ତିନିମାସ ହେଲା ମୁକୁଳା ପଡ଼ିଛି ମାଛୁଆବଜାର-ନୂଆପାଟଣା ଡ୍ରେନ୍‌

କଟକ: ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ତିନିମାସ ହେଲା ମୁକୁଳା ପଡ଼ିଛି ମାଛୁଆବଜାର ନୂଆପାଟଣା ମୁଖ୍ୟ ଡ୍ରେନ୍। ପ୍ରତିଦିନ ଦୁର୍ଘଟଣା ଘଟିବା ସହିତ ସ୍ଥାନୀୟ ଲୋକେ ଘରୁ ବାହାରି ପାରୁ ନଥିବା ଅଭ‌ିଯୋଗ ହେଉଛି। ମଙ୍ଗଳାବାଗ୍-ମାଛୁଆବଜାର ରାସ୍ତାପାର୍ଶ୍ବ ଡ୍ରେନ୍‌ ନିର୍ମାଣ ସରିଥିଲେ ମଧ୍ୟ ଏଯାଏ ଏହା ଉପରେ ସ୍ଲାବ୍‌ ପଡ଼ିନାହିଁ। ସ୍ଲାବ୍‌ ନପଡ଼ିବା ଯୋଗୁଁ ଛୋଟବଡ଼ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣା ମଧ୍ୟ ଘଟୁଛି। ‌ସୂଚନାଯୋଗ୍ୟ, ମଙ୍ଗଳାବାଗ-ନୂଆପାଟଣା-ମାଛୁଆବଜାର ରାସ୍ତାରେ ସବୁ ସମୟରେ ଭିଡ଼ ରହିଥାଏ। ‌ଏବେ ଏହି ରାସ୍ତାର ଗୋଟିଏ ପାର୍ଶ୍ବରେ ଏକ ବଡ଼ ଡ୍ରେନ୍ ନିର୍ମାଣ ହେବା ପରେ ରାସ୍ତାର ଓସାର କମିଯାଇଛି। ଡ୍ରେନ୍‌ ନିର୍ମାଣ ସରିଥିଲା ବେଳେ ତିନି ମାସ ହେଲା ‌ଏହା ବିପଦସଂକୁଳ ଭାବେ ମୁକୁଳା ପଡ଼ିଛି।

ଲୋକ କାଠପଟା ପକାଇ ଯା’ଆସ କରୁଛନ୍ତି। ଛୋଟ ପିଲା, ମହିଳା ଓ ବୟସ୍କମାନେ ଭୟରେ ଘରୁ ବାହାରି ପାରୁନାହାନ୍ତି। ସ୍ଥାନୀୟ ଲୋକେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ତୁରନ୍ତ ଡ୍ରେନ୍‌ ଉପରେ ସ୍ଲାବ୍ ପକାଇବାକୁ ନୂଆପାଟଣା ପୂଜା କମିଟି ସଂପାଦକ ରମାକାନ୍ତ ଦାସ, ସଞ୍ଜୟ ସାହୁ, ମନୋଜ ସାହୁ, ବିକାଶ ‌ବେହେରା, ଛବି ବେହେରା, ପ୍ରଦୀପ ସାହୁ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର