୧୭ ପର୍ଯ୍ୟନ୍ତ କଟକ ଜିଲ୍ଲା ଅଦାଲତ ଓ ଏସଡିଜେଏମ୍ କମ୍ପ୍ଲେକ୍ସ ସଟଡାଉନ

କଟକ: କଟକ ଜିଲ୍ଲା ଅଦାଲତ ଓ ପରିସରରେ ଥିବା ଅନ୍ୟ ସମସ୍ତ ଅଦାଲତ ଜାନୁଆରି ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ରାଜ୍ୟରେ କରୋନା ସଂକ୍ରମଣ ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇବା ସହିତ ଅଦାଲତର ବହୁ କର୍ମଚାରୀ କରୋନା ଆକ୍ରାନ୍ତ ହେବା ଘଟଣାକୁ ବିଚାରକୁ ନିଆଯାଇ ଜିଲ୍ଲା ଅଦାଲତ ପକ୍ଷରୁ ଏପରି ବିଜ୍ଞପ୍ତି ପ୍ରକାଶ ପାଇଛି। ଜାନୁଆରି ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ଅଦାଲତ କମ୍ପ୍ଲେକ୍ସ ଓ ଏସଡି‌େଜଏମ୍ ଅଦାଲତ କମ୍ପ୍ଲେକ୍ସକୁ ସମ୍ପୂର୍ଣ୍ଣ ଭାବେ ସଟଡାଉନ କରାଯାଇଛି। କଟକ ମୁଖ୍ୟାଳୟରେ କୋର୍ଟ ଓ ଏହାର କାର୍ଯ୍ୟାଳୟରେ ଜାନୁଆରି ୧୮ରୁ ସ୍ବାଭାବିକ କାର୍ଯ୍ୟ ଆରମ୍ଭ ହେବ। କୋର୍ଟ କମ୍ପ୍ଲେକ୍ସକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ସିଏମସି ପକ୍ଷରୁ ‌ଗତ ୧୩ ତାରିଖରେ ଘୋଷଣା କରାଯିବା ପରେ ଜିଲ୍ଲା ଅଦାଲତ ପକ୍ଷରୁ ଆଜି ଏପରି ବିଜ୍ଞପ୍ତି ପ୍ରକାଶ ପାଇଛି। ଜିଲ୍ଲା ଅଦାଲତ ପରିସର ସଂଲଗ୍ନ କଟକ ବାର୍ ଆସୋସିଏସନ କୋଠା କଣ୍ଟେନମେଣ୍ଟ ଜୋନ୍ ପରିସର‌ ଅନ୍ତଭୁର୍କ୍ତ ହୋଇଥିବାରୁ ଏହାକୁ ମଧ୍ୟ ସଟଡାଉନ ଘୋଷଣା କରାଯାଇଛି।

ଜିଲ୍ଲା ଅଦାଲତ ଫାଟକ ସହିତ କଟକ ବାର୍ ଆସୋସିଏସନ୍ ସଂଯୋଗ ରାସ୍ତାର ଫାଟକକୁ ସିଲ୍ କରାଯାଇଛି। କରୋନା ମୁକାବିଲା ପାଇଁ ଏପରି ଘୋଷଣା କରାଯାଇଥିବାରୁ ଏଥିରେ ସହଯୋଗ କରି ଆଇନଜୀବୀ ମାନେ ବାର୍ ଆସୋସିଏସନ କକ୍ଷକୁ ନ ଆସିବାକୁ କଟକ ବାର୍ ଆସୋସିଏସନ୍ ସମ୍ପାଦକ ବିଶ୍ବଜିତ ମହାପାତ୍ର ଅନୁରୋଧ କରିଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସିଭିଲ କୋର୍ଟ କମ୍ପ୍ଲେକ୍ସରେ ୩୯ଜଣ କରୋନା ପଜିଟିଭ ଚିହ୍ନଟ ହେବା ନେଇ ସିଏମସି ନିକଟରେ ସୂଚନା ପହଞ୍ଚିଥିଲା। ଏହାପରେ କୋର୍ଟ କମ୍ପ୍ଲେକ୍ସକୁ  କଣ୍ଟେନମେଣ୍ଟ ଜୋନ ଭାବେ ସିଏମସି କମିସନର ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର