ବହୁଚର୍ଚ୍ଚିତ ଦୀପ୍ତିକାନ୍ତ ହତ୍ୟାକାଣ୍ତ ଘଟଣା; ‘ସିବିଆଇ ତଦନ୍ତ କଲେ ମୋ ଭାଇକୁ ନ୍ୟାୟ ମିଳିବ’

ମାହାଙ୍ଗା: ମାହାଙ୍ଗା ଥାନା ବାଜପୁରା ଗ୍ରାମର ବହୁଚର୍ଚ୍ଚିତ ଦୀପ୍ତିକାନ୍ତ ସାହୁଙ୍କ ହତ୍ୟାକାଣ୍ତ ଘଟଣାର ସିବଆଇ ତଦନ୍ତ ପାଇଁ ପରିବାର ଲୋକେ ଦାବି କରିଛନ୍ତି। ଦୀପ୍ତିକାନ୍ତଙ୍କ ଭାଇ ଦିଲ୍ଲୀପ ଏକ ସାମ୍ବାଦିକ ସମ୍ମିଳନୀ କରି ସିବିଆଇ ତଦନ୍ତ ବିନା ତାଙ୍କ ଭାଇଙ୍କୁ ନ୍ୟାୟ ମିଳି ପାରିବନି ବୋଲି କହିଛନ୍ତି। ଅଭିଯୋଗ ମୁତାବକ, ୨୦୧୪ ମସିହା ଫେବ୍ରୁଆରି ୨୮ ତାରିଖ ଦିନ ବାଜପୁରା ଗ୍ରାମର ଦୀପ୍ତିକାନ୍ତ ସାହୁଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏ ନେଇ ମୃତ ଦୀପ୍ତିକାନ୍ତଙ୍କ ଭାଉଜ ଅନ୍ନପୂର୍ଣ୍ଣା ମାହାଙ୍ଗା ଥାନାରେ ଅଭିଯୋଗ କରିଥିଲେ। ମାହାଙ୍ଗା ଥାନା ପକ୍ଷରୁ ଅଭିଯୋଗ ଉପରେ ଏକ ମକଦ୍ଦମା ରୁଜୁ କରାଯାଇଥିଲା। ଏହା ପରେ ମଧ୍ୟ ହତ୍ୟାକାରୀମାନେ ତାଙ୍କ ଘରକୁ ପୋଡ଼ି ଦେଇଥିଲେ। ମାହାଙ୍ଗା ପୁଲିସ ରାଜନୈତିକ ଚାପରେ ମାମଲାର ରଫାଦଫା କରି ଦେଇଥିଲା ବୋଲି ଦିଲ୍ଲୀପ ଅଭିଯୋଗ କରିବା ସହ ପୁଲିସ ଠିକ୍‌ରେ ତଦନ୍ତ ନ କରିବାରୁ ତା ପରିବାରକୁ ନ୍ୟାୟ ମିଳି ପାରିଲା ନାହିଁ ବୋଲି କହିଛନ୍ତି।

ସବୁଆଡ଼ୁ ନିରାଶ ହେବା ପରେ ଦୀପ୍ତିକାନ୍ତଙ୍କ ପରିବାର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ, କେନ୍ଦ୍ର ମାନବ ଅଧିକାର କମିସନର, ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି, ସିବିଆଇ ନିର୍ଦ୍ଦେଶକ, ଓଡ଼ିଶା ହାଇକୋର୍ଟ ମୁଖ୍ୟବିଚାରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ପ୍ରମୁଖଙ୍କୁ ଅଭିଯୋଗ କରିଥିଲେ। ଦାବିପତ୍ର ପାଇବା ପରେ ରାଜ୍ୟପାଳ ଏ ନେଇ ଗୃହ ସଚିବଙ୍କୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ତେବେ ଏଯାବତ୍‌ ତା’ର କିଛି ସୁଫଳ ମିଳି ପାରି ନାହିଁ। ଶେଷରେ ନ୍ୟାୟ ପାଇଁ ଦୀପ୍ତିକାନ୍ତଙ୍କ ଭାଇ ଦିଲ୍ଲୀପ ଆଜି କୁଆଁପାଳସ୍ଥିତ ବଣୁଆ ମହାପୁରୁଷ ପୀଠରେ ଏକ ସାମ୍ବାଦିକ ସମ୍ମିଳନୀ କରି ସିବିଆଇ ତଦନ୍ତ ଦାବି କରିଛନ୍ତି। ଏଥି ନମିନ୍ତେ ସେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଆକୁଳ ନିବେଦନ କରି ପତ୍ର ଲେଖିଥିବା ବେଳେ ଆବଶ୍ୟକ ହେଲେ ସେମାନଙ୍କୁ ଭେଟିବାକୁ ଯିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର