ସାର୍ତ୍ତୋଳ କେନେଲ୍‌ରେ କୁକୁରଙ୍କୁ ମିଳୁନି ଖାଦ୍ୟ, ପାଣି, ରୋଗୀଣା ହୋଇ କେନେଲ୍‌ରୁ ବାହାରିଲା ପରେ ମରୁଛନ୍ତି କୁକୁର

କଟକ: ସିଏମ୍‌ସି ଦ୍ବାରା ପରିଚାଳିତ ସାର୍ତ୍ତୋଳ କେନେଲ୍‌ରେ ବୁଲା କୁକୁରଙ୍କ ପ୍ରତି ନିଷ୍ଠୁର ଆଚରଣ କରାଯାଉଥିବା ଅଭିଯୋଗ ହୋଇଛି। ଖାଇବାକୁ ଦିଆ ନଯିବା, ଦୂଷିତ ପରିବେଶରେ ରଖିବା ଏମିତିକି ଖରାଦିନେ ପାଣି ଦିଆ ଯାଉ ନଥିବା ଅଭିଯୋଗ ହୋଇଛି। ବିନା ଖାଦ୍ୟରେ ୪/୫ଦିନ ରଖିବା ପରେ ଦୁର୍ବଳ ହୋଇ ପଡୁଥିବା ଏହି କୁକୁରଙ୍କ ମଧ୍ୟରୁ ଅନେକ ମରି ଯାଉଥିବା କୁହାଯାଉଛି। ଏପରିକି କୁକୁର ଉଠାଇବାଠୁ ଆରମ୍ଭ କରି ବନ୍ଧ୍ୟାକରଣ, ପୁଣି ଛାଡିବା ଆଦି କାର୍ଯ୍ୟରେ କେଉଁଠି ବି ସର୍ବୋଚ୍ଚ ନ୍ୟାୟାଳଙ୍କ ଆଚରଣବିଧି ଅନୁପାଳନ ହେଉ ନଥିବା ସୂଚନା ମିଳିଛି। ଏ ବିଷୟରେ କିଏ କାଳେ ଜାଣିଦେବେ ସେଥି ପାଇଁ ପଶୁପ୍ରେମୀଙ୍କୁ କେନେଲ ପରିସରକୁ ଛାଡ଼ୁ ନାହାନ୍ତି କର୍ତ୍ତୃପକ୍ଷ। ପଶୁପ୍ରେମୀ ତଥା ସାଧାରଣ ଜନତାଙ୍କ ଦୃଷ୍ଟି ଆଢୁଆଳରେ ରଖି କୁକୁରଙ୍କୁ ଏଭଳି ନିର୍ଯାତନା ଦିଆଯାଉଛି। ଅନ୍ୟ ପକ୍ଷରେ କୁକୁର ବନ୍ଧ୍ୟାକରଣ ନାମରେ ସିଏମ୍‌ସି ଲକ୍ଷ ଲକ୍ଷ ଟଙ୍କା ଖର୍ଚ ହେଉଥିବା ଦର୍ଶାଯାଉଛି। ବୁଲାକୁକୁରଙ୍କ ବନ୍ଧ୍ୟାକରଣ ପାଇଁ ସାର୍ତ୍ତୋଳରେ ସିଏମ୍‌ସି ପକ୍ଷରୁ ଏକମାତ୍ର କେନେଲ କରାଯାଇଛି। ଏଠାରେ ପାଖାପାଖି ୮୦ଟି କୁକୁର ରଖିବା ବ୍ୟବସ୍ଥା ଅଛି। କିନ୍ତୁ ଏହି କେନ୍ଦ୍ରରେ କୁକୁରଙ୍କ ଯେଉଁ ଭଳି ଯତ୍ନ ‌ନେବା କଥା ତାହା କରାଯାଉନାହିଁ। ଜନସାଧାରଣଙ୍କ ଅଭିଯୋଗ ପରେ ବିଭିନ୍ନ ସ୍ଥାନରୁ କୁକୁର ଉଠାଯାଏ। ସେମାନଙ୍କ ବେକରେ ତାର ଲଗାଇ ଝୁଲାଇ ଗାଡ଼ିକୁ ନିଆଯାଉଛି। କେନେଲ୍‌ରେ ଛାଡିବା ପରେ ଖାଇବାକୁ ନାହିଁ। କେବେକେବେ କେବଳ ହଳଦିଆ ଭାତ ଦିଆଯାଉଛି। ପଶୁପ୍ରେମୀ ଅଭିଯୋଗ କଲେ, ନାମକୁ ମାତ୍ର ସୋଆବିନ୍ ଦିଆଯାଉଛି। କେନେଲ ସଫା ହେଉ ନଥିବାରୁ କୁକୁର ବାହାରିବା ପରେ ସେମାନଙ୍କ ଦେହରେ ଟିଙ୍କ ମାଡିଯିବା ସହ ପଶୁଗୁଡ଼ିକ ରୋଗୀଣା ‌ହୋଇପଡ଼ୁଛନ୍ତି। କେନେଲରେ ପାଣି ବି ଠିକ୍‌ରେ ଦିଆଯାଉନି।

ନିୟମିତ ବ୍ୟବଧାନରେ ଉକ୍ତ କେନେଲକୁ ଯାଉଥିବା ଜଣେ ପଶୁପ୍ରେମୀଙ୍କ କହିବା ଅନୁସା‌ରେ, ସାର୍ତ୍ତୋଳ କେନେଲରେ କୁକୁରଙ୍କୁ ଅତି ଦୟନୀୟ ଅବସ୍ଥାରେ ରଖାଯାଇଛି। ଗତ ମେ’ ଶେଷ ସପ୍ତାହରେ ସଂପୃକ୍ତ ପଶୁପ୍ରେମୀ କେନେଲକୁ ଯାଇଥିଲେ ମଧ୍ୟ କୁକୁରଙ୍କୁ ପାଣି ଦିଆଯାଇ ନଥିବା ଦେଖିଥିଲେ। କେବଳ ହଳଦି ଭାତ ଦିଆଯାଉଛି ତାହା ପୁଣି ଲୁହା ଗ୍ରିଲ୍‌ ମଧ୍ୟରେ ଛଟାଯାଉଛି। ବିକଳ ହୋଇ ପଶୁଗୁଡ଼ିକୁ ଗ୍ରିଲକୁ ଚାଟୁଛନ୍ତି ବୋଲି ପଶୁପ୍ରେମୀ ଜଣକ କହିଛନ୍ତି। କୌଣସି ଅଞ୍ଚଳରୁ କୁକୁରଙ୍କୁ ଉଠାଇବା ପୂର୍ବରୁ ଲୋକଙ୍କୁ ଅବଗତ କରିବା, ବନ୍ଧ୍ୟାକରଣ ପରେ ସେହି ସ୍ଥାନରେ ଛାଡିବା, ଉପଯୁକ୍ତ ଖାଇବା ଦେବା, ଗର୍ଭବତୀ, ଛୁଆ ଦେଇଥିବା କୁକୁରଙ୍କୁ ନ ଉଠାଇବା ‌ଭଳି ସୁପ୍ରିମ୍ କୋର୍ଟଙ୍କ କୌଣସି ଗୋଟିଏ ଗାଇଡ୍‌ଲାଇନ୍‌କୁ ସିଏମ୍‌ସି ପାଳନ କରୁ ନାହିଁ। କିନ୍ତୁ ବନ୍ଧ୍ୟାକରଣ ଓ ଖାଦ୍ୟ ନାମରେ ବହୁ ଟଙ୍କା ହେର୍‌ଫେର କରାଯାଉଥିବା ସେ କହିଛନ୍ତି। ଏଥି ପାଇଁ କେନେଲରୁ ବାହାରିବା ପରେ ବହୁ କୁକୁର ମରିଯାଉଛନ୍ତି ବୋଲି ସଂପୃକ୍ତ ପଶୁପ୍ରେମୀ ଅଭି‌ଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ କେନେଲ ଦାୟିତ୍ବରେ ଥିବା ତତ୍ତ୍ବାବଧାରକ ପ୍ରଶାନ୍ତ କୁମାର ମହାନ୍ତି କହିଛନ୍ତି ଯେ, ସିଏମ୍‌ସିର ଆଉଟ୍‌ସୋର୍ସିଂ କର୍ମଚାରୀ କୁକୁର ଉଠାଉଛନ୍ତି। କିଏ ଗର୍ଭବତୀ, କିଏ ନୁହେଁ ତାହା କିପରି ଜଣାପଡ଼ିବ ‌ବ‌ୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ସେ ଦୁଇ ମାସ ହେଲା ଦାୟିତ୍ବରେ ଅଛନ୍ତି ଓ ଏବେ କେନେଲରେ ପଶୁମାନଙ୍କୁ ଠିକ୍‌ରେ ଖାଦ୍ୟ ଦିଆଯାଉଥିବା ଶ୍ରୀ ମହାନ୍ତି ସୂଚନା‌ ଦେଇଛନ୍ତି।

ସମ୍ବନ୍ଧିତ ଖବର