ବକ୍ସ ଡ୍ରେନ୍‌ ଭେଳିକି; ଟେକ୍‌ନିକାଲ୍‌ ପଦବିରେ ୧୦ ମାସ ହେଲା ପ୍ରଶାସନିକ ଅଧିକାରୀ

ପ୍ରକଳ୍ପରେ ୫୦ରୁ ଅଧିକ ଇଂଜିନିୟର ନିୟୋଜିତ; କାମ ଗଡ଼ି ଚାଲିଲେ ଅଧିକାରୀ-ଇଂଜିନିୟରଙ୍କ ଲାଭ

କଟକ: ସହରରେ ଦୀର୍ଘ ୯ବର୍ଷ ଧରି ଜାଇକା ପ୍ରକଳ୍ପ‌ରେ ଚାଲିଛି ବକ୍ସ ଡ୍ରେନ କାମ। ତିନି ବର୍ଷରେ ଶେଷ ହେବାକୁ ଥିବା ବକ୍ସ ଡ୍ରେନ କାମ ଇତିମଧ୍ୟରେ ମାତ୍ର ୨୦ ପ୍ରତିଶତ ଶେଷ ହୋଇଛି। ରାଜ୍ୟ ସରକାର ଓ ଜାଇକା କର୍ତ୍ତୃପକ୍ଷଙ୍କ ଆନ୍ତରିକତା ଅଭାବରୁ ପ୍ରକଳ୍ପର ସମୟ ଗଡ଼ିଗଡି ଚାଲିଛି। ଜାଇକା ପ୍ରକଳ୍ପର ‘ପ୍ରକଳ୍ପ ନିର୍ଦ୍ଦେଶକ’ ପଦ ଏକ ଟେକ୍‌ନିକାଲ୍‌ ପଦବି। ହେଲେ ଉକ୍ତ ପଦବିରେ ଦକ୍ଷ ଓ ଅଭିଞ୍ଜତା ଥିବା ଇଂଜିନିୟରଙ୍କ ବଦଳରେ ଜଣେ ପ୍ରଶାସନିକ ଅଧିକାରୀ ତଥା ସିଏମସି କମିସନରଙ୍କୁ ୧୦ମାସ ଧରି ଅତିରିକ୍ତ ଦାୟିତ୍ବରେ ରଖାଯାଇଛି। ଅନ୍ୟପଟେ ଜା‌ଇକା କର୍ତ୍ତୃପକ୍ଷ ପ୍ରକଳ୍ପକୁ ଶିଘ୍ର ଶେଷ କରିବାକୁ ଇଚ୍ଛା କରୁନାହାନ୍ତି। ପ୍ରକଳ୍ପ ଯେତେ ଗଡି ଚାଲିବ ସେମାନଙ୍କ ପଦ ଓ ପଦବି ସେତେ ସୁରକ୍ଷିତ ରହିବ ବୋଲି ସାଧାରଣରେ ଅଭିଯୋଗ ହୋଇଛି। ଜାଇକା ପାଇଁ ସହରବାସୀ ଦୀର୍ଘ ବର୍ଷ ଧରି ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ‌ହେଲେ କଟକିଆଙ୍କୁ ଏଥିରୁ ମୁକ୍ତି ଦେବାକୁ ପ୍ରଶାସନିକ ସ୍ତରରେ କୌଣସି ଉଦ୍ୟମ କରାଯାଉ ନଥିବା ଅଭିଯୋଗ ହୋଇଛି।

ସହରରେ ଚାଲିଥିବା ଜାଇକା କାମ ପାଇଁ ସରକାରଙ୍କ ପକ୍ଷରୁ ଗତ ମେ’ ମାସରୁ ପ୍ରକଳ୍ପର ନିର୍ଦ୍ଦେଶକ ଭା‌େବ ସିଏମସିର କମିସନରଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଉକ୍ତ ପଦବିଟି ଟେକ୍‌ନିକାଲ୍‌ ପଦବି ହୋଇଥିବା ବେଳେ ଏଥିରେ ଜଣେ ପ୍ରଶାସକଙ୍କୁ ଗତ ୧୦ ମାସ ଧରି ବସାଯାଇଛି। ଫଳରେ ପ୍ରକଳ୍ପ କାମ ମନ୍ଥର ହେବା ସହିତ ଟେଣ୍ଡରର ଇଭାଲୁଏସନ୍‌ କାମ ବିଳମ୍ବ ହୋଇ ଚାଲିଛି। ଜଣେ ପ୍ରଶାସକ ତଥା ସିଏମସି କମିସନରଙ୍କ ପରି ଗୁରୁତ୍ବପୂର୍ଣ୍ଣ ପଦବିରେ କାମ କରୁଥିବା ପ୍ରଶାସକଙ୍କୁ ଟେକ୍‌ନିକାଲ୍‌ ପଦବିର କାମ କରିବାକୁ କୁହାଯାଇଛି। ଏଥିରେ କାମ ବିଳମ୍ବ ହେବାକୁ ବାଟ ଖୋଲି ଦିଆଯାଇଛି। ଅନ୍ୟପଟେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରୁ ଜାଇକା ପ୍ରକଳ୍ପରେ ଡେପୁଟେସନ୍‌ରେ ଆସିଥିବା କର୍ତ୍ତୃପକ୍ଷ ଓ ଇଂଜିନିୟର କାମ ଶିଘ୍ର ଶେଷ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ପ୍ରକଳ୍ପରେ ଜଣେ ଇଂଜିନିୟର ଇନ୍ ଚିଫ୍‌(ଇଆଇସି) ଥିବା ବେଳେ ତାଙ୍କ ପରେ ପ୍ରକଳ୍ପ ନିର୍ଦ୍ଦେଶକ(ପିଡି) ଅଛନ୍ତି। ପିଡିଙ୍କ ତଳେ ତିନିଜଣ ପ୍ରୋଜେକ୍ଟ ଇଂଜିନିୟର(ପିଇ) ଥିବା ବେଳେ ତାଙ୍କ ଅଧିନରେ ୪ଜଣ ଲେଖାଏ ଡେପୁଟି ପ୍ରୋଜେକ୍ଟ ଇଂଜିନିୟର (ଡିପିଇ)ଅଛନ୍ତି। ପ୍ରତ୍ୟେକ ଡିପିଇଙ୍କ ଅଧିନରେ ୨ରୁ ୩ଜଣ ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ଇଂଜିନିୟର କାମ କରୁଛନ୍ତି। ପ୍ରକଳ୍ପରେ ୫୦ରୁ ଅଧିକ ଇଂଜିନିୟର ଥିବା ବେଳେ ସେମାନେ ପଦ ପଦବିର ମୋହରେ ବାନ୍ଧି ହୋଇ ପଡିଛନ୍ତି। ପ୍ରକଳ୍ପ ସମୟ ଯେତେ ଗଡି ଚାଲିବ, ସେଥିରେ ସେମାନଙ୍କ ପଦ ପଦବି ସେତେ ସୁରକ୍ଷିତ ରହିବ ବୋଲି ସାଧାରଣରେ ଆଲୋଚନା କରାଯାଉଛି। ସହରବାସୀ ଜଳବନ୍ଦୀ, ମଶା ଓ ନର୍ଦ୍ଦମା ଦୁର୍ଗନ୍ଧରେ ଫସି ରହିଥିବା ବେଳେ ସରାକରଙ୍କ ପକ୍ଷରୁ ବକ୍ସ ଡ୍ରେନ କାମ ଶେଷ କରିବାକୁ କେବେ ତତ୍ପରତା ପ୍ରକାଶ ପାଇବ ତାହା ଦେଖିବାର ରହିଛି।

ସମ୍ବନ୍ଧିତ ଖବର