ସହରବାସୀଙ୍କ ଦୀର୍ଘଦିନର ଦାବି ପୂରଣ

କଟକ ରେଳଷ୍ଟେସନ୍‌କୁ ଓଏମ୍‌ପି-ଶିଖରପୁର ହେବ ମୁଖ୍ୟ ପ୍ରବେଶ ଦ୍ବାର

କଟକ: କଟକସହରବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି। ଚୌଦ୍ୱାର କଟକର ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ଉଦ୍ୟମ, ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ସହାୟତା ଓ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଆନ୍ତରିକତା ଫଳରେ ଏହା ସମ୍ଭବ ହୋଇପାରିଛି । ରେଳଯାତ୍ରୀମାନଙ୍କ ସୁବିଧା ନିମନ୍ତେ ପୂର୍ବତଟ ରେଳପଥ କଟକ ଷ୍ଟେସନର ପଛପଟ ଗେଟକୁ ୧୬ନଂ ଜାତୀୟ ରାଜପଥ ସହ ସଂଯୋଗୀକରଣ କରାଯିବା ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଛି। ୬୧୧ ଡିସିମିଲ ପରିମିତ ଜମିରେ ଓଏମପି ଓ ଶିଖରପୁର ଦେଇ ଷ୍ଟେସନକୁ ନିର୍ମାଣ ହେବ ରାସ୍ତା । ଏହି ରାସ୍ତା ନିର୍ମାଣ ହେଲେ ସହରବାସୀଙ୍କ ସମେତ କେନ୍ଦ୍ରପଡା ଓ ଜଗତସିଂହପୁରରୁ ଆଦି ଜିଲ୍ଲାରୁ ଆସୁଥିବା ଲୋକେ ଖୁବଶୀଘ୍ର ଷ୍ଟେସନରେ ପହଞ୍ଚି ପାରିବେ। ଗୁରୁବାର ଅପରାହ୍ନରେ ବରିଷ୍ଠ ପଦାଧିକାରୀଙ୍କ ସହ କ୍ଷେତ୍ର ପରିଦର୍ଶନ କରିଛନ୍ତି ପୂର୍ବତନ ବିଧାୟକ ଡକ୍ଟର ବିଶ୍ବାଳ। ୨୦୦୮ ମସିହାରୁ ତତ୍‌କାଳୀନ କଟକ ଜିଲ୍ଲାପାଳ କିଶୋର ମହାନ୍ତି, ଏସ. ଏନ ଗିରିଶ, ନିର୍ମଳ ଚନ୍ଦ୍ର ମିଶ୍ର ପ୍ରମୁଖ ଜିଲ୍ଲାପାଳମାନଙ୍କ ସହ ପୂର୍ବତନ ବିଧାୟକ ଡଃ ବିଶ୍ୱାଳ ଓଏମପି ଡାକବଙ୍ଗଳାରେ ଅଂଚଳର ବରିଷ୍ଠ ମୁରବୀ ଶରତ ପ୍ରଧାନ, ସରୋଜ କୁମାର ମହାନ୍ତିଙ୍କ ସହ ଜମି ଅଧିଗ୍ରହଣକୁ ନେଇ ଜମିମାଲିକ ବିଷ୍ଣୁ ଚରଣ ନାୟକ ଓ ପ୍ରଦୀପ କୁମାର ଶତପଥୀଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିଥିଲେ। ଫଳରେ ଜମି ମାଲିକ ଦ୍ବୟ ରାଜି ହୋଇଥିଲେ।

ଉକ୍ତ ଜମି ଅଧଗ୍ରହଣ ବାବଦକୁ ବିଷ୍ଣୁ ଚରଣ ନାୟକଙ୍କ ୧୫୪ ଡିସିମିଲି ଜମିକୁ ୨କୋଟି ୪୨ ଲକ୍ଷ ୭୮ ହଜାର ୬୯୪ ଟଙ୍କା, ପ୍ରଦୀପ କୁମାର ଶତପଥୀଙ୍କ ୪୯ ଡିସିମିଲି ଜମିକୁ ୭୧ ଲକ୍ଷ ୪୦ ହଜାର ଓ ସତ୍ୟସୁନ୍ଦର ମିଶ୍ର ଓ ଅନ୍ୟ ୭ ଜଣଙ୍କ ୬୨ ଡିସିମିଲି ଜମିକୁ ୯୯ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏଥିସହିତ ଓଏମପି ଷଷ୍ଠ ବାଟାଲିଅନର ୩୪୬ ଡିସିମିଲି ତଥା ସର୍ବମୋଟ ୬୧୧ ଡିସିମିଲ ଜମି ଅଧିଗହଣ କରାଯାଇଛି । ଏଥ୍‌ନିମନ୍ତେ ରାଜ୍ୟ ସରକାର ୪.୧୩ କୋଟି ଟଙ୍କା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସହରବାସୀଙ୍କ ଆବଶ୍ୟକତାକୁ ହୃଦୟଙ୍ଗମ କରି ୪ କୋଟି ତେର ଲକ୍ଷ ପ୍ରଦାନ କରିଥିବାରୁ ତାଙ୍କୁ ପୂର୍ବତନ ବିଧାୟକ ଡକ୍ଟର ବିଶ୍ୱାଳ କୃତଜ୍ଞତା ଜଣାଇବା ସହିତ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ଏହି କ୍ଷେତ୍ର ପରିଦର୍ଶନ ସମୟରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡଃ ସୁରେଶ ଚନ୍ଦ୍ର ଦଳାଇ, ପୂର୍ତ ବିଭାଗ-୨ର ଅଧୀକ୍ଷଣ ଯନ୍ତ୍ରୀ ଇଂ ଅନୁପ କୁମାର ବେହେରା, ସହକାରୀ ଯନ୍ତ୍ରୀ ଇଂ ଜ୍ୟୋତିରଞ୍ଜନ ପତି, କର୍ପୋରେଟର ପ୍ରଳୟା ବେଉରା, ଇଂ ସୁବ୍ରତ ଘଡାଇ, ଇଂ ଆଶିଷ କୁମାର ସ୍ୱାଇଁ, ସମାଜସେବୀ ସଂଜୟ ଜେନା, ବିଧାୟକଙ୍କ ପ୍ରତିନିଧି ରମାକାନ୍ତ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର