ଧବଳେଶ୍ୱରଙ୍କ ପଞ୍ଚକ ଓ ବଡ଼ଓଷା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ: ମଙ୍ଗଳବାର ମଧ୍ୟରାତ୍ରିରୁ ୧୪୪ ଧାରା, ମୁତୟନ ହେବେ ୯ପ୍ଲାଟୁନ ଫୋର୍ସ

କୋଭିଡ୍‌ କଟକଣାରେ ହେବ ନୀତିକାନ୍ତି; ଘରେ ରହି ଆରାଧନା କରିବାକୁ ପ୍ରଶାସନର ନିବେଦନ

ଆଠଗଡ଼/ଖୁଣ୍ଟୁଣୀ: କଟକ ଜିଲ୍ଲା ଆଠଗଡ଼ର ଆରାଧ୍ୟ ଶ୍ରୀଶ୍ରୀଧବଳେଶ୍ବରଙ୍କ ପଞ୍ଚକ ଆସନ୍ତା ୨୫ତାରିଖ ବୁଧବାରଠାରୁ ଆରମ୍ଭ ହେବ। ସେହିପରି ଆସନ୍ତା ୨୮ ତାରିଖ ଶନିବାର ପୀଠରେ ପ୍ରସିଦ୍ଧ ବଡ଼ଓଷା ପାଳନ କରାଯିବ। ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଏଥର ବିନା ଭକ୍ତରେ ଠାକୁରଙ୍କ ଯାତ୍ରା ଅନୁଷ୍ଠିତ ହେବ। ତେବେ କଟକଣା ସତ୍ତ୍ବେ ଧବଳେଶ୍ୱର ମହାପ୍ରଭୁଙ୍କ ପର୍ବ ପାଳନ ପାଇଁ ଆଜି ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଧବଳେଶ୍ବର ପୁଲିସ ବିଟ୍‌ ହାଉସ୍‌ ପରିସରରେ ଅନୁଷ୍ଠିତ ବୈଠକରେ ଆଠଗଡ଼ ଉପଜିଲ୍ଲାପାଳ ତଥା ଉପଖଣ୍ଡ ଦେବୋତ୍ତର ବିଭାଗ ମୁଖ୍ୟ ଅଜାମ୍ବର ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀ ମହାନ୍ତି କହିଥିଲେ ଯେ ମହାମାରୀ କରୋନା ଗାଇଡ୍‌ ଲାଇନ୍‌ ଅନୁସାରେ ରାଜ୍ୟର ସମସ୍ତ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଛି।

ଧବଳେଶ୍ବରଙ୍କ ପୀଠରେ ଚଳିତବର୍ଷ ବାବାଙ୍କର ପ୍ରସିଦ୍ଧ ପଞ୍ଚକ ଓ ବଡ଼ଓଷା ପର୍ବର ସମସ୍ତ ନୀତିକାନ୍ତି, ଠାକୁରଙ୍କ ବେଶ ଆଦି ପୂଜକ ସମିତି ସଦସ୍ୟ ଓ ଦେବୋତ୍ତର ବିଭାଗ ସହଯୋଗରେ କୋଭିଡ୍‌ କଟକଣା ମଧ୍ୟରେ ବିନା ଭକ୍ତରେ ପାଳନ କରାଯିବ। ମହାମାରୀର ପାଦୁର୍ଭାବ ଏଡ଼ାଇବା ଲାଗି ଶ୍ରଦ୍ଧାଳୁମାନଙ୍କୁ ପୀଠକୁ ଆସିବା ନେଇ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏଥିପାଇଁ ମଙ୍ଗଳବାର ମଧ୍ୟରାତ୍ରିରୁ ପୀଠ, ପୀଠ ଚତୁଃପାର୍ଶ୍ୱ, ପୀଠକୁ ସଂଯୋଗ କରୁଥିବା ସମସ୍ତ ପ୍ରବେଶ ପଥ ଏବଂ ପାଇକେରାପୁର ଭୂୟାଁ ଯୋରଠାରୁ ବିଦ୍ୟାଧରପୁର ଛକ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯିବ। ଏହା ୩୦ତାରିଖ ପବିତ୍ର ରାସପୂର୍ଣ୍ଣିମା ପର୍ଯ୍ୟନ୍ତ ବଳବତ୍ତର ରହିବ।

ପଞ୍ଚକ ଓ ବଡ଼ଓଷା ବ୍ରତଧାରୀ ଭକ୍ତମାନେ ଘରେ ରହି  ଧବଳେଶ୍ୱରଙ୍କୁ ଆରାଧନା କରିବା ପାଇଁ ଏହି ଅବସରରେ ଆଠଗଡ଼ ଉପଜିଲ୍ଲାପାଳ ଶ୍ରୀ ମହାନ୍ତି ନିବେଦନ କରିଥିଲେ। ୧୪୪ଧାରା ଲାଗୁ ହେବାକୁ ଥିବା ସ୍ଥାନରେ କୌଣସି ଗାଡ଼ି ପାର୍କିଂ କିମ୍ୱା ରାସ୍ତା ପାର୍ଶ୍ବରେ ଜନଗହଳି ନ କରିବାକୁ ବୈଠକରେ ସୂଚନା ଦିଆଯାଇଛି। ପୂଜକମାନେ ଗଜଭୋଗ ଘରକୁ ଘର ବୁଲି ବିତରଣ ନିମନ୍ତେ ଯିବା ସମୟରେ ସେମାନଙ୍କ ପାଇଁ କଟକଣା କୋହଳ କରାଯିବ। ଏଥିସହ ଗଜଭୋଗକୁ ରାସ୍ତାପାର୍ଶ୍ବ କିମ୍ବା ଅନ୍ୟ ସ୍ଥାନରେ ଯେପରି ବିକ୍ରି କରା ନ ଯିବ ସେଥିପ୍ରତି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦେଶ ଦିଆଯାଇଛି। ଠାକୁରଙ୍କ ଶୃଙ୍ଖଳିତ ନୀତିକାନ୍ତି ସମ୍ପନ୍ନ କରିବା, ଆଇନଶୃଙ୍ଖଳା ଓ ୧୪୪ଧାରା ଜାରି ସ୍ଥାନଗୁଡ଼ିକରେ କଡ଼ା ପୁଲିସ ପ୍ରହରା ବ୍ୟବସ୍ଥା ପାଇଁ ଜିଲ୍ଲା ପୁଲିସ ପ୍ରଶାସନ ତରଫରୁ ୯ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ଏହାର ତଦାରଖ ପାଇଁ ଜଣେ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ୩ଜଣ ଡିଏସ୍‌ପି, ୫ଜଣ ଇନ୍ସପେକ୍ଟର, ୬୦ଜଣ ଏସ୍‌ଆଇ/ଅତିରିକ୍ତ ଏସ୍‌ଆଇ ଓ ଆବଶ୍ୟକ ଗୃହରକ୍ଷୀ ନିୟୋଜିତ ହେବେ ବୋଲି ଏସ୍‌ଡିପିଓ ପ୍ରଶାନ୍ତ କୁମାର ମଲ୍ଲ ସୂଚନା ଦେଇଛନ୍ତି।

ଅପରପକ୍ଷରେ ଦୀର୍ଘ ୯ମାସ ହେଲା ଜନସାଧାରଣଙ୍କ ପାଇଁ ମନ୍ଦିର ବନ୍ଦ ଥିବାରୁ ବାବାଙ୍କର ୧୨୦ ପୂଜକ ପରିବାର ଗଭୀର ଆର୍ଥିକ ସଙ୍କଟରେ ରହିଛନ୍ତି। ଏଥିସହ ବିନା ସରକାରୀ ସହାୟତାରେ ସେମାନେ ଧବଳେଶ୍ୱରଙ୍କ ସେବାପୂଜା ବିଧି ମୁତାବକ ସୂଚାରୁ ରୂପେ ସମ୍ପାଦନ କରି ଆସୁଛନ୍ତି ବୋଲି ବୈଠକରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏ କ୍ଷେତ୍ରରେ ପ୍ରଶାସନ ନିକଟରେ ଥିବା ସେମାନଙ୍କ ଦାବି ଓ ସମସ୍ୟାକୁ ଦୁଇଦିନ ଭିତରେ ସମାଧାନ ପାଇଁ ବୈଠକରେ ଆଲୋଚନା କରାଯାଇଥିଲା। ସେହିପରି ମନ୍ଦିର ଭିତର ଓ ବାହାର ଆଲୋକ, ପରିମଳ ବ୍ୟବସ୍ଥା, ପୂଜକ ସମାଜ ଅନୁରୋଧକ୍ରମେ ପ୍ରତି ପୂଜକ ପରିବାରକୁ ୧୦ଟି ପାସ୍‌ର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଏହି ପାସ ମାଧ୍ୟମରେ ସେମାନଙ୍କ ବନ୍ଧୁ ପରିଜନଙ୍କୁ ଗ୍ରାମ ମଧ୍ୟକୁ ପ୍ରବେଶ ଅନୁମତି ମିଳିବ। ଏହି ଅବସରରେ ମନ୍ଦିରର ଅନ୍ୟ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ବୈଠକରେ ଏସ୍‌ଡିପିଓ ପ୍ରଶାନ୍ତ କୁମାର ମଲ୍ଲ, ତହସିଲଦାର ତପନ କୁମାର ଖୁଣ୍ଟିଆ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାରଦା ମହାନ୍ତି, ଗୁରୁଡ଼ିଝାଟିଆ ଥାନାଧିକାରୀ ସମୀର କୁମାର ପଣ୍ଡା, ଦେବୋତ୍ତର ସୁପର୍‌ଭାଇଜର୍‌ ଭବାନୀ ଶଙ୍କର ପଣ୍ଡା, ଧବଳେଶ୍ବର ପୂଜକ ସମିତି ସଭାପତି ବିଷ୍ଣୁଚରଣ ପତ୍ରି, ସମ୍ପାଦକ ପରମାନନ୍ଦ ପତ୍ରି, ମଞ୍ଚେଶ୍ୱର ସରପଞ୍ଚ ପ୍ରିୟବ୍ରତ ସାହୁଙ୍କ ସମେତ ପୂଜକ ସମିତି ସଦସ୍ୟ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର