ଆରମ୍ଭରୁ ଆଣ୍ଠେଇଛି ପୌର ନିଗମର ଏମ୍‌ଆର୍‌ଏଫ୍‌ ପ୍ଲାଣ୍ଟ

୩ ବର୍ଷରେ ଗୋଟିଏ; ହାତ ଟେକି ଦେଲେ

କଟକ: ପୌର ନିଗମ ପକ୍ଷରୁ ବୁଧବାର ସ୍ବାୟତ୍ତ ଶାସନ ଦିବସ ପାଳନ କରାଯିବ। ନିଗମ ତରଫରୁ ଦିବସ ପାଳନ ଅବସରରେ ଏକାଧିକ ପ୍ରକଳ୍ପକୁ ଉଦ୍‌ଘାଟନ କରାଯିବା ସହ କିଛି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରାଯିବ। ମାତ୍ର ସହରବାସୀଙ୍କ ପାଇଁ ଅଧିକ ଗୁରୁତ୍ବ ବହନ କରୁଥିବା ସହରର ପରିମଳ ବ୍ୟବସ୍ଥା ପ୍ରତି ସେପରି ଆଖିଦୃଶିଆ କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ ହୋଇଛି। ନିଗମ ପକ୍ଷରୁ ୩ ବର୍ଷ ତଳେ ୫୯ଟି ୱାର୍ଡରେ ୭ଟି ‘ମ୍ୟାଟରିଆଲ୍‌ ରିକଭରି ଫେସିଲିଟି’ (ଏମ୍‌ଆରଏଫ୍‌) ପ୍ଲାଣ୍ଟ କରିବାକୁ ଯୋଜନା ହୋଇଥିଲା। ମାତ୍ର ୨୦୧୯ରୁ ଏବେ ସୁଦ୍ଧା ନିଗମ ପକ୍ଷରୁ ମାତ୍ର ଗୋଟିଏ ପ୍ଲାଣ୍ଟର କାମ ଶେଷ ହୋଇଛି। ଅନ୍ୟପଟେ ସହରରେ ୧୯ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି) କରିବାକୁ ଯୋଜନା ପ୍ରସ୍ତୁତ ହୋଇ ଏବେ ସୁଦ୍ଧା ୮ଟି ନିର୍ମାଣ ହୋଇଥିବା ବେଳେ ମାତ୍ର ଗୋଟିଏ କାର୍ଯ୍ୟକ୍ଷମ ହୋଇଛି। ପୌର ନିଗମ କର୍ତ୍ତୃପକ୍ଷଙ୍କ ଉଦାସୀନତା ପାଇଁ ସହରରୁ ପ୍ରତିଦିନ ବାହାରୁଥିବା ଓଦା ଓ ଶୁଖିଲା ଆବର୍ଜନା ପରିଚାଳନା ଦିଗରେ ଏଥର ସ୍ବାୟତ୍ତ ଶାସନ ଦିବସରେ ଆଖିଦୃଶିଆ ପଦକ୍ଷେପ ଦେଖିବାକୁ ମିଳି ନାହିଁ।
ସହରରୁ ବାହାରୁ ଥିବା ଓଦା ଓ ଶୁଖିଲା ଅଳିଆର ପୁନଃବ୍ୟବହାର କରିବା ପାଇଁ ପୌର ନିଗମ ପକ୍ଷରୁ ଅତୀତରେ ଉଦ୍ୟମ ଆରମ୍ଭ ହୋଇଥିଲା। ୨୦୧୮ରେ ଓଦା ଅଳିଆରୁ ଖତ ପ୍ରସ୍ତୁତ କରିବା ପାଇଁ ଜୈବିକ ଖତ କାରଖାନା(ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର୍‌ ବା ଏମ୍‌ସିସି) ନିର୍ମାଣ କାମ ହୋଇଥିଲା।

ପ୍ରଥମ ପର୍ଯ୍ୟାୟରେ ସହରରେ ୧୯ଟି ଏମ୍‌ସିସି କରିବାକୁ ଲକ୍ଷ ରଖାଯାଇ ଏବେ ସୁଦ୍ଧା ମାତ୍ର ୮ଟିର ନିର୍ମାଣ କାମ ‌ଶେଷ ହୋଇଥିବା ବେଳେ ସେଥିରୁ ମାତ୍ର ଗୋଟିଏ ଚାଲୁ ରହିଛି। ସେହିପରି ୨୦୧୯ରେ ଶୁଖିଲା ଆବର୍ଜନାର ପୁନଃବ୍ୟବହାର ପାଇଁ ଛତିଶଗଡ଼ର ଅମ୍ବିକାପୁର ପୌର ନିଗମ ଢାଞ୍ଚା‌ରେ ୭ଟି ‘ମ୍ୟାଟରିଆଲ୍‌ ରିକଭରି ଫେସିଲିଟି’ ବା ଏମ୍‌ଆର୍‌ଏଫ୍‌ ପ୍ଲାଣ୍ଟ ନିର୍ମାଣ ପାଇଁ ଯୋଜନା ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ନିଗମର ସାର୍ତ୍ତୋଳ, ଜଗତପୁର, ସତୀଚୌରା ଓ ନୂଆହାଟରେ ୪ଟି ପ୍ଲାଣ୍ଟ ନିର୍ମାଣ କରିବାକୁ ସ୍ଥିର ହୋଇଥିଲା। ଏଥିପାଇଁ ୪ କୋଟି ଟଙ୍କାର ବଜେଟ୍‌ ରଖାଯାଇଥିଲା। ପ୍ଲାଣ୍ଟ୍‌ଗୁଡିକର ପରିଚାଳନା ଦାୟିତ୍ବକୁ ବିଭିନ୍ନ ଏସ୍‌ଏଚ୍‌ଜିଙ୍କୁ ଦିଆଯିବା ସହ ଅଳିଆ ବିକ୍ରିରୁ ଯେଉଁ ଅର୍ଥ ବାହାରିବ ତାହା ପ୍ଲାଣ୍ଟରେ କାମ କରୁଥିବା କର୍ମଚାରୀଙ୍କୁ ଦରମା ଆକାରରେ ଦିଆଯିବ ବୋଲି କୁହାଗଲା। ମାତ୍ର, ୩ ବର୍ଷ ମଧ୍ୟରେ ନିଗମ ପକ୍ଷରୁ ମାତ୍ର ଗୋଟଏ ଏମ୍‌ଆର୍‌ଏଫ୍‌ ପ୍ଲାଣ୍ଟର କାମ ଶେଷ ହୋଇଛି। ଶଙ୍କରପୁର ନାକେଇପଡିଆଠାରେ ଆସନ୍ତାକାଲି ଏହାକୁ ଉଦ୍‌ଘାଟନ କରାଯିବ। ସେହିପରି ନିଗମ ତରଫରୁ ଗତ ୪ ବର୍ଷ ମଧ୍ୟରେ ୧୮ଟି ଏମ୍‌ସିସି ବଦଳରେ ୮ଟିର ନିର୍ମାଣ ଶେଷ ହୋଇଥିବା ବେଳେ ସେଥିରୁ ମାତ୍ର ଗୋଟିଏ କାମ କରୁଛି। ପୌର ନିଗମ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ସହରର ପରିମଳର ସୁପରିଚାଳନା ପାଇଁ ନିଆଯାଉଥିବା ନାନା ପ୍ରକଳ୍ପର ନିର୍ମାଣ କାମ ଆଗକୁ ବଢ଼ି ନପାରିବାକୁ ନେଇ ସହରବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର