ ଡମପଡା ଅଞ୍ଚଳରେ ୬ରୁ ଅଧିକ ସ୍ଥାନ ଦେଖାଯାଇ ଥିଲେ ବି ହରିଣ ପାର୍କ ପାଇଁ ଗୋଟିଏ ମଧ୍ୟ ମନୋନୀତ ‌େହାଇପାରି ନାହିଁ। ୨୦୨୧ରେ ବନ ବିଭାଗ, ଜିଲ୍ଲା ପ୍ରଶାସନ ଓ ସିଏମ୍‌ସି କର୍ତ୍ତୃପକ୍ଷଙ୍କ ଦ୍ବାରା ମୁଣ୍ଡଳିସ୍ଥିତ ବାଆଁରା ଅଞ୍ଚଳରେ ୫୭ ଏକର ଜମି ଚିହ୍ନଟ ହୋଇଥିଲା। ମାତ୍ର କର୍ତ୍ତୃପକ୍ଷଙ୍କ ଅ‌ାନ୍ତରିକତା ଅଭାବରୁ ଦ୍ବିତୀୟ ହରିଣ ପାର୍କ ନିର୍ମାଣ ପାଇଁ କାମ ଆଗକୁ ବଢିପାରିଲା ନାହିଁ। ଏବେ ଚନ୍ଦକା ଅଞ୍ଚଳରେ ୭୮ ଏକରର ଏକ ଜାଗା ଚିହ୍ନଟ ହୋଇଥିବା ବେଳେ ସେଠାରେ ହରିଣଙ୍କୁ ଛାଡିବା ଉପରେ କୌଣସି ନି‌ଷ୍ପତ୍ତି ନିଆଯାଇ ନାହିଁ। ଅଳ୍ପ ସ୍ଥାନରେ ଅଧିକ ସଂଖ୍ୟାର ହରିଣ ରଖି କର୍ତ୍ତୃପକ୍ଷ ନିୟମ ଭାଙ୍ଗିବା ସହିତ ଏହି ନିରୀହ ପ୍ରାଣୀଙ୍କୁ ବିପଦ ମୁହଁକୁ ଠେଲୁଥିବାରୁ ସେମାନଙ୍କ ବିରୋଧରେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ସାଧାରଣରେ ପ୍ରଶ୍ନ ହୋଇଛି। ଏନେଇ ହରିଣ ପାର୍କ ଦାୟିତ୍ବରେ ଥିବା ସିଏମ୍‌ସି ଡେପୁଟି କମିସନର ଅଜୟ କୁମାର ମହାନ୍ତି କହିଛନ୍ତି ଯେ ଦ୍ବିତୀୟ ହରିଣ ପାର୍କ ପାଇଁ ଚନ୍ଦକା ଅଞ୍ଚଳରେ ୭୮ ଏକରର ଜାଗା ଦେଖାଯାଇଛି। ଏଠାରେ ହରିଣଙ୍କୁ ରଖିବାକୁ ଜଙ୍ଗଳ ବିଭାଗ ଠାରୁ ଅନୁମତି ମଗାଯାଇଛି। ଅନୁମତି ମିଳିଲେ ଅଞ୍ଚଳକୁ ଏକ କୋଟି ୯ ଲକ୍ଷ ଟଙ୍କାରେ ତାରବାଡ ବୁଲାଯାଇ ହରିଣଙ୍କୁ ଛଡା ଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର