ଶିଖରପୁର ନଦୀକୂଳ ସାହିରୁ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ, ଦକ୍ଷ କର୍ମଚାରୀ ବିନା ସିଏମ୍‌ସିରେ ଚାଲିଛି ଡେଙ୍ଗୁ ନିୟନ୍ତ୍ରଣ ‌କାର୍ଯ୍ୟକ୍ରମ

କଟକ: ମହାନଗର ନିଗମର ୪୬ ନମ୍ବର ୱାର୍ଡ ନଦୀକୂଳ ସାହିରୁ ଜଣେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଚିହ୍ନଟ ହେବାପରେ ସିଏମ୍‌ସିର ନିଦ ଭାଙ୍ଗିଛି। ନିଗମ ତରଫରୁ ଉକ୍ତ ଅଞ୍ଚଳର ସଫେଇ କାମ କରାଯିିବା ସହିତ ବୁସ୍‌ କଟିଂ କାମ ଆରମ୍ଭ ହୋଇଛି। ସିଏମ୍‌ସି ପକ୍ଷରୁ ଗତ ୧୦ ତାରିଖରୁ ପ୍ରତି ୱାର୍ଡକୁ ୨ଜଣ ବୁସ୍‌ କଟର ଦିଆଯାଇ ବୁଦା ସଫେଇ କାମ କରାଯାଉ ଥିବାର କୁହାଯାଉ ଥିବା ବେଳେ ଅନେକ ୱାର୍ଡରେ ସେମାନଙ୍କ ଦେଖା ମିଳୁ ନଥିବା ଅଭିଯୋଗ ହୋଇଛି। ନଦୀକୂଳ ସାହିରେ ଡେଙ୍ଗୁ ବାହାରିବା ପରେ ଆଜି ସିଏମ୍‌ସି ପକ୍ଷରୁ ସାହିରେ ବୁଦା ସଫେଇ କାମ ଆରମ୍ଭ ହୋଇଥିବା ଅଞ୍ଚଳବାସୀ କହିଛନ୍ତି। ଅନ୍ୟପଟେ ସହରରେ ବିନା ଦକ୍ଷ କର୍ମଚାରୀରେ ନିଗମ ଡେଙ୍ଗୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ କରୁଥିବା ଅଭିଯୋଗ ହୋଇଛି।

ଡେଙ୍ଗୁ ଆକ୍ରାନ୍ତ ବାହାରିବା ପରେ ସିଏମ୍‌ସି ପକ୍ଷରୁ ଆଜି ନଦୀକୂଳ ସାହିରେ ବୁସ୍‌ କଟିଂ କାମ ଆରମ୍ଭ ହେବା ସହିତ ସାହିରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଅନ୍ୟପଟେ ‌ସହରରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ନିଗମ ପକ୍ଷରୁ ବୁସ୍‌ କଟିଂ ଓ ସଚତନତା କାର୍ଯ୍ୟକ୍ରମ କରାଯାଉ ଥିବାର ଦାବି ହେଉଥିବା ବେଳେ ଅନେକ ୱାର୍ଡରେ ବୁଦା ସଫେଇ କାମ କରାଯାଉ ନଥିବା ଅଭିଯୋଗ ହୋଇଛି। ନିଗମର ୫୯ଟି ୱାର୍ଡରେ ଅଗଷ୍ଟ ୧୦ରୁ ‌ଅକ୍ଟୋବର ୧୦ ମଧ୍ୟରେ ବୁଦା ସଫେଇ କରିବାକୁ ନିଗମ ଯୋଜନା କରିଛି। ଏଥିପାଇଁ ପ୍ରତି ୱାର୍ଡକୁ ୨ଜଣ ବୁସ୍‌ କଟର ଦୁଇ ମାସ ପାଇଁ ଦିଆଯାଇଛି। ତେବେ ଗତ ୫ ଦିନ ମଧ୍ୟରେ ଅନେକ ୱାର୍ଡରେ ସେମାନଙ୍କ ଦେଖା ମିଳିନଥିବା ଅଭିଯୋଗ ହୋଇଛି। ସିଏମ୍‌ସି ପକ୍ଷରୁ ଡେଙ୍ଗୁ ମଶା ନିୟନ୍ତ୍ରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉ ଥିବାର କୁହାଯାଉ ଥିବା ବେଳେ ଏହାକୁ ପରିଚାଳନା କରିବାକୁ ନିଗମରେ ଦକ୍ଷ କର୍ମଚାରୀ ନାହାନ୍ତି। ୫ଜଣଙ୍କ ସ୍ଥାନରେ ଏବେ ଜଣେ ମେଲେରିଆ ଇନ୍ସିପେକ୍ଟରଙ୍କ ଦ୍ବାରା ଡେଙ୍ଗୁ ନିୟନ୍ତ୍ରଣ କାମ କରାଯାଉଛି। ସିଏମ୍‌ସି ତରଫରୁ ବିଭିନ୍ନ ୱାର୍ଡରେ ଡେଙ୍ଗୁ ମୁକାବିଲାର ଦାୟିତ୍ବ ୱାର୍ଡ ସୁପରଭାଇଜର, ଇନ୍‌ଚାର୍ଜ ଓ ମଲ୍ଟି ପର୍ପୋଜ୍‌ ହେଲଥ୍‌ ୱାର୍କରଙ୍କୁ ଦିଆଯାଇଛି। ସେପଟେ ପୂର୍ବରୁ ସାହି ଓ ଏହାର ଆଖପାଖ ଅଞ୍ଚଳର ପରିମଳ ଓ ବୁଦା ସଫେଇ କାମ କରାଯାଇ ଥିଲେ ଏଠାରେ ଡେଙ୍ଗୁ ମଶା ବଂଶ ବୃଦ୍ଧି ପାଇନଥାନ୍ତା ବୋଲି ନଦୀକୂଳ ସାହି ବାସିନ୍ଦା କହିଛନ୍ତି। ଉକ୍ତ ୱାର୍ଡର କୋର ପୋଖରି ଚାରିପାଖ ଓ ଏହାର ନିକଟବର୍ତ୍ତି ଅଞ୍ଚଳରେ ବୁଦା ସଫେଇ କାମ ତୁରନ୍ତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର