ଡାକ୍ତରଙ୍କ ଆଲବମ୍‌ ନିଶା: ୧୦ଟି ମ୍ୟୁଜିକ୍‌ ଓ କମେଡି ଭିଡିଓରେ ଅଭିନୟ କରି ଚର୍ଚ୍ଚାରେ ଉମାକାନ୍ତ

କଟକ: ଆଲବମ ପ୍ରସ୍ତୁତି ଆଉ ଅଭିନୟ ପାଲଟିଛି ଜଣେ ଡାକ୍ତରଙ୍କ ନିଶା। ପାଖାପାଖି ୧୦ଟି ମ୍ୟୁଜିକ ଓ କମେଡି ଭିଡ଼ିଓରେ ପ୍ର‌‌ଯୋଜକ ଓ ଲିଡ଼୍‌ରେ ଅଭିନୟ କରିଛନ୍ତି ସେ। ପେସାରେ ଜଣେ ଡାକ୍ତର ହୋଇ ମଧ୍ୟ ନିଜ ବ୍ୟସ୍ତବହୁଳ ଜୀବନରୁ କିଛି ସମୟ କାଢ଼ି ନିଜ ଆଗ୍ରହ ପୂରଣ କରିବା ପାଇଁ ଲାଗି ପଡ଼ିଛନ୍ତି। ଏହି ମ୍ୟୁଜିକ ଓ କମେଡି ଭିଡ଼ିଓ ୟୁଟୁବ୍‌ରେ ରିଲିଜ ହୋଇଥିବା‌ବେଳେ ଆଗାମୀଦିନରେ ତାଙ୍କର ଏକ ଚଳଚିତ୍ର ମଧ୍ୟ ରିଲିଜ ହେବାକୁ ଯାଉଛି। ଯାହାକି ତାଙ୍କୁ ଆଣି ଦେଇଛି ଏକ ନିଆରା ପରିଚୟ।
ବାଲେଶ୍ବର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ଗଡ଼ସାହିର ମୂଳ ବାସିନ୍ଦା ରହିଥିବା ବେଳେ କଟକ ସିଡିଏ ସେକ୍ଟର-୧୦ରେ ବାସ କରୁଛନ୍ତି। ଉପେନ୍ଦ୍ରନାଥ ଖେଜୁରିଆ ଓ ସାହେବାଣୀ ଖେଜୁରିଆଙ୍କ ବଡ଼ପୁଅ ଉମାକ୍ତାନ୍ତ ଖେଜୁରିଆଙ୍କ ବୟସ ୩୭ ବର୍ଷ। ଏମକେସିଜି ମେଡ଼ିକାଲ କଲେଜ ବ୍ରହ୍ମପୁରର ୨୦୦୭ ବ୍ୟାଚ୍‌ର ଡ଼ାକ୍ତରୀ ଛାତ୍ର। ହେଲେ ନିଶା ତାଙ୍କର ଆଲବମ କରିବା। ଆଜିକୁ ୬ ମାସ ହେବ ଆଲବମ ଜଗତରେ ପାଦ ଥାପିଛନ୍ତି ସେ। ପ୍ରାୟ ୧୦ଟି ମ୍ୟୁଜିକ ଓ କମେଡ଼ି ଭିଡ଼ିଓ ପ୍ରଯୋଜନା କରିବା ସହ ଏଥିରେ ଅଭିନୟ ମଧ୍ୟ କରିଛନ୍ତି। ଏହି ମ୍ୟୁଜିକ ଓ କମେଡ଼ି ଭିଡ଼ିଓ ୟୁଟ୍ୟୁବ‌ର ମୀରା ଧୂନ ଓ ୟୁକେ ଏଣ୍ଟରଟେନ୍‌ମେଣ୍ଟ ଚ୍ୟାନେଲରେ ରିଲିଜ ହୋଇଛି। ମ୍ୟୁଜିକ ଭିଡ଼ିଓ ମଧ୍ୟରେ- ଜିରୋ ଫିଗର ବାଲି…, ଲାଲ୍‌ ଦୁପଟ୍ଟେ ବାଲି…, ଆମେ ଟପ୍‌ରେ ଘାଣ୍ଟିବୁ…, ଆମେ ତ ପୁରା ବେକାର ‌ଟୋକା…, ମୁଁ ସ୍କୁଲରେ ପଢ଼ୁଛି…, ଭାତ ଟେ ‌ହବ ଡ଼ାଲି ଟେ ହବ… ରହିଥିବା ବେଳେ ସେହିପରି ଅଦାଲତରେ ରଙ୍ଗ ଚୋର, ଗଙ୍ଗା ମଦୁଆ, ରାକ୍ଷୀ ଭିଜିଗଲା ଆକ୍ଷି ଲୁହରେ, ବନ୍ଦେ ଉତ୍କଳ ଜନନୀ, ବକ୍ରତୁଣ୍ତ ମହାକାୟ ଭଳି କମେଡ଼ି ଭିଡ଼ିଓ କରିଛନ୍ତି ସେ।

ଏହାସହ ଆଗାମୀଦନିରେ ୟୁଏସ୍‌ ମୋସନ ବ୍ୟାନର ଓ କେ. ମୁରଲୀ କ୍ରିଷ୍ଣାଙ୍କ ନିର୍ଦେଶିତ ‘ପ୍ରେମରେ ରିସ୍କ ହେଲା ମୋତେ ଇସ୍କ’ ଚଳଚିତ୍ରରେ ଲିଡ୍‌ ରୋଲ କରିଛନ୍ତି। ଯାହାକି ଆଗାମୀଦିନରେ ରିଲିଜ ହେବାକୁ ଯାଉଛି। ତେବେ ଟିକ୍‌ଟକ୍‌, ଇନ୍‌ଷ୍ଟାଗ୍ରାମ, ଫେସବୁକ୍‌ ରିଲକୁ ଦେଖି ଉମାକାନ୍ତଙ୍କ ସହ‌ଯୋଗୀ ଅଭିଷେକ ନାୟକ ତାଙ୍କୁ ଉତ୍ସାହିତ କରିଥିବାରୁ ଆଜି ନିଜ ଡ଼ାକ୍ତରୀ ପେସା ସହ ଏଭଳି ଆଲବମ୍‌ ଜଗତକୁ ଓହ୍ଲାଇଛନ୍ତି ସେ। ଏ ନେଇ ସେ କହନ୍ତି ଯେ ପିଲାବେଳୁ ଆଲବମ ପ୍ରତି ତାଙ୍କର ଦୁର୍ବଳତା ରହି ଆସିଛି। ଯାହାକି ପାଠପଢ଼ା ସମୟରେ ପୁରା କରି ପାରି ନଥିଲେ। ଏବେ ଟିକ୍‌ଟକ୍‌, ଇନ୍‌ଷ୍ଟାଗ୍ରାମ, ଫେସବୁକ୍‌ ରିଲ କରି ପୋଷ୍ଟ କରିବାରୁ ମୋର ସହଯୋଗୀଙ୍କ ଉତ୍ସାହ କରିବାକୁ ମୁଁ ଆଲବମ କରିବାକୁ ସ୍ଥିର କରିଛି। ୟୁଟ୍ୟୁବରେ ମୋର ପ୍ରାୟ ୧୦ଟି ମ୍ୟୁଜିକ ଓ କମେଡ଼ି ଭିଡ଼ିଓ ରିଲିଜ ହୋଇଛି। ନିଜର ଇଚ୍ଛା ପୂରଣ କରିବା ପାଇଁ ବହୁ ବ୍ୟସ୍ତତା ମଧ୍ୟରୁ ସମୟ କାଢ଼ି ଏହି ଆଲବମ୍ କରିଛି। ଏଥିପାଇଁ ମୋ ପତ୍ନୀ ମୀନାରାଣୀ ନାଏକ ମୋତେ ଅଧିକ ଉତ୍ସାହିତ କରିଛନ୍ତି। ଆଗାମୀ ଦିନରେ ଚଳଚିତ୍ର ମଧ୍ୟ ରିଲିଜ ହେବାକୁ ଯାଉଛି। ଆଶା ଅଛି ଏହାକୁ ଲୋକେ ବେଶ ପସନ୍ଦ କରିବେ ବୋଲି କହିଛନ୍ତି ଡାକ୍ତର ଉମାକାନ୍ତ ଖେଜୁରିଆ।

ସମ୍ବନ୍ଧିତ ଖବର