କଟକ: ପ୍ରଥମ ପର୍ଯ୍ୟାୟ ସମବାୟ ନିର୍ବାଚନରେ ସ୍ବୟଂଶ୍ରୀ ମହିଳା ସମବାୟ ସମିତିର ୯ଟି ଜୋନ୍ ପାଇଁ ରବିବାର କଲେଜଛକ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି। ନିର୍ବାଚନ ଆରମ୍ଭରୁ କିଛି ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ହୋ-ହାଲା କରି ଘଟଣାସ୍ଥଳରେ ପ୍ରବଳ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଦାୟିତ୍ବରେ ଥିବା ନିର୍ବାଚନ ଅଧିକାରୀ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମସ୍ୟାରେ ପଡ଼ି ଏ ସଂକ୍ରାନ୍ତରେ ମାଲଗୋଦାମ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଉପସ୍ଥିତିରେ ସଂପକ୍ତ ପ୍ରାର୍ଥୀ ଓ ସମର୍ଥକମାନେ ପାଟିତୁଣ୍ଡ କରିବାକୁ ବି ପଛାଇ ନଥିଲେ। ପରେ ପୁଲିସ୍ ହସ୍ତକ୍ଷେପରେ ୯ଟି ଜୋନ୍ ପାଇଁ ମତଦାନ ହୋଇଥିଲା ସିନା ବିଶୃଙ୍ଖଳା ଯୋଗୁଁ ମାତ୍ର ୧୨.୪୯ ପ୍ରତିଶତ ଭୋଟ୍ ପଡ଼ିଥିବା ସୂଚନା ମିଳିଛି। ସ୍ବୟଂଶ୍ରୀ ମହିଳା ସମବାୟ ସମିତିର ମୋଟ ୧୫ଟି ଜୋନ୍ ରହିଥିବା ବେଳେ ୨ଟି ଜୋନ୍ ନିର୍ଦ୍ଦେଶିକା ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଥିଲା। ଅବଶିଷ୍ଟ ୧୩ଟି ଜୋନ୍ ପାଇଁ ପ୍ରାର୍ଥିପତ୍ର ଦାଖଲ ହୋଇଥିବା ବେଳେ ତା’ ଭିତରୁ ୪ଟି ଜୋନ୍ର ନିର୍ଦ୍ଦେଶିକା ପ୍ରାର୍ଥୀ ଅପ୍ରତିଦ୍ବନ୍ଦ୍ବୀ ରହିଥିଲେ।
ବାକି ୯ଟି ଜୋନ୍ ପାଇଁ ଆଜି ମତଦାନ ଅନୁଷ୍ଠିତ ହୋଇଥିଲା। ତେବେ, ବିଶୃଙ୍ଖଳା କାରଣରୁ ପୁଲିଂ ଦୁର୍ବଳ ହୋଇଥିଲା। ୯ଟି ଜୋନ୍ର ମୋଟ ୨୭ହଜାର ୬୭୬ ଜଣ ଭୋଟର ରହିଥିବା ବେଳେ ମାତ୍ର ୩ହଜାର ୪୫୬ଜଣ ଭୋଟ୍ ଦେଇଥିଲେ। ମୋଟ ଭୋଟ୍ର ମାତ୍ର ୧୨.୪୯ ପ୍ରତିଶତ ମତଦାନ ହୋଇଥିଲା। ନିର୍ବାଚନ ସମୟରେ କିଛି ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ। ପ୍ରଥମ କିଛି ସମୟ ପାଇଁ ପୁଲିସ୍ ନିଷ୍କ୍ରିୟତା ପ୍ରଦର୍ଶନ କରିଥିବା ବେଳେ ପରେ ପୁଲିସ ହସ୍ତକ୍ଷେପ କରିବାରୁ ନିର୍ବାଚନ ଶୃଙ୍ଖଳିତ ଭାବେ ଶେଷ ହୋଇଥିଲା। ଭୋଟ ଗଣତି ସରିଥିବା ବେଳେ ଆସନ୍ତାକାଲି ନିର୍ବାଚନ ଅଧିକାରୀ ଫଳାଫଳ ଘୋଷଣା କରିବେ ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/SWAYANSHREE-19PHT101616.jpg)