କଟକ: ଶିଶୁଭବନରେ ଓପିଡି ଟିକଟ୍ ପାଇଁ ଘଣ୍ଟାଘଣ୍ଟା ଧାଡ଼ି ବାନ୍ଧି ଛିଡ଼ା ନହେବା ପାଇଁ ଶିଶୁ ରୋଗୀଙ୍କ ଅଭିଭାବକ ଘରୁ ଅନଲାଇନରେ ଟିକଟ୍ ବୁକିଂ କରିବା ବ୍ୟବସ୍ଥା ହୋଇଥିଲା। କିନ୍ତୁ କର୍ତ୍ତୃପକ୍ଷ ଏଭଳି ଅନଲାଇନ୍ କାର୍ଯ୍ୟକ୍ରମକୁ ଲମ୍ବା ସମୟ ଧରି କାର୍ଯ୍ୟକ୍ଷମ କଲେନାହିଁ। ଯାହାଫଳରେ କେନ୍ଦ୍ର ସରକାରଙ୍କ ଏଭଳି ଡିଜିଟାଲ୍ କାର୍ଯ୍ୟକ୍ରମ ତ୍ବରାନ୍ବିତ ହେବା ପୂର୍ବରୁ ବନ୍ଦ ହୋଇଗଲା। ପୂର୍ବ ଭଳି ଟିକଟ୍ ଅଫଲାଇନରେ କଟାଯିବା ଦ୍ବାରା ଅଯଥାରେ ଟିକଟ୍ ଖଣ୍ଡେ ପାଇଁ ଶିଶୁ ରୋଗୀଙ୍କ ସଂପର୍କୀୟ ଘଣ୍ଟଘଣ୍ଟା ଛିଡ଼ା ହେବା ଭଳି ଅଭାବନୀୟ ପରିସ୍ଥିତି ଶିଶୁଭବନରେ ନିୟମିତ ଦେଖିବାକୁ ମିଳୁଛି। ସୂଚନା ଅନୁଯାୟୀ, ଅନଲାଇନ୍ ରେଜିଷ୍ଟ୍ରେସନ୍ ସିଷ୍ଟମ(ଓଆରଏସ୍) ମାଧ୍ୟମରେ ଶିଶୁଭବନ ଓପିଡି ଟିକଟ୍ ଯୋଗାଇବା ପାଇଁ କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ ଏବଂ ଇନଫରମେସନ୍ ଟେକ୍ନୋଲୋଜି ବିଭାଗ ପକ୍ଷରୁ www.ors.gov.in ଖୋଲାଯାଇଥିଲା। ଏନଆଇସି ପକ୍ଷରୁ ୱେବସାଇଟ୍ କାର୍ଯ୍ୟ ହାତକୁ ନେଇଥିଲା। ଏହି ୱେବସାଇଟରେ ଅଭିଭାବକ ଘରୁ ଅନଲାଇନରେ ଲଗଇନ୍ କରି ଓପିଡି ଟିକଟ୍ ବୁକିଂ କରିବାର ବ୍ୟବସ୍ଥା ରହିଥିଲା। ଗୁଗୁଲ ପ୍ଲେ ଷ୍ଟୋରରୁ ଓଆରଏସ୍ ଆପ୍ଲିକେସନ୍ ଡାଉନଲୋଡ୍ କରି ମୋବାଇଲ୍ ଆପ୍ଲିକେସନରେ ବି ପଞ୍ଜୀକରଣ ବ୍ୟବସ୍ଥା ରହିଥିଲା। ପ୍ରଥମ ଥର ଏହି ୱେବସାଇଟ୍ ପଞ୍ଜୀକରଣ ପାଇଁ ଆଧାର ନମ୍ବର ବାଧ୍ୟତାମୂଳକ ରହିଥିଲା।
ଶିଶୁ ରୋଗୀ କେଉଁ ତାରିଖରେ କେଉଁ ବିଭାଗର ଡାକ୍ତରଙ୍କୁ ଭେଟିବେ ସେ ନେଇ ଏଥିରେ ଉଲ୍ଲେଖ କରିବେ। ଟିକଟ୍ ଅନଲାଇନରେ ପ୍ରସ୍ତୁତ ହେବା ପରେ ଧାର୍ଯ୍ୟ ତାରିଖରେ ଶିଶୁଭବନରେ ଖୋଲିଥିବା ଏକ ସ୍ବତନ୍ତ୍ର ଓଆରଏସ୍ କାଉଣ୍ଟରରେ ଏହାକୁ ଦାଖଲ କରି ବିନା ଧାଡ଼ିରେ ଡାକ୍ତରଙ୍କୁ ଭେଟିବା ଭଳି ବ୍ୟବସ୍ଥା ରହିଥିଲା। ଓପିଡି ଟିକଟ୍ ସହିତ ଶିଶୁଭବନକୁ ଆସିବା ପୂର୍ବରୁ ବ୍ଲଡ ଷ୍ଟୋରେଜ୍ ୟୁନିଟରେ ଗଚ୍ଛିତ ରକ୍ତର ପରିମାଣ ସମ୍ପର୍କରେ ଜାଣିବାର ବ୍ୟବସ୍ଥା ରହିଥିଲା। ଶିଶୁଭବନର ତତ୍କାଳୀନ ଡାକ୍ତର ପ୍ରଫେସର ସରୋଜ ଶତପଥୀଙ୍କ ସମୟରେ ୨୦୧୬ରେ ଏଭଳି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଦୁଇ ଜଣ ରୋଗୀ ଅନଲାଇନରେ ଟିକଟ୍ ବୁକିଂ କରି ଶିଶୁଭବନକୁ ଆସିଥିଲେ। କିନ୍ତୁ ପରେ ଏହି ବ୍ୟବସ୍ଥା ଶିଶୁଭବନ ପକ୍ଷରୁ ବନ୍ଦ କରି ଦିଆଗଲା। ଆଉଟଡୋରରେ ସ୍ବତନ୍ତ୍ର ଓଆରଏସ୍ କାଉଣ୍ଟର ଖୋଲାଗଲା ନାହିଁ। ଆଉଟଡୋରକୁ ଇଣ୍ଟରନେଟ୍ ସେବା ଯୋଗାଇ ଦିଆଗଲା ନାହିଁ। ତେଣୁ ଏହି କାର୍ଯ୍ୟକ୍ରମ ଆଗକୁ ଯାଇପାରିଲା ନାହିଁ। ଶିଶୁଭବନ ଓପିଡି ତଥ୍ୟ ଅନୁଯାୟୀ, ଦୈନିକ ୫୦୦ରୁ ୬୦୦ ରୋଗୀ ଓପିଡିକୁ ଆସୁଛନ୍ତି। ଏମାନେ ଜାପାନ୍ କୋଠା ବାହାରେ ଶିଶୁ ରୋଗୀଙ୍କୁ ଧରି ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ାହେବାକୁ ପଡ଼ୁଛି। ଯେଉଁ ଲକ୍ଷ୍ୟ ନେଇ ଅନଲାଇନ୍ ବ୍ୟବସ୍ଥା ଆରମ୍ଭ ହୋଇଥିଲା, ଏହାର ସୁଫଳ ମିଳିପାରିଲା ନାହିଁ।