ବୋର୍ଡ ସ୍କୁଲ ଓ ରାମକୃଷ୍ଣ କୁଟୀର ମୋ’ ପାଇଁ ମନ୍ଦିର
କଟକ: ଆଇଓସିଏଲର ମାନବସମ୍ବଳ ନିର୍ଦେଶକ ରଞ୍ଜନ କୁମାର ମହାପାତ୍ର। ଇଂଜିନିୟରିଂ ଓ ମ୍ୟାନେଜମେଣ୍ଟ ପରେ ଏହି ଉଚ୍ଚପଦବିରେ ଆସିନ ଶ୍ରୀ ମହାପାତ୍ର ହେଉଛନ୍ତି କଟକର ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ୧୯୭୮ ବ୍ୟାଚ୍ର ଛାତ୍ର। ଦିଲ୍ଲୀରେ ଅବସ୍ଥାପିତ ଶ୍ରୀ ମହାପାତ୍ର ଆଜି ସପତ୍ନୀକ ସ୍କୁଲକୁ ଆସି ଏକ ବଂଧୁମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ସ୍କୁଲ ଓ ସ୍କୁଲରେ ପଢିବା ବେଳେ ସେ ରହୁଥିବା ବଙ୍ଗାଳି ସାହିର ରାମକୃଷ୍ଣ କୁଟୀର ସଂପର୍କରେ ଉଲ୍ଲେଖ କରିବା ସହିତ ଆଇଓସିଏଲ୍ରେ ଓଡ଼ିଆ ଯୁବକଯୁବତୀଙ୍କ ପାଇଁ ରହିଥିବା ସୁଯୋଗ ସମ୍ଭାବନା ସଂପର୍କରେ ମଧ୍ୟ ମତ ରଖିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଶ୍ନ: ବହୁ ବର୍ଷ ପରେ ସ୍କୁଲ ପରିଦର୍ଶନ କଲେ, କେମିତି ଲାଗିଲା?
ଉତ୍ତର: ‘ନୋଷ୍ଟାଲଜିକ୍’ ଗୋଟେ ଶବ୍ଦ ହିଁ ଏହାର ପ୍ରକୃତ ଉତ୍ତର ରହିବ। ୪୪ ବର୍ଷ ପରେ ସ୍କୁଲ ବୁଲି ଦେଖିଲି। ପୁରୁଣା କଥା ସବୁ ମନେ ପଡିଗଲା। ବହୁତ ଖୁସି ଅନୁଭବ ହେଉଛି ଏଠାକୁ ଆସି। ହେଲେ ସ୍କୁଲର ବର୍ତ୍ତମାନର ଅବସ୍ଥା ଦେଖି ଚିନ୍ତିତ ଲାଗୁଛି ଯେ ଆମ ସ୍କୁଲ ଆଗକୁ ଏକ ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା ଥିବା ସ୍କୁଲରେ ନିଜକୁ ବଜାୟ ରଖିପାରିବ ପାରିବ କି ନାହିଁ?
ପ୍ରଶ୍ନ: ଆପଣ ରାମକୃଷ୍ଣ କୁଟୀରରେ ରହୁଥିଲେ। ବୋର୍ଡ ସ୍କୁଲ ଓ ରାମକୃଷ୍ଣ କୁଟୀରର ପୁରାତନ ଛାତ୍ର ଭାବେ ଏହାର ବିକାଶ ପାଇଁ କିଛି ଚିନ୍ତା କରିଛନ୍ତି?
ଉତ୍ତର: ଏହି ଦୁଇଟି ଜାଗା ମୋ ପାଇଁ ମନ୍ଦିର। ଏହା ମୋତେ ଗଢ଼ିଛି। ଏହି ଦୁଇଟି ଜାଗାର ମୋ ଜୀବନରେ ଭୂମିକା ବହୁତ ଗୁରୁତ୍ବପୂର୍ଣ୍ଣ। ଏହି ଦୁଇଟି ଜାଗା ଯେପରି ତାର ପୁରୁଣା ମାନ ଫେରିପାଇବ ସେଥିପାଇଁ ରାମକୃଷ୍ଣ କଟେଜ ଓ ବୋର୍ଡ଼ ସ୍କୁଲର ପୁରାତନ ଛାତ୍ର ଭାବେ ଏହାର ସସମ୍ତ କାର୍ଯ୍ୟରେ ନିଶ୍ଚିତ ଭାବେ ମୋର ଯୋଗଦାନ ରହିବ। ଏହାର ବିକାଶ ପାଇଁ ମୁଁ ସମସ୍ତ ସହଯୋଗ କରିବି।
ପ୍ରଶ୍ନ: କଟକ ସହର ସହିତ ଥିବା ସ୍ମୃତି କେବେ ମନେ ପଡେ?
ଉତ୍ତର: ବହୁ ସ୍ମୃତି ରହିଛି କଟକ ସହରକୁ ନେଇ। କଟକ ମାଟିର ବାସ୍ନା ସମ୍ପୂର୍ଣ୍ଣ ଅଲଗା। ଏଇ ସହର ମୋତେ ଗଢ଼ିଛି। ଯୋବ୍ରା ଆନିକଟ, ଦହିବରା ଆଳୁଦମ, ହିନ୍ଦ ସିନେମା ହଲ ଭଳି ସବୁ ଜାଗାରେ ରହିଛି ମୋର ସ୍ମୃତି। କଟକ ସହରକୁ କେବେ ଭୁଲିନି କି ଭୁଲି ପାରିବି ନାହିଁ।
ପ୍ରଶ୍ନ: ଆଇଓସିଏଲ୍ର ସିଏସ୍ଆର ଯୋଜନାରେ ଓଡିଶା, ବିଶେଷ କରି କଟକ ପାଇଁ କିଛି ଯୋଜନା ରହିଛି?
ଉତ୍ତର: ଆଇଓସିଏଲ ଏକ ସର୍ବଭାରତୀୟ ସଂସ୍ଥା। ସାରା ଭାରତରେ ସଂସ୍ଥାର ସିଏସଆର ଯୋଜନାରେ କାମ ହେଉଛି। ଅସହାୟ ଲୋକଙ୍କ ପାଖେ ଆମେ ପହଞ୍ଚିବାକୁ ସବୁବେଳେ ଚେଷ୍ଟା କରୁଛୁ। ପାରାଦ୍ୱୀପ ଓ ଜଗତସିଂହପୁର ଅଞ୍ଚଳରେ ସିଏସଆର ଓ ସିଇଆର ମିଳିତ ଭାବେ ବହୁତ ଉନ୍ନତିମୂଳକ କାର୍ଯ୍ୟ କରିଛି ଓ ଆଗାମୀଦିନରେ ବହୁତ କାର୍ଯ୍ୟ ଯୋଜନାରେ ରହିଛି। କଟକରେ ଥିବା ସର୍ବପୁରାତନ ରାମକୃଷ୍ଣ କୁଟୀର ଓ ବୋର୍ଡ଼ ସ୍କୁଲ ପାଇଁ ଏବେ ଯୋଜନା କରାଯାଉଛି।
ପ୍ରଶ୍ନ: ଆଇଓସିଏଲ ଓଡ଼ିଶାରେ କି ପ୍ରକାର ଉନ୍ନତିମୂଳକ କାର୍ଯ୍ୟ କରିଛି?
ଉତ୍ତର: ପାରାଦ୍ୱୀପ ରିଫାଇନାରୀ ଭଳି ଏକ ରିଫାଇନାରୀ ଆମ ପାଖରେ ରହିଛି। ଆମେ ସବୁବେଳେ ଉଦ୍ୟମ କରୁଛି ଭଳି କି ଭଳି କାମ କରିବା ପାଇଁ। କେବଳ ରିଫାଇନାରୀ ନୁହେଁ ଏହାସହ ଟେକ୍ସଟାଇଲ ପାର୍କ, ପ୍ଲାଷ୍ଟିକ ପାର୍କ ଭଳି ସମସ୍ତ ଯୋଜନା ପାଇଁ ଏବେ ଓଡ଼ିଶା ଫୋକସରେ ରହିଛି। ପାରାଦ୍ୱୀପ ରିଫାଇନାରୀ ସବୁଠୁ ଅତ୍ୟାଧୁନିକ ରିଫାଇନାରୀ। ଶ୍ରୀଲଙ୍କାର ଦୁର୍ଦିନ ସମୟରେ ଆଇଓସିଏଲ ପକ୍ଷରୁ ସମସ୍ତ ସାହାଯ୍ୟ କରାଯାଇଛି। ଆଇଓସିଏଲ୍ ପାଇଁ ଓଡ଼ିଶାର ସ୍ଥାନ ସମ୍ପୂର୍ଣ୍ଣ ଅଲଗା ରହିଛି।
ପ୍ରଶ୍ନ: ଆଇଓସିଏଲ୍ରେ କିନ୍ତୁ ଓଡ଼ିଆ ଯୁବକଯୁବତୀଙ୍କୁ କମ୍ ସୁଯୋଗ ମିଳୁଥିବା ଅଭିଯୋଗ ହୁଏ?
ଉତ୍ତର: ଏହା ସମ୍ପୂର୍ଣ୍ଣ ଭାବେ ଭୁଲ ଧାରଣା। ଭାରତ ବର୍ଷର ଯେ କୌଣସି ସ୍ଥାନରେ ଥିବା ଲୋକେ ଏଥିପାଇଁ ଆବେଦନ କରିପାରିବେ। ଓଡ଼ିଆଙ୍କୁ ପ୍ରାଧାନ୍ୟ ମିଳୁ ନାହିଁ ବୋଲି କହିବା ସମ୍ପୂର୍ଣ୍ଣ ଭାବେ ଭୁଲ ହେବ। ମୁଁ ନିଜେ ଓଡ଼ିଆ ହୋଇ ସେଠାରେ କାମ କରୁଛି। ମୋ ପୂର୍ବରୁ ଇଣ୍ଡିଆନ ଅଏଲର ଅଧ୍ୟକ୍ଷ ଥିଲେ ସାର୍ଥକ ବେଉରିଆ। ସେ ମଧ୍ୟ ଓଡ଼ିଆ। କେବଳ ଉଚ୍ଚ ପଦବିରେ ନୁହେଁ, କଂପାନିର କର୍ମଚାରୀଙ୍କ ମଧ୍ୟରେ ବହୁ ଓଡ଼ିଆ ରହିଛନ୍ତି। ଯେହେତୁ ଏହା ଏକ ସର୍ବଭାରତୀୟ ସଂସ୍ଥା, କୌଣସି ଗୋଟିଏ ଅଞ୍ଚଳରେ ଏହାର ନିଯୁକ୍ତି ପକ୍ରିୟା ସୀମିତ ରହି ପାରିବନି। ସମସ୍ତେ ଏଥିରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ। ଏବଂ ଯୋଗ୍ୟ ଆବେଦନକାରୀଙ୍କୁ ନିଯୁକ୍ତ ଦିଆଯିବ।
ପ୍ରଶ୍ନ: ବସ୍ତି ବାସିନ୍ଦାଙ୍କ ପାଇଁ ଆଇଓସିଏଲର କଣ ଯୋଜନା ରହିଛି?
ଉତ୍ତର: ସିଏସଆର ଯୋଜନାରେ ସମସ୍ତ ସୁବିଧା କରାଯାଇଛି। ଗତବର୍ଷ ୪ ଶହ କୋଟି ବ୍ୟୟରେ ସେମାନଙ୍କ ସ୍ବାସ୍ଥ୍ୟ ସୁବିଧା ଓ ପୃଷ୍ଟିକର ଖାଦ୍ୟ ପାଇଁ ବହୁ କାମ କରାଯାଇଛି। କେବଳ ବସ୍ତି ବାସିନ୍ଦା ନୁହେଁ ଅସହାୟ ବ୍ୟକ୍ତିଙ୍କ ପାଇଁ ମଧ୍ୟ ଅନେକ କାର୍ଯ୍ୟ କରାଯାଉଛି।
ପ୍ରଶ୍ନ: ସମାଜର ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ ଆଇଓସିଏଲ କି ପ୍ରକାର ବ୍ୟବସ୍ଥା ବା ସାହାଯ୍ୟ କରୁଛି?
ଉତ୍ତର: ଇଣ୍ତିଆନ ଅଏଲ ବୃତ୍ତି ପରୀକ୍ଷା କରାଯାଉଛି। ‘ଇଣ୍ତିଆନ ଅଏଲ ବିଦୁଷି’ର ନଏଡ଼ା, ପାଟନା, ଭୁବନେଶ୍ବର ଜୟପୁରରେ ୪ଟି ସେଣ୍ଟର ରହିଛି। ଯେଉଁଥିରେ ଦେଶର ଗରିବ ଝିଅ ମାନଙ୍କୁ ନିଆଯାଇ ସେମାନଙ୍କୁ ଏନଆଇଟି, ଆଇଆଇଟି ପାଇଁ ପ୍ରଶିକ୍ଷଣ ଦିଆଯାଉଛି। ଯେଉଁଥିରେ ଗତବର୍ଷ ୯୦ ଛାତ୍ରୀ ଆଡଭାନ୍ସ ଜେଇଇ କ୍ଲିଅର କରି ୪୯ ଛାତ୍ରୀ ଆଇଆଇଟି ଓ ୪୨ ଏନଆଇଟି ଯାଇଛନ୍ତି। ଏହାସହ ସେମାନଙ୍କୁ ସ୍କଲାରସିପ୍ ପାଞ୍ଚ ବର୍ଷ ପାଇଁ ଦିଆଯାଉଛି।