କଟକ ମହାନଗର ନିଗମ କାଉନସିଲ ବୈଠକରେ ହୋ’ହଲ୍ଲା, ଧାରଣା

ଅଡିଓ, ରାସ୍ତାଘାଟ, ମଶାତେଲକୁ ନେଇ ହଟଚମଟ, କେମିତି ସୁଧୁରିବ ରାସ୍ତା, ଆଲୋକ, ପାଣି, ପରିମଳ?

କଟକ: କଟକ ପୌର ନିଗମର କାଉନସିଲ ବୈଠକରେ ଆଜି ହୋ’ହଲ୍ଲା, ଧାରଣା, କଥା କଟାକଟିକୁ ନେଇ ସରଗରମ ପରିବେଶ ସୃଷ୍ଟି ହୋଇଛି।
ବିଜୁ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟତଃ ୪ଟି ପ୍ରସଙ୍ଗକୁ ନେଇ ବିରୋଧୀ କର୍ପୋରେଟରମାନେ ସ୍ବର ଉଠାଇ ଥିବାବେଳେ ତାହାକୁ ନେଇ ପାଟିତୁଣ୍ଡ ଆରମ୍ଭ ହୋଇଯାଇଥିଲା। ୪୬ ନମ୍ବର ୱାର୍ଡ କର୍ପୋରେଟରଙ୍କ ଧମକପୂର୍ଣ୍ଣ ଅଡିଓ ଭାଇରାଲ୍ ଘଟଣା, ରାସ୍ତାଘାଟ ଶୋଚନୀୟ ବେଳେ ମେୟରଙ୍କ ନୂଆ କ୍ବାର୍ଟର୍ସ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବା, ଜିଲ୍ଲା ପ୍ରଶାସନ ପୂଜା ପ୍ରସ୍ତୁତି ବୈଠକକୁ କର୍ପୋରେଟର ମାନଙ୍କୁ ଡକା ନଯିବା ଏବଂ ମଶା ତେଲ ପ୍ରସଙ୍ଗକୁ ନେଇ ବିରୋଧୀ ଦଳର କର୍ପୋରେଟରମାନେ ପାଟିତୁଣ୍ଡ କରିବା ସହିତ ଧାରଣା ଦେଇଥିଲେ। ବିଜେପି କର୍ପୋରେଟରମାନେ ଗୃହ ମଝିରେ ବସି କଳା ପତାକା ଦେଖାଇଥିଲେ। ସେମାନଙ୍କ ସହିତ ପ୍ରାରମ୍ଭିକ ସ୍ତରରେ ମେୟର ଓ ଶାସକ ଦଳ କର୍ପୋରେଟରଙ୍କର କଥା କଟାକଟି ହୋଇଥିଲେ ବି ପରେ ମେୟର ଓ ଶାସକ ଦଳ କର୍ପୋରେଟରମାନେ ସେମାନଙ୍କୁ ବୁଝାସୁଝା କରି ପରିବେଶକୁ ସ୍ବାଭାବିକ କରିବାକୁ ଉଦ୍ୟମ କରିଥିଲେ।

ମେୟର ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡେପୁଟି ମେୟର ଦମୟନ୍ତୀ ମାଝି, କମିସନର ନିଖିଲ ପୱନ୍‌ କଲ୍ୟାଣ୍‌ ଓ ଅନ୍ୟ ଅଧିକାରୀମାନେ ବି ଉପସ୍ଥିତ ଥିଲେ। ବୈଠକରେ ଏଭଳି ପାଟିତୁଣ୍ଡ ଭିତରେ ଦଶହରା ପୂର୍ବରୁ ସହରର ରାସ୍ତା ମରାମତି, ଆଲୋକ, ପାଣି, ‌ସ୍ଲାବ୍‌, ବୁଲାପଶୁ, ମଣ୍ଡପ ନିକଟରେ ଡଷ୍ଟବିନ୍‌ ରଖିବା, ଦୁଇ ଓଳି ସଫେଇ ‌େ‌ହବା, ହରିଶ୍ଚନ୍ଦ୍ର ଯୋଜନାରେ ହିତାଧିକାରୀଙ୍କୁ ଶୀଘ୍ର ଟଙ୍କା ମଳିବା ପରି ଅନେକ ଗୁରୁତ୍ବପୂର୍ଣ୍ଣ ‌ବିଷୟ ଆଲୋଚନା ହୋଇଥିଲା। ପୂଜା ପୂର୍ବରୁ ସହରରେ ଜାଇକା ରାସ୍ତା ମରାମତି କରିବାକୁ ନେଇ ଏକ ସପ୍ତାହ ମଧ୍ୟରେ ସମସ୍ତ କର୍ପୋରେଟର ଓ ଜାଇକା ଅଧିକାରୀଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ବୈଠକ ଡାକିବାକୁ କ‌ର୍ପୋରେଟର ମାନେ ଦାବି କରିଥିଲେ। କିନ୍ତୁ, ଦଶହରାକୁ ଆଉ ମାତ୍ର ୧୫ ଦିନ ଥିବାବେଳେ ଏସବୁ କିଭଳି ସମ୍ଭବ ହେବ, ତାହାକୁ ନେଇ ବିଭିନ୍ନ ମହଲରେ ଆଶଙ୍କା ପ୍ରକାଶ ପାଇଛି। କିନ୍ତୁ ପ୍ରତି ୱାର୍ଡର ଆବଶ୍ୟକତାକୁ ଦେଖି ଚଳିତ ବର୍ଷ ଦଶହରାରେ ପଟ୍‌ହୋଲ କାମ କରାଯିବ ବୋଲି ବୈଠକରେ କମିସନର ସୂଚନା ଦେଇଥିଲେ। ୱାର୍ଡରେ କେଉଁ କାମ ଅଧିକ ଗୁରୁତ୍ବ ବହନ କରୁଛି ତାର ଚିଠା ପ୍ରସ୍ତୁତ କରାଯାଇ କାମ ହେବ ବୋଲି ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି।

ବିଜେପି କର୍ପୋରେଟର ଦୀପକ କୁମାର ଦାସ, ଗଗନ ଓଝା, ଗୋପାଳ ବେହେରା, ମମତା ମହାନ୍ତି, ଲିପସା ନାୟକ ପ୍ରମୁଖ ବିଭିନ୍ନ ପ୍ରସଙ୍ଗ ଉଠାଇ ପ୍ରତିବାଦ ସ୍ବରୂପ ଧାରଣା ଦେଇଥିଲେ। ଅନ୍ୟପଟେ ବୈଠକରେ କଟକ ସାଂସଦଙ୍କ ପ୍ରତିନିଧି ଚିରଞ୍ଜୟ ସାହୁ ପୂଜା ପୂର୍ବରୁ ସହରର ସମସ୍ତ ପ୍ରବେଶ ପଥର ମରାମତି କରିବା ସହ ପାର୍କ ଗୁଡିକୁ ସୁନ୍ଦର କରିବାକୁ ପ୍ରସ୍ତାବ ରଖିଥିଲେ। ସେହିପରି ବାରବାଟୀ ବିଧାୟକଙ୍କ ପ୍ରତିନିଧି କେଦାର ପୃଷ୍ଟି ନିଗମକୁ ଅସ୍ଥାୟୀ କର୍ମଚାରୀ ଯୋଗାଉଥିବା ଆଉଟ୍‌ସୋର୍ସିଂ ସଂସ୍ଥା ଚୟନ ପାଇଁ ୨୦୨୨ରେ ହୋଇଥିବା ଟେଣ୍ଡରକୁ ବାତିଲ ନକରି ଏହାକୁ କାର୍ଯ୍ୟକ୍ଷମ କରିବାକୁ କହିଥିଲେ। ଚୌଦ୍ବାର ବିଧାୟକଙ୍କ ପ୍ରତିନିଧି ରମାକାନ୍ତ ଲେଙ୍କା ଓ ସଦର ବିଧାୟକଙ୍କ ପ୍ରତିନିଧି ମନୋରଂଜନ ମହାପାତ୍ର ଦଶହରା ପୂର୍ବରୁ ସହରର ରାସ୍ତା, ଆଲୋକ, ପାଣି, ପରିମଳ ଆଦି ବିଷୟକୁ ସୁବ୍ୟବସ୍ଥିତ କରିବାକୁ ପ୍ରସ୍ତାବ ଦେଇଥିଲେ।

ବିଜେଡି ଭିତରେ ଅନ୍ତର୍ଦ୍ବନ୍ଦ୍ବ, ଅସନ୍ତୋ‌ଷ
ଦେବାଶିଷଙ୍କ ଘରେ ତାଳିପକା ବୈଠକ

କଟକ: କଟକ ପୌର ନିଗମ କାଉନସିଲ୍ ଗଠନ ପରଠାରୁ ଧୀରେ ଧୀରେ ବିଜେଡି ଭିତରେ ଅସନ୍ତୋଷ ବଢୁଛି। ନେତା, ବିଧାୟକ, ମେୟର, କର୍ପୋରେଟର ଆଉ କର୍ମୀଙ୍କ ମଧ୍ୟରେ ଅନ୍ତର୍ଦ୍ବନ୍ଦ୍ବ ବଢୁଛି। ପରସ୍ପର ମଧ୍ୟରେ ତାଳମେଳ ରହୁନି। ଧୀରେ ଧୀରେ ସ୍ଥିତି ବିସ୍ଫୋରକ ରୂପ ନେବାକୁ ଯାଉଥିବା ବେଳେ ଏଥିରେ ହସ୍ତକ୍ଷେପ କରିଛନ୍ତି ରାଜ୍ୟ ନେତୃତ୍ବ। ସମସ୍ତଙ୍କୁ ଏକ ପ୍ରକାର ନିର୍ଦ୍ଦେଶ ଦିଆଯାଇଛି, ମିଳିମିଶି କାମ କରିବାକୁ। ପରସ୍ପରକୁ ସହଯୋଗ କରିବାକୁ। ନିର୍ବାଚନ ଆସୁଛି, ନହେଲେ ସ୍ଥିତି ବିଗିଡ଼ିଯିବ।

ହସ୍ତଗତ ସୂଚନା ଅନୁସାରେ, ଆଜି ସିଏମ୍‌ସି କାଉନସିଲ୍ ବୈଠକ ବସିବାକୁ ଥିବାବେଳେ ଦଳର କର୍ପୋରେଟରମାନେ ବୈଠକରେ ନିଜର ଅସନ୍ତୋଷ ବ୍ୟକ୍ତ କରିବା ପୂର୍ବରୁ ଗତକାଲି ନେତୃବୃନ୍ଦ ତ୍ବରାନ୍ବିତ ପଦକ୍ଷେପ ନେଇ ସ୍ଥିତି ସମ୍ଭାଳିବାକୁ ଉଦ୍ୟମ କରିଥିଲେ। ଦଶହରା ସମୟରେ କର୍ପୋରେଟରମାନଙ୍କ ମତ ଅନୁଯାୟୀ କାମ କରିବାକୁ ନିର୍ଦ୍ଦେଶ ଦେବାପାଇଁ ଗତକାଲି ରାତିରେ ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟଙ୍କ ଘରେ ବୈଠକ ବସିଥିଲା।

ସେଥିରେ ବିଜେଡି କର୍ପୋରେଟର ମାନଙ୍କ ସହିତ ମେୟର ସୁବାସ ସିଂହ ବି ଯୋଗ ଦେଇଥିଲେ। ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳ, ସଦର ବିଧାୟକ ଚନ୍ଦ୍ରସାରଥି ବେହେରାଙ୍କ ସହିତ ବି ଆଲୋଚନା କରାଯାଇଥିଲା। ଦଶହରା ସମୟରେ ପୂର୍ବରୁ କର୍ପୋରେଟର ମାନଙ୍କ ଜରିଆରେ ଯେଉଁଭଳି କାମ କରାଯାଉଥିଲା, ତାହା ସେମାନଙ୍କ ହାତରୁ ଯେଭଳି ଛଡ଼ାଇ ନିଆ ନଯାଏ ସେ ଦିଗରେ ପଦକ୍ଷେପ ନେବାକୁ ମେୟରଙ୍କୁ କୁହାଯାଇଥିଲା। ନେତା, ବିଧାୟକ, ମେୟର, କର୍ପୋରେଟର ସମସ୍ତେ ସହଯୋଗରେ କାମ କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଅବଶ୍ୟ ସେହି ବୈଠକର ନିଷ୍ପତ୍ତି ଅନୁଯାୟୀ ଆଜି କାଉନସିଲ୍ ବୈଠକରେ ବିଜେଡି କର୍ପୋରେଟରମାନେ ମେୟରଙ୍କ ସହ ରହିଛନ୍ତି ବୋଲି ନିଜ ଆଚରଣରେ ଦେଖାଇଥିଲେ। କିନ୍ତୁ ଆଗକୁ ବାସ୍ତବରେ ଏହା କିଭଳି ବଜାୟ ରହିବ, ତାହାକୁ ନେଇ ଦଳ ଭିତରେ ଏବେ ବି ଦ୍ବନ୍ଦ୍ବ ରହିଛି।

ସମ୍ବନ୍ଧିତ ଖବର