ଡ୍ରେନ ପାଣିରେ ଘାଣ୍ଟି ହେଉଛନ୍ତି ନିମଦେବୀ ମନ୍ଦିର ବାସିନ୍ଦା, ମାସକ ମଧ୍ୟରେ ଡେଙ୍ଗୁ-ଜଣ୍ଡିସ୍‌ରେ ଏକାଧିକ ଆକ୍ରାନ୍ତ

କଟକ: ମହାନଗର ନିଗମ ଅଞ୍ଚଳରେ ଧୀରେ ଧୀରେ ଡେଙ୍ଗୁର ପ୍ରକୋପ ବଢିବାରେ ଲାଗିଛି। ସେପଟେ ସହରରେ ଡେଙ୍ଗୁ ମଶା ବଂଶ ନିପାତ ପାଇଁ ସିଏମ୍‌ସି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉ ଥିବାର ଦାବି ହେଉଛି। ମାତ୍ର ସହରର ଗଙ୍ଗାମନ୍ଦିରସ୍ଥିତ ନିମଦେବୀ ମନ୍ଦିର ଗଳିର ଅବସ୍ଥାକୁ ଦେଖିଲେ ନିଗମର ସବୁ ଦାବି ପାଣିରେ ମିଶି ଯାଉଛି। ସିଏମ୍‌ସି ୧୩ ନମ୍ବର ୱାର୍ଡ ଗଙ୍ଗାମନ୍ଦିର ନିକଟସ୍ଥ ନିମଦେବୀ ମନ୍ଦିର ଗଳିରେ ବହୁ ବର୍ଷ ଧରି ରାସ୍ତା ଉପରେ ନର୍ଦ୍ଦମା ପାଣି ଜମି ରହୁଛି। ଏଥିରେ ଅଞ୍ଚଳରେ ଏକ ମାସ ମଧ୍ୟରେ ଡେଙ୍ଗୁ ଓ ଜଣ୍ଡିସରେ ଏକାଧିକ ଲୋକ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବାର ଅଞ୍ଚଳବାସୀ କହିଛନ୍ତି। ଉକ୍ତ ଗଳିରେ ୨୫ରୁ ଅଧିକ ପରିବାର ରହୁଛନ୍ତି। ସେମାନଙ୍କ ଘରୁ ବାହାରୁ ଥିବା ବର୍ଜ୍ୟପାଣି ନିଷ୍କାସନ ପାଇଁ ସିଏମ୍‌ସି ପକ୍ଷରୁ ଡ୍ରେନର ବ୍ୟବସ୍ଥା କରାଯାଇ ନାହିଁ। ଫଳରେ ‌ସାହି ବାସିନ୍ଦାଙ୍କ ଘରୁ ବାହାରୁ ଥିବା ପାଣି ସେମାନଙ୍କ ଘର ସମ୍ମୁଖ ରାସ୍ତାରେ ଜମି ରହୁଛି।

ଡ୍ରେନେଜ୍‌ ବ୍ୟବସ୍ଥା ନଥିବାରୁ ଏଠାରେ ୫ ବର୍ଷରୁ ଅଧିକ ସମୟ ଧରି ବର୍ଷର ସବୁ ସମୟରେ ରାସ୍ତା ଉପରେ ପାଣି ଜମି ରହୁଛି। ପୂର୍ବରୁ ଅଞ୍ଚଳ ପାଣି ନିକଟରେ ଥିବା କାଜି ପୋଖରୀକୁ ଯାଉଥିଲା। ମାତ୍ର ଗତ ୭ ବର୍ଷ ମଧ୍ୟରେ କିଛି ଲୋକ ବେନିୟମ ଭାବେ ଏହାକୁ ପୋତି ଦେଇଛନ୍ତି। ଜଳାଶୟ ପୋତା ହେବା ପରଠାରୁ ସାହିରୁ ପାଣି ନିଷ୍କାସନ ନ ହୋଇ ରାସ୍ତାରେ ଜମି ରହୁଛି। ବର୍ଷ ବର୍ଷ ଧରି ରାସ୍ତା ଉପରେ ପାଣି ଜମି ରହିବାରୁ ଲୋକେ ରାସ୍ତା ଉପରେ ବାଲି ବସ୍ତା ଓ ସ୍ଲାବ ପକାଇ ଯିବା ଆସିବା କରୁଛନ୍ତି।

ସେପଟେ ବହୁ ବର୍ଷ ଧରି ପାଣି ଜମି ରହିବାରୁ ଏହା ମଧ୍ୟରୁ ଦୁର୍ଗନ୍ଧ ବାହାରିବା ସହିତ ମଶା ଓ ଜୋକ ବଢି ଚାଲିଛନ୍ତି। ଏକ ମାସ ମଧ୍ୟରେ ଅଞ୍ଚଳର ଦୁଇ ଜଣ ଡେଙ୍ଗୁ ଓ ତିନି ଜଣ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇ ଥିବାର ଅଞ୍ଚଳବାସୀ କହିଛନ୍ତି। ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସିଏମ୍‌ସି ନିକଟରେ ବାରମ୍ବାର ଦାବି କରିଛୁ। ମାତ୍ର ନିଗମ ପକ୍ଷରୁ ଏହାକୁ ଅଣଦେଖା କରାଯାଉଥିବାର ଅଞ୍ଚଳବାସୀ ବିବେକାନନ୍ଦ ସାହୁ ଓ ଅଭୟ କିଶୋର ହାତୀ କହନ୍ତି। ପାଣି ନିଷ୍କାସନ ପାଇଁ ନିମଦେବୀ ମନ୍ଦିର ଗଳିରେ ଡ୍ରେନେଜ୍‌ ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର