କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ ସଂଧ୍ୟା ୬ରୁ ସକାଳ ୮ଟା ଯାଏ ବନ୍ଦ କରି ଦିଆଯାଉଛି। ଏହାର ପ୍ରତିବାଦରେ ଛାତ୍ରମାନେ ଦୁଇ ଦିନ ହେଲା ଆମରଣ ଅନଶନରେ ବସିବା ପରେ ଗେଟ୍ ସଂଧ୍ୟା ୭ଟାରେ ବନ୍ଦ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଛାତ୍ରମାନେ ଏହାକୁ ଗ୍ରହଣ କରୁ ନଥିବାରୁ ଅନଶନରେ ବସିଥିବା ଛାତ୍ରମାନଙ୍କ ପରିବାର ସଦସ୍ୟଙ୍କୁ ରେଭେନ୍ସା କର୍ତ୍ତୃପକ୍ଷ ଫୋନ୍ରେ ଯୋଗାଯୋଗ କରି ସେମାନଙ୍କ ଉପରେ ମାନସିକ ଚାପ ପକାଉଥିବା ଅଭିଯୋଗ ହୋଇଛି। କିନ୍ତୁ ଆଗାମୀ ଦିନରେ ଏହାକୁ ନେଇ ଆନ୍ଦୋଳନକୁ ତୀବ୍ର କରାଯିବ ସହ କୁଳାଧିପତି ତଥା ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଯିବ ବୋଲି ଛାତ୍ରଙ୍କ ପକ୍ଷରୁ କୁହାଯାଇଛି। ବିଶ୍ବବିଦ୍ୟାଳୟର ମୋଟ ୪ଟି ଗେଟ୍ ଥିବା ବେଳେ ରେଭେନ୍ସା ସମ୍ମୁଖରେ ଥିବା ତିନିଟି ଗେଟ୍କୁ ଛାତ୍ରଛାତ୍ରୀଙ୍କ ଯିବା ଆସିବା ପାଇଁ ଖୋଲା ଯାଇଥାଏ।
ମାତ୍ର ଦେଢ ମାସ ହେବ ରେଭେନ୍ସା କର୍ତ୍ତୃପକ୍ଷ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଥିବା ୩ଟି ଗେଟ୍କୁ ସଂଧ୍ୟା ୬ରୁ ସକାଳ ୮ଟା ପର୍ଯ୍ୟନ୍ତ ବନ୍ଦ ରଖୁଥିବା ବେଳେ ସରକାରୀ ଛୁଟିରେ ସେଗୁଡିକୁ ଦିନ ସାରା ବନ୍ଦ ରଖୁଛନ୍ତି। ଅନ୍ୟପଟେ ବିଶ୍ବବିଦ୍ୟାଳୟର ଛତ୍ରବଜାର ତଥା ପିଲିଗ୍ରିମ ରୋଡ ପାର୍ଶ୍ବରେ ଥିବା ଗେଟ୍କୁ ସଂଧ୍ୟା ୬ରୁ ସକାଳ ୮ଟା ଯାଏ ଖୋଲା ଯାଉଥିବା ବେଳେ ଛୁଟି ଦିନରେ ୨୪ ଘଣ୍ଟା ପାଇଁ ଖୋଲା ରହୁଛି। କଲେଜ ଛକରୁ ପିଲିଗ୍ରିମ ରୋଡ ପାର୍ଶରେ ଥିବା ଗେଟ୍ର ଦୂରତା ୫ଶହ ମିଟରରୁ ଅଧିକ ରହିଛି। ଉକ୍ତ ରାସ୍ତାରେ ଥିବା ଅନେକ ଲାଇଟ୍ ଜଳୁ ନଥିବା ବେଳେ ଏଠାରେ ଏକ ମଦ କାଉଣ୍ଟର ରହିଛି। ସଂଧ୍ୟା ୬ଟା ପରେ ଛାତ୍ରଛାତ୍ରୀଙ୍କୁ କୌଣସି କାମରେ କଲେଜ ଛକକୁ ଆସିବାକୁ ହେଲେ ଉକ୍ତ ଅନ୍ଧାର ରାସ୍ତାରେ ଆସିବାକୁ ପଡୁଛି। ରେଭେନ୍ସା ପରିସରକୁ ସଂଧ୍ୟା ସମୟରେ ବାହାରର ପିଲା ଆସି ଲନ୍ରେ ବସିବା ସହ ନାନା ଅସାମାଜିକ କାମ କରୁଛନ୍ତି। ସେମାନଙ୍କ ପ୍ରବେଶ ଉପରେ କଟକଣା ଲଗାଇବା ପାଇଁ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଛନ୍ତି େବାଲି କୁଳସଚିବ ଡକ୍ଟର ଭକ୍ତ ଚରଣ ପ୍ରଧାନ କହିଛନ୍ତି।
ବିଶ୍ବବିଦ୍ୟାଳୟରେ ସୁରକ୍ଷାକର୍ମୀ କ’ଣ କରୁଛନ୍ତି?
ରେଭେନ୍ସା କର୍ତ୍ତୃପକ୍ଷ ବିଶ୍ବବିଦ୍ୟାଳୟର ମୁଖ୍ୟ ୩ଟି ଗେଟ୍କୁ ବନ୍ଦ କରି ପଛ ଗେଟ୍ ଖୋଲିବା ନିଷ୍ପତ୍ତି ପଛରେ କି ଉଦ୍ଦେଶ୍ୟ ରହିଛି, ତାହା କାହାରିକୁ ଜଣା ନାହିଁ। ମୁଖ୍ୟ ଗେଟ୍ ଦେଇ ଅଣଛାତ୍ର ରେଭେନ୍ସା ପରିସରକୁ ଆସି ବିଶୃଙ୍ଖଳା କରୁଥିବାର କର୍ତ୍ତୃପକ୍ଷ କହୁଛନ୍ତି। ତେବେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ସୁରକ୍ଷା କର୍ମୀଙ୍କୁ କାହିଁକି ଗେଟ୍ ପାଖରେ ମୁତୟନ କରାଯାଇଛି? ଅନ୍ୟପଟେ ପଛ ଗେଟ୍ ଦେଇ କ’ଣ ଅଣଛାତ୍ର ରେଭେନ୍ସାକୁ ଆସି ପାରିବେ ନାହିଁ? ରେଭେନ୍ସା କର୍ତ୍ତୃପକ୍ଷ ସେମାନଙ୍କ ନିଷ୍ପତ୍ତିର ପରିବର୍ତ୍ତନ କରନ୍ତୁ।
ରାକେଶ ଧୂପର, ପୁରାତନ ଛାତ୍ର
ଧାରଣାରତ ଛାତ୍ରଙ୍କ ଉପରେ ଚାପ ପ୍ରୟୋଗ ହେଉଛି
ଗେଟ୍ ଖୋଲିବା ଦାବିରେ ଆମରଣ ଅନଶନରେ ବସିଥିବା ବେଳେ ଆମକୁ ଉଠି ଯିବାକୁ କର୍ତ୍ତୃପକ୍ଷ କହୁଛନ୍ତି। ଏପରିକି ଧାରଣାରେ ବସିଥିବା ଛାତ୍ରଙ୍କ ପରିବାରଙ୍କୁ ଫୋନ୍ ମାଧ୍ୟମରେ ସେମାନଙ୍କ ପିଲାଙ୍କୁ ଉଠିଯିବାକୁ କହୁଛନ୍ତି ଓ ଅଭିଭାବକଙ୍କୁ ଧାରଣାସ୍ଥଳକୁ ଡକାଯାଉଛି। ବିଭାଗର ମୁଖ୍ୟଙ୍କୁ ଡାକି ଧାରଣାରତ ଛାତ୍ରଙ୍କୁ ଉଠିବାକୁ ଚାପ ପ୍ରୟୋଗ କରିବାକୁ କୁହାଯାଉଛି।
ନିତିଶ କୁମାର ସାହୁ, ବିଜିଏମ୍ସି, ତୃତୀୟ ବର୍ଷ ଛାତ୍ର
ନିଷ୍ପତ୍ତିର ପୁର୍ନବିଚାର କରାଯାଉ
ରେଭେନ୍ସା ବିଶ୍ବବିଦ୍ୟାଳୟରେ ୨୦୧୩ରୁ ପଢୁଛି। କେବେ ବି ମୁଖ୍ୟ ୩ଟି ଗେଟ୍ରେ ତାଲା ପଡି ନଥିଲା। ଏହା କଲେଜ ଛକ ନିକଟରେ ଥିବାରୁ ଗେଟ୍ ଦେଇ ଛାତ୍ରଛାତ୍ରୀଙ୍କୁ ଯିବା ଆସିବା କରିବାରେ କୌଣସି ସମସ୍ୟା ହେଉ ନଥିଲା। ମାତ୍ର ଏବେ ଛାତ୍ରଛାତ୍ରୀଙ୍କୁ କଲେଜ ଛକକୁ ଆସିବାକୁ ବହୁ ଅସୁବିଧା ହେଉଛି। କର୍ତ୍ତୃପକ୍ଷ ସେମାନଙ୍କ ନିଷ୍ପତ୍ତି ଉପରେ ପୁର୍ନବିଚାର କରନ୍ତୁ।
ଚିନ୍ମୟ କୁମାର ସାହୁ, ଛାତ୍ର ଏମ୍ଫିଲ୍