ବାଲିଯାତ୍ରାକୁ ଆସିଛି ଭିନ୍ନ ସାମଗ୍ରୀ

କଟକ: ବାଲିଯାତ୍ରାକୁ ବୁଲି ଆସୁଥିବା ଲୋକଙ୍କ ପାଇଁ ଚଳିତ ବର୍ଷ କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ୨୦ଟି ବ୍ୟାଟେରି ଚାଳିତ ଗାଡି(ବିଓଭି)ର ବ୍ୟବସ୍ଥା କରାଯାଇଛି। ଜଣେ ବ୍ୟକ୍ତି ଶହେ ଟଙ୍କା ଦେଇ ଉକ୍ତ ଗାଡ଼ିରେ ବସି ବାଲିଯାତ୍ରା ତଳ ପଡ଼ିଆର ବିଭିନ୍ନ ସ୍ଥାନ ବୁଲି ପାରିବେ। ଏଥିପାଇଁ ପ୍ରଥମେ ବିଓଭି ପାଇଁ ଟିକେଟ ମିଳୁଥିବା କେନ୍ଦ୍ରରୁ ଟିକେଟ କିଣିବାକୁ ପଡ଼ିବ। ଟି‌େକଟ ବିକ୍ରି ପାଇଁ ଉପର ପଡ଼ିଆରେ ୩ଟି ଓ ତଳପଡ଼ିଆରେ ୪ଟି ମୋଟ ୭ଟି କେନ୍ଦ୍ର ଖୋଲାଯାଇଛି। ବାଲିଯାତ୍ରା ବୋଇତ ଗେଟ୍‌ ନିକଟରୁ ବ୍ୟାଟେରି ଗାଡିରେ ତଳ ବାଲିଯାତ୍ରା ପଡ଼ିଆକୁ ଯିବାର ବ୍ୟବସ୍ଥା କରାଯାଇଛି। ଶହେ ଟଙ୍କା‌ରେ ଟିକେଟ କିଣି ଥିବା ବ୍ୟକ୍ତି ପଡ଼ିଆରେ ବୁଲୁଥିବା ଯେ କୌଣସି ବ୍ୟାଟେରି ଗାଡ଼ିରେ ୫ ଥର ଚଢି ୫ ଥର ଓହ୍ଲାଇବାର ସୁଯୋଗ ପାଇ ପାରିବେ।

ବାରିପଦାରୁ ସୁଲୋଚନା- ସବାଇ ଘାସରେ କେଟେଲ୍‌, ହଟ୍‌କେସ୍‌, ସବାଇ ଘାସ ଓ ଖଜୁରୀ ପାଲରେ ତିଆରି ହେଉଛି କେଟେଲ୍‌ ଓ ହଟ୍‌କେସ୍‌। ବାରିପଦାର ସୁଲୋଚନା ଦେହୁରୀ ବାଲିଯାତ୍ରା ଓରମାସ୍‌ ଷ୍ଟଲକୁ ନେଇ ଆସିଛନ୍ତି ଏଭଳି ସାମଗ୍ରୀ। କେଟେଲର ଦର ୩ଶହରୁ ସାଢେ ୩ଶହ ଟଙ୍କା ରହିଥିବା ବେଳେ ହଟକେସ ଦର୪୫୦ ଟଙ୍କା ରହିଛି। ବାଲିଯାତ୍ରାକୁ ସୁଲୋଚନା ଦେହୁରୀଙ୍କ ସହିତ ତାଙ୍କର ୨୦ ଜଣିଆ ମହିଳା ଟିମ୍‌ ଆସିଛନ୍ତି। ଏଥର ସେମାନେ ପ୍ରଥମ କରି ବାଲିଯାତ୍ରା ଆସିଥିବା ବେଳେ ଭଲ ବ୍ୟବସାୟ ହେବ ବୋଲି ଆଶା ରଖିଛନ୍ତି।

Sambad

୧୫ ପ୍ରକାର ଗବର୍‌ ଚା’, ଚିକେନ୍‌-ମଟନ୍‌ ସମୋସା- ଶିଖରପୁରର ରଞ୍ଜନ କୁମାର ପରିଡ଼ା ବାଲିଯାତ୍ରାରେ ଖୋଲିଛନ୍ତି ତାଙ୍କର ଗବର ଚା’ ଷ୍ଟଲ୍‌। ତାଙ୍କ ଷ୍ଟଲ୍‌ରେ ରହିଛି ୧୫ ପ୍ରକାରର ଚା’ ଓ କଫି। କଡ଼କ ମସଲା ଚା’, କୁଲଡ଼ ୱାଲି ଚା’, କୁଲଡ଼ ୱାଲି ଜାଗେରି ଚା’, ତନ୍ଦୁରି ମସଲା ଚା’, ତନ୍ଦୁରି ଚକୋଲେଟ ଚା’, ପ୍ଲେନ ଚକୋଲେଟ ଚା’, ଜାଗେରି କଫି, ହଟ କଫି, ହାଜାଲ ନଟ୍‌ କଫି ଇତ୍ୟାଦି ନାମରେ ଏସବୁ ଚା’, କଫି ବିକ୍ରି ହେଉଛି। ଏସବୁ ସହିତ ତାଙ୍କ ଷ୍ଟଲରେ ଚିକେନ ସମୋସା (ଦୁଇ ପିସ୍‌କୁ ୪୦ ଟଙ୍କା), ମଟନ କିମା ସମୋସା (ଦୁଇ ପିସକୁ ୬୦ ଟଙ୍କା) ବି ବିକ୍ରି ହେଉଛି। ସେହିପରି ଚା’ ପତି ୧୦୦ ଗ୍ରାମକୁ ୬୫ ଟଙ୍କାରେ ବିକ୍ରି କରୁଛନ୍ତି। ତାଙ୍କର କଟକର ମହାନଦୀବିହାରରେ ସ୍ଥାୟୀ ଦୋକାନ ଥିଲେ ବି ଏଥର ପ୍ରଥମ ଥର ସେ ବାଲିଯାତ୍ରାରେ ‌ଷ୍ଟଲ୍ ଖୋଲିଛନ୍ତି।

Sambad

ତିଆରି ହେଉଛି ଚାହିଦା ମୁତାବକ ମାଣିଆବନ୍ଧ ଶାଢ଼ି- ମାଣିଆବନ୍ଧ ବୀରବରପୁର ଅଞ୍ଚଳର ସୁଷମା ତୋଷ ଓ  ତାଙ୍କ ଚାରି ଜାଣିଆ ଟିମ୍‌ ବାଲିଯାତ୍ରା ଓରମାସ ଷ୍ଟଲକୁ ନେଇ ଆସିଛନ୍ତି ମାଣିଆବନ୍ଧ ଶାଢ଼ୀ, ଗାମୁଛା, ଡ୍ରେସ, ରୁମାଲ ଇତ୍ୟାଦି। ଗ୍ରାହକଙ୍କ ପସନ୍ଦ ଓ ଅର୍ଡର ଅନୁଯାୟୀ ସେମାନେ ମାଣିଆବନ୍ଧ ଶାଢ଼ୀ ପଡିଆରେ ତିଆରି କରୁଛନ୍ତି। ୬ରୁ ୭ ଦିନ ଭିତରେ ସେମାନେ ଶାଢ଼ୀ ତିଆରି କରି ଯୋଗାଇ ଦେବେ ବୋଲି କହୁଛନ୍ତି। ୨୦୧୯ରେ ସେମାନେ ପ୍ରଥମ କରି ବାଲିଯାତ୍ରା ଆସି ବହୁତ ଭଲ ବେପାର କରିଥିଲେ। ଦୁଇ ବର୍ଷ ବାଲିଯାତ୍ରା ବନ୍ଦ ଥିବାରୁ ଏଥର ଆହୁରି ଭଲ ବେପାର ହେବ ବୋଲି ଆଶା ରଖିଛନ୍ତି ସୁଷମା।

ରାୟଗଡ଼ାରୁ ବାଉଁଶରାଣୀ- ବାଲିଯାତ୍ରାକୁ ଆସିଛନ୍ତି ରାୟଗଡ଼ାରୁ ବାଉଁଶରାଣୀ। ଛୋଟ ପିଲାଟିର ଖେଳକୁ ଲୋକେ ପସନ୍ଦ କରୁଛନ୍ତି ସତ ହେଲେ କୁନି ପିଲାଟି ଏତେ କମ୍ ବୟସରୁ ପେଟପାଟଣା ପାଇଁ ସଂଘର୍ଷ କରିବା ଘଟଣା ଉଦ୍‌ବେଗର ବି କାରଣ ହୋଇଛି।

ସମ୍ବନ୍ଧିତ ଖବର