କରୋନା ସାଙ୍ଗକୁ ଡେଙ୍ଗୁ ଚିନ୍ତା; ଏସ୍ସିବିରେ ସ୍ବତନ୍ତ୍ର ୱାର୍ଡ ଖୋଲିବାକୁ ଯୋଜନା
ପୁଣି ବଢିଲେଣି କରୋନା ସଂକ୍ରମିତ, ନ୍ୟୁ ମେଡିସିନ୍ କୋଭିଡ୍ ୟୁନିଟ୍ରେ ବଢିବ ୩୦ ଏଚ୍ଡିୟୁ
କଟକ: ଏସ୍ସିବିରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଏବେ ପାଖାପାଖି ୧୦ଜଣ ଡେଙ୍ଗୁ ରୋଗୀ ମେଡିସିନ୍ ବିଭାଗରେ ଚିକିତ୍ସିତ ହେଉଛନ୍ତି। କଟକରେ ଗଲା ଜାନୁଆରିରୁ ଆଜି ସୁଦ୍ଧା ୨୫ଜଣ ସଂକ୍ରମିତ ଚିହ୍ନଟ ହେଲେଣି। ଏଭଳି ସ୍ଥିତିରେ ଡେଙ୍ଗୁ ସ୍ଥିତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏସସିବିରେ ସ୍ବତନ୍ତ୍ର ଡେଙ୍ଗୁ ୱାର୍ଡ ନେଇ ଆଲୋଚନା କରାଯାଇଥିଲେ ବି କେଉଁଠି ଏହି ୱାର୍ଡ ଖୋଲାଯିବ ତାହାକୁ ନେଇ ବର୍ତ୍ତମାନ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। କରୋନା ଯୋଗୁଁ ଗଲା ଦୁଇବର୍ଷ ହେଲା ଡେଙ୍ଗୁ ପାଇଁ ପୂର୍ବରୁ ଖୋଲାଯାଉଥିବା ସ୍ବତନ୍ତ୍ର ୱାର୍ଡ ଖୋଲାଯାଇପାରୁନି। ଅନ୍ୟପଟେ ଏବେ ଏସ୍ସିବିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି।

ଫଳରେ ନ୍ୟୁ ମେଡିସିନ୍ ବିଭାଗରେ ଥିବା କୋଭିଡ୍ ୱାର୍ଡରେ ୩୦ଟି ହାଇ ଡିପେଣ୍ଡେନ୍ସି ୟୁନିଟ୍ (ଏଚ୍ଡିୟୁ) କରାଯିବା ପାଇଁ ଯୋଜନା କରାଯାଇଛି। ପଲ୍ୟୁମୁନାରି ବିଭାଗରେ ଖୋଲାଯାଇଥିବା କୋଭିଡ୍ ୟୁନିଟ୍ ୪ରେ ମଧ୍ୟ ସାଧାରଣ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ। ଏହି ୟୁନିଟ୍ ଓପିଡିକୁ ୧୪୦ ରୋଗୀ ଚିକିତ୍ସା ପାଇଁ ଆସିଥିବା ବେଳେ ସେଥିରୁ ୭୦ ଜଣ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣାପଡିଛି। ଏସ୍ସିବିରେ ଆଜି ୨୭୭ ଜଣ କରୋନା ସଂକ୍ରମିତ ଚିକିତ୍ସିତ ହେଉଥିବା ଜଣାପଡିଛି। ଏସ୍ସିବିରେ ନ୍ୟୁ ମେଡିସିନ୍, ଚକ୍ଷୁ ବିଭାଗ ବା ବର୍ହିବିଭାଗ କୋଠା ସବୁକୁ କରୋନା ହସ୍ପିଟାଲ କରାଯାଇଥିବା ବେଳେ ଡେଙ୍ଗୁ ୱାର୍ଡ କେଉଁଠି କରାଯିବ ତାକୁ ନେଇ ୩/୪ଟି ସ୍ଥାନ କର୍ତ୍ତୃପକ୍ଷ ନଜରରେ ରଖିଛନ୍ତି।