କଟକ: ଜଣାଶୁଣା ସାହିତ୍ୟିକ, ରାଜ୍ୟ ପଶୁ ଚିକିତ୍ସା ବିଭାଗର ପୂର୍ବତନ ନିର୍ଦ୍ଦେଶକ, ଉତ୍କଳ ସମ୍ମିଳନୀ ପୂର୍ବତନ ସଭାପତି ବିଶିଷ୍ଟ ବୈଜ୍ଞାନିକ ଡକ୍ଟର ଗୁରୁପ୍ରସାଦ ମହାନ୍ତି (୮୪)ଙ୍କର ପରଲୋକ ଘଟିଛି। ସୋମବାର ଭୋର ୪ଟା ସମୟରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପ‌ରଲୋକ ଘଟିଛି। ତାଙ୍କ ମସ୍ତିଷ୍କରେ ପାଣି ଜମି ଥିବାରୁ ସେ ଗଲା ଦୁଇ ମାସ ହେବ ଚିକିତ୍ସାଧୀନ ଥିଲେ। ତାଙ୍କ ମରଶରୀରକୁ ବାଦାମବାଡ଼ି ବାସଭବନରେ ଶେଷ ଦର୍ଶନ ପାଇଁ ରଖାଯାଇଛି। ଅନ୍ତିମ ଶଯ୍ୟା ନିକଟରେ ତତ୍ତ୍ବାବଧାରିକା ସଂଧ୍ୟାରାଣୀ ପ୍ରଧାନଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ରହିଛନ୍ତି। ସ୍ବର୍ଗତ ମହାନ୍ତିଙ୍କ ସାନପୁଅ ଗୋପାଳପ୍ରସାଦ ମହାନ୍ତି, ସାନବୋହୂ ସ୍ମିତା ମହାନ୍ତି, ନାତି‌ ସୌମ୍ୟସ୍ବରୂପ ମହାନ୍ତି, ଗୋକୁଳ ମହାନ୍ତି, ମୁକୁଳ ମହାନ୍ତି, ନାତୁଣୀ ଶ୍ବେତପଦ୍ମା ମହାନ୍ତି, ଝିଅ ଦେବଶ୍ରୀ ମହାନ୍ତି, ଜ୍ବାଇଁ ବାଣୀପ୍ରସନ୍ନ ମହାନ୍ତି, ନାତୁଣୀ ମିନାକ୍ଷୀ, ଅମ୍ରିତା ଆସିବା ପରେ ଆସନ୍ତାକାଲି ସକାଳେ ତାଙ୍କର ପୈତୃକ ଗ୍ରାମ ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯିବ। ସୁଚନାଯୋଗ୍ୟ, ଡକ୍ଟର ମହାନ୍ତିଙ୍କ ପତ୍ନୀ ସ୍ନେହଲତା ମହାନ୍ତିଙ୍କର ୨୦୧୬ରେ ପରଲୋକ ଘଟିଥିବା ବେଳେ ବଡ଼ ପୁଅ ବିଭୂତି ପ୍ରସାଦ ମହାନ୍ତି ଓ ବଡ଼ବୋହୂ ବିଶିଷ୍ଟ କଣ୍ଠଶିଳ୍ପୀ ସେବାରାଣୀ ମହାପାତ୍ରଙ୍କର ୨୦୨୧ରେ ପରଲୋକ ଘଟିଥିଲା। ଡକ୍ଟର ମହାନ୍ତି ବାଦାମବାଡ଼ି ସ୍ଥିତ ‘ଆଳିପିଙ୍ଗଳ’ ବାସଭବନରେ ରହୁଥିଲେ। ୧୯୩୮ ମସିହା, ଅକ୍ଟୋବର ୧୮ତାରିଖରେ ଜଗତସିଂହପୁର ଆଳିପିଙ୍ଗଳ ଗ୍ରାମରେ ଡକ୍ଟର ଗୁରୁପ୍ରସାଦ ମହାନ୍ତି ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାମ ରାମଚନ୍ଦ୍ର ମହାନ୍ତି ଓ ମା’ଙ୍କ ନାମ ଅଧରମଣି ମହାନ୍ତି।

Advertisment

ଗୁରୁପ୍ରସାଦଙ୍କ ଜେଜେ ନାରାୟଣ ପ୍ରସାଦ ମହାନ୍ତି, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ପଢ଼ିବା ସମୟରେ ରେଭେନ୍ସା କଲିଜିଏଟ୍ ସ୍କୁଲର ପ୍ରଧାନଶିକ୍ଷକ ଥିଲେ ଓ ନେତାଜୀଙ୍କ ଶିକ୍ଷକ ଥିଲେ। ପିଲାଟି ଦିନରୁ ଅତ୍ୟନ୍ତ ମେଧାବୀ ଛାତ୍ର ଥିବା ଗୁରୁପ୍ରସାଦ ଆମେରିକାରୁ ଦୁଗ୍ଧବିଜ୍ଞାନ ଓ ପଶୁଖାଦ୍ୟ ଉପରେ ସ୍ନାତକୋତ୍ତର ଡିଗ୍ରି ଲାଭ କରିବା ସହ ଉଚ୍ଚତ୍ତର ଗବେଷଣା କରି ପିଏଚ୍‌ଡି ପାଇଥିଲେ। କିନ୍ତୁ ମାତୃଭୂମିର ସେବା କରିବା ପାଇଁ ସେ ଓଡ଼ିଶା ଫେରି ଦୁଗ୍ଧ ଉତ୍ପାଦନ ଓ ପଶୁପାଳନ କାର୍ଯ୍ୟକୁ ରାଜ୍ୟରେ ତ୍ବରାନ୍ବିତ କରିବାକୁ ସଂକଳ୍ପ ନେଇଥିଲେ ଓ ସଫଳ ମଧ୍ୟ ହୋଇଥିଲେ। ଡକ୍ଟର ମହାନ୍ତି ୧୯୮୪ରେ ଓଡ଼ିଶାରେ କୁକୁଡା ପାଳନ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ ‘ଓପୋଲଫେଡ୍’ ସୃଷ୍ଟି କରି ତାର ପ୍ରଥମ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ପଶୁ ଚିକିତ୍ସା ଓ ପଶୁପାଳନ ବିଜ୍ଞାନରେ ଏତେ ସଫଳତା ସତ୍ବେ ଡକ୍ଟର ମହାନ୍ତି ଓଡ଼ିଆ ସାହିତ୍ୟକୁ କେବେ ଅବହେଳା ବା ଅଣଦେଖା କରିନଥିଲେ। ତାଙ୍କ କ୍ଷୁଦ୍ର ଗଳ୍ପ: ‘ସାଲବେଗର ଅଶ୍ରୁ’, କହେ ସାଲବେଗ ହୀନ, ଉପନ୍ୟାସ: ଯେ ଯଥା ମା’, ମ‌ୋହନ ବଂଶୀ ଓ ଅଶ୍ରୁତର୍ପଣ, ଭ୍ରମଣକାହାଣୀ: ‘ପାତାଳପୁରୀର ହାଲଚାଲ, ଯେ ଦେଶେ ଯାଇ, ଦୂର ସାଗର ପାରେ, ପ୍ରବନ୍ଧ: ଦୁଃଖ କହିବି ନା ସୁଖ କହିବି, ବନ୍ଦେ ଉତ୍କଳ ଜନନୀ, ସ୍ବତନ୍ତ୍ର ପାଠକୀୟ ଶ୍ରଦ୍ଧା ଓ ସ୍ବୀକୃତି ଭାଲ କରିଛି। ଏହା ବ୍ୟତୀତ ଡକ୍ଟର ମହାନ୍ତି ସନାତନ ଗୋସ୍ବାମୀକୃତ ମୂଳସଂସ୍କୃତ ‘ବୃହତ ଭାଗବତାମୃତ’କୁ ଓଡ଼ିଆ ଭାଷାରେ ଅନୁବାଦ କରିଥିଲେ। ବୃତ୍ତିଗତ ଅଭିଜ୍ଞତା ଆଧାରରେ ସେ ପଶୁପାଳନ କ୍ଷେତ୍ରରେ ଅନେକ ପୁସ୍ତକ ରଚନା କରିଛନ୍ତି। ଭ୍ରମଣ କାହାଣୀ ‘ପାତାଳପୁରୀର ହାଲଚାଲ’ ପାଇଁ ଡକ୍ଟର ମହାନ୍ତି ୧୯୯୦ ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ।

ଆମେରିକା ବିଶ୍ବବିଦ୍ୟାଳୟରୁ ଫାଇକାପ୍ତା ଫାଇ ପୁରସ୍କାର ସମେତ ଉତ୍କଳ ସାହିତ୍ୟ ସମାଜ, ବିଜ୍ଞାନ ଲେଖକ ସମ୍ମାନ, ଜୀବନରଙ୍ଗ ସମ୍ମାନ, ଉତ୍କଳକଳା ପରିଷଦ ସମ୍ମାନ, ପ୍ରଦ୍ୟୁମ୍ନ ବଳ ସ୍ମୃତି ସମ୍ମାନ ଆଦି ଅନେକ ସମ୍ମାନ ଓ ସମ୍ବର୍ଦ୍ଧନା ଲାଭ କରିଛନ୍ତି। ପଶୁଚିକିତ୍ସା, ଅଧ୍ୟାପନା, ସାରସ୍ବତ ସାଧନା ସହିତ ଅନେକ ସାରସ୍ବତ ଓ ସାମାଜିକ ସଂଗଠନ ସହିତ ଡକ୍ଟର ମହାନ୍ତିଙ୍କ ସଂପୃକ୍ତି ଥିଲା। ସେ ଉତ୍କଳ ସମ୍ମିଳନୀ ଓ ଲେଖକ ସହଯୋଗ ସମିତିର ପୂର୍ବତନ ସଭାପତି ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ତାଙ୍କ ପରଲୋକରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ପ୍ରଫେସର ବିଜୟାନନ୍ଦ ସିଂହ, ସାରଳା ସାହିତ୍ୟ ସଂସଦର ପ୍ରତି‌ଷ୍ଠାତ ଓ ସଭାପତି ଡକ୍ଟର ଇଞ୍ଜିନିୟର ପ୍ରଭାକର ସ୍ବାଇଁ, ‘ସମ୍ବାଦ’ ସଂପାଦକ(ଫିଚର) ଡକ୍ଟର ଗୌରହରି ଦାସ ଗଭୀର ଶୋକପ୍ରକାଶ କରିଛନ୍ତି। ଆଜି ପରଲୋକ ଖବର ପାଇ ଉତ୍କଳ ସାହିତ୍ୟ ସମାଜର ସଭାପତି ‌ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ୍‌, ସାଧାରଣ ସଂପାଦକ ଆଦିତ୍ୟ ପ୍ରତାପ ଧଳ, ଉପସଭାପତି ଜୀବନାନନ୍ଦ ଅଧିକାରୀ, ପାଠାଗାର ସଂପାଦକ ବ୍ରହ୍ମାନନ୍ଦ ବିଶ୍ବାଳ, କୋଷାଧ୍ୟକ୍ଷ ଶିବାଶିଷ କର, ମହେଶ୍ବର ମହାନ୍ତି, ଡାକ୍ତର ସୁଦର୍ଶନ ପଟ୍ଟନାୟକ, ଡାକ୍ତର ରବିରଞ୍ଜନ ସାହୁ, ରଘୁନାଥ ମହାପାତ୍ର, ନୀଳିମା ପ୍ରିୟଦର୍ଶିନୀ, ‌ଅଦୈତ୍ୟ ପାତ୍ର, ବିଚିତ୍ରାନନ୍ଦ ମିଶ୍ର, ଡାକ୍ତର ସିଦ୍ଧାର୍ଥ ସାହୁ, ପ୍ରସନ୍ନ ମହାପାତ୍ର, ବ୍ରଜକିଶୋର ସାହୁ ପ୍ରମୁଖ ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।