ଧବଳେଶ୍ବର ପୀଠରେ ବଡ଼ଓଷା; ନାଗାର୍ଜୁନ କିରାତ ବେଶରେ ସଜ୍ଜିତ ହେଲେ ମହାପ୍ରଭୁ; ବିଳମ୍ବିତ ରାତିରେ ଗଜଭୋଗ

ଖୁଣ୍ଟୁଣୀ: ଆଜି ଶନିବାର କାର୍ତ୍ତିକ ମାସ ଶୁକ୍ଳ ତ୍ରୟୋଦଶୀ ତିଥି। କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବରରେ ପାଳନ କରାଯାଉଛି ପ୍ରସିଦ୍ଧ ବଡ଼ଓଷା। ଏହି ଅବସରରେ ମହାପ୍ରଭୁ ଅକର୍ମ କର୍ମ ଦାୟକ ଦେବଦେବ ମହାଦେବ ବାବା ଧବଳେଶ୍ୱର ଦୁର୍ଲଭ ନାଗାର୍ଜୁନ କିରାତ ବେଶରେ ଦର୍ଶନ ଦେଇଛନ୍ତି। ଦୀର୍ଘ ୨୫ବର୍ଷ ପରେ ରୁପା, ସ୍ବର୍ଣ୍ଣାଦି ଧାତୁରେ ନିର୍ମିତ ଚନ୍ଦ୍ର, ତ୍ରିଶୂଳ, ଡମ୍ବରୁ ଆଦି ଆୟୁଧ ଆଭୂଷଣରେ ବିଭୁଷିତ ହୋଇ ନାଗାର୍ଜୁନ କିରାତ ବେଶରେ ସଜେଇ ହୋଇଛନ୍ତି ଧବଳମଣୀ। ମାତ୍ର ଆଜି ପୀଠରେ କୋଳାହଳ ନ ଥିଲା କି’ ଦର୍ଶନ ପାଇଁ ନ ଥିଲେ ଶ୍ରଦ୍ଧାଳୁ। ମହାମାରୀ କୋଭିଡ୍‌ କଟକଣା ଯୋଗୁଁ ପୀଠକୁ ଆସିବା ପାଇଁ ପ୍ରଶାସନ ତରଫରୁ ଭକ୍ତମାନଙ୍କୁ ବାରଣ କରାଯାଇଥିଲା। ଫଳରେ ୨୫ବର୍ଷ ପରେ ଅନୁଷ୍ଠିତ ବାବାଙ୍କ ପବିତ୍ର ନାଗାର୍ଜୁନ କିରାତ ବେଶ ଦର୍ଶନରୁ ଶ୍ରଦ୍ଧାଳୁମାନେ ବଞ୍ଚିତ ହୋଇଥିଲେ।

ବଡ଼ଓଷାର ନୀତି ନିର୍ଘଣ୍ଟ ମୁତାବକ ଶନିବାର ଭୋର ୪ଟାରେ ପହଡ଼ ଖୋଲାଯାଇ ମଙ୍ଗଳ ଆଳତି, ଶ୍ରୀମୁଖ ପଖାଳ ଭିତର ଶୋଧ କରାଯିବା ସହିତ ଅଗୁର, ଚନ୍ଦନ, ଶ୍ରୀକର୍ପୁର, ଗଙ୍ଗାଜଳ, ଜାଇଫଳ, ଗୋଲାପ ଜଳ ଆଦି ସୁବାସିତ ଦ୍ରବ୍ୟମିଶ୍ରିତ ୧୦୮ଗରା ନଦୀଜଳରେ ପ୍ରଭୁଙ୍କ ସ୍ନାନାଦି ନୀତି ସମାପନ ହୋଇଥିଲା। ପରେ ଖେଚୁଡ଼ି ଭୋଗ ଲାଗି ଶେଷ କରାଯାଇ ପୂଜକ ସମିତିର କାର୍ଯ୍ୟକର୍ତ୍ତା, ସଦସ୍ୟ ଓ ନୀତି ପାଳିଆ ସେବକଙ୍କ ଦ୍ୱାରା ପ୍ରଭୁଙ୍କୁ ନାଗାର୍ଜୁନ କିରାତ ବେଶରେ ସଜ୍ଜିତ କରାଯାଇଥିଲା। ପୂର୍ବାହ୍ନରେ ଶଙ୍କୁଡ଼ି ଭୋଗ ଲାଗି ପରେ ଘର୍ଷଣ ଭୋଗ ଓ ପାଳୁଅ ଭୋଗ ଲାଗି ହୋଇଥିଲା। ଅପରାହ୍ନରେ ଠାକୁରଙ୍କୁ ପୁନଃ ସ୍ନାନ ଫୁଲଚନ୍ଦନ ଅର୍ପଣ ପରେ ସନ୍ଧ୍ୟାରେ ସନ୍ଧ୍ୟାଧୂପ, ଆଳତି, ବାଳଭୋଗ ଓ ରାତ୍ରର ପ୍ରଥମ ପ୍ରହରରେ ଦହି ପଖାଳ ଲାଗି କରାଯାଇ ରାତ୍ର ପହଡ଼ ହୋଇଥିଲା।

ଆଜି ମଧ୍ୟରାତ୍ରିରେ ପୀଠ ରୋଷଗୃହରେ ନୀତିପାଳିଆ ସେବକ ଶୁଦ୍ଧପୁତ ଭାବେ ଗଜଭୋଗ ପ୍ରସ୍ତୁତ କରିବେ। ବିଳମ୍ବିତ ରାତିରେ ଠାକୁରଙ୍କ ପହଡ଼ ଖୋଲାଯାଇ ସ୍ନାନାଦି ଓ ସମସ୍ତ ନୀତିକାନ୍ତି ସମାପନ ପରେ ବହୁ ପ୍ରତୀକ୍ଷିତ ତ୍ରୟୋଦଶୀ-ଚତୁର୍ଦଶୀର ସଂଧିକ୍ଷଣ ଅର୍ଥାତ ରବିବାର ପ୍ରତ୍ୟୁଷ ସାଢ଼େ ୩ଟାରେ ଧବଳେଶ୍ବର ମହାଦେବଙ୍କ ନିକଟରେ ବଡ଼ଓଷାର ପ୍ରିୟ ଭୋଗ ଗଜଭୋଗ ଓ ତରଣ ଲାଗି କରାଯିବ ବୋଲି ପୂଜକ ସମିତି ପକ୍ଷରୁ ସୂଚନା ଦିଆଯାଇଛି।

ଅପରପକ୍ଷରେ ପହିଲି ପଞ୍ଚକରୁ ୩୦ତାରିଖ ପୂର୍ଣ୍ଣିମା ପର୍ଯ୍ୟନ୍ତ ଧବଳେଶ୍ବର ପୀଠ ଓ ତତ୍‌ସଂଲଗ୍ନ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଏଥିସହିତ ପୀଠ ସଂଲଗ୍ନ ସମସ୍ତ ରାସ୍ତା ସିଲ୍‌ ହୋଇଛି। ବାରଣ ସତ୍ତ୍ୱେ ଯେପରି କୌଣସି ଭକ୍ତ ପୀଠକୁ ଆସି ନ ପାରିବେ, ସେଥିପାଇଁ ସବୁ ଛକ ଏବଂ ପୀଠ ସମ୍ମୁଖ ପୁରୁଣା କଟକ-ସମ୍ବଲପୁର ରାସ୍ତାର ନୂଆପାଟଣା ଭୂୟାଁ ଯୋରରୁ ନରଙ୍ଗବସ୍ତ ଛକ ପର୍ଯ୍ୟନ୍ତ ରାସ୍ତାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। କଟକ ଏସ୍‌ପି ବି. ଯୁଗଳ କିଶୋର ପୁଲିସ ବ୍ୟବସ୍ଥା ତଦାରଖ କରୁଛନ୍ତି।

ଏସ୍‌ପିଙ୍କ ତତ୍ତ୍ବାବଧାନରେ ଅତିରିକ୍ତ ଏସ୍‌ପି ପି.କେ. ଜେନା, ଅଲେଖ ଚନ୍ଦ୍ର ପହି, ଚୌଦ୍ୱାର ଏସ୍‌ଡିପିଓ ପ୍ରଶାନ୍ତ ମଲ୍ଲ, ଗୁରୁଡ଼ିଝାଟିଆ ଥାନା ଆଇଆଇସି ସମୀର ପଣ୍ଡା, ଖୁଣ୍ଟୁଣୀ ଥାନା ଆଇଆଇସି ସୁଚିତ୍ରବିର୍ଯ୍ୟ ଦାସ, ନରସିଂହପୁର ଥାନା ଆଇଆଇସି ବିମଲ ବାରିକଙ୍କ ସମେତ ବହୁ ପୁଲିସ ଅଧିକାରୀ ଓ ୭ ପ୍ଲାଟୁନ୍‌ ଫୋର୍ସ ଉପସ୍ଥିତ ଅଛନ୍ତି। ରବିବାର କାର୍ତ୍ତିକ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀରେ ମଧ୍ୟ ବାବା ଧବଳେଶ୍ବର ନାଗାର୍ଜୁନ କିରାତ ବେଶରେ ସଜ୍ଜିତ ରହିବେ। କୋଭିଡ‌୍ କଟକଣାରେ ଆଠଗଡ଼ ପ୍ରଶାସନ ଓ ଦେବୋତ୍ତର ବିଭାଗ ସହଯୋଗରେ ପୂଜକମାନଙ୍କ ଦ୍ୱାରା ଧବଳେଶ୍ୱରଙ୍କ ସମସ୍ତ ନୀତିକାନ୍ତି ବିଧି ମୁତାବକ ସମ୍ପାଦିତ ହେଉଛି।

ସମ୍ବନ୍ଧିତ ଖବର