ନୂଆପାଟଣା-ବଣିଆ ସାହି ଡ୍ରେନ୍ ନିର୍ମାଣର ମନ୍ଥର ଗତି, ଦେଢ଼ ବର୍ଷ ହେଲା ସରୁନି ୬ଶହ ମିଟର ଲମ୍ବ ଡ୍ରେନ୍ କାମ

ବାରମ୍ବାର ଘଟୁଛି ଦୁର୍ଘଟଣା; କର୍ତ୍ତୃପକ୍ଷ ନିରବଦ୍ରଷ୍ଟା

କଟକ: କଟକ ପୌର ନିଗମ ୩୪ ନମ୍ବର ୱାର୍ଡରେ ଦେଢ ବର୍ଷ ହେଲା ଚାଲିଥିବା ୬ ଶହ ମିଟର ଡ୍ରେନ କାମ ଶେଷ ହୋଇ ପାରୁ ନାହିଁ। ଡ୍ରେନ କାମ ପାଇଁ ନିଗମ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ ହୋଇଥିଲେ ବି ସେଥିରୁ କୌଣସି ସୁଫଳ ମିଳୁ ନାହିଁ। ବିପଦଶଙ୍କୁଳ ଭାବେ ଡ୍ରେନ କାମ ଚାଲୁଥିବାରୁ ଏଥିରେ ପଡି ଅନେକ ଲୋକ ଆହତ ହେଉଥିବା ବେଳେ ଠିକାଦାରଙ୍କ ବିରୋଧରେ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁ‌ଷ୍ଠାନ ନ ନେବା ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି।
ସହରର ୩୪ ନମ୍ବର ୱାର୍ଡର ମାଛୁଆବଜାର ଜଗନ୍ନାଥ ମନ୍ଦିରରୁ ନୂଆପାଟଣା ଓ ମଙ୍ଗଳାବାଗ ‌ହୋଇ ବଣିଆସାହିର ଡାକ୍ତର ପୀତବାସ ଦାସଙ୍କ ଘର ପର୍ଯ୍ୟନ୍ତ ୬ଶହ ମିଟର ଡ୍ରେନ କାମ ଚାଲିଛି। ଦେଢ ବର୍ଷ ତଳେ ୬୫ ଲକ୍ଷ ଟଙ୍କାରେ ଟେଣ୍ଡର କରାଯାଇ କାମ ଆରମ୍ଭ ହୋଇଥିଲା। ମାତ୍ର ଦେଢ ବର୍ଷ ମଧ୍ୟରେ ମାତ୍ର ୪ଶହ ମିଟରର କାମ ହୋଇଛି। ଅନ୍ୟପଟେ ଡ୍ରେନ ମଧ୍ୟରେ ପିଇବା ପାଣି ପାଇପ ଓ ଇଲେକ୍ଟ୍ରିକ ଖୁଣ୍ଟି ନ ରଖିବାକୁ ନିଗମ ତରଫରୁ କୁହାଯାଉଛି। କିନ୍ତୁ କାମ ଶେଷ ହୋଇଥିବା ୪ଶହ ମିଟର ଡ୍ରେନ ମଧ୍ୟରେ ୮ରୁ ଅଧିକ ଇଲେକ୍ଟ୍ରିକ ଖୁଣ୍ଟି ଥିବା ବେଳେ ୨୫ରୁ ଅଧିକ ପାଣି ପାଇପ ରହିଛି।

ପାଣି ପାଇପ ଡ୍ରେନ ମଧ୍ୟରେ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଜଣ୍ଡିସ୍‌ ବ୍ୟାପିବାର ଆଶଙ୍କା ରହିଛି। ସେହିପରି ନାଳ ମଧ୍ୟରେ ଇଲେକ୍ଟ୍ରିକ ଖୁଣ୍ଟି ଥିବାରୁ ପାଣି ନିଷ୍କାସନରେ ସମସ୍ୟା ହେବ ବୋଲି ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଅଭିଯୋଗ ପରେ ଗତ କିଛି ଦିନ ତଳେ ମେୟର ସୁବାସ ସିଂହ ଡ୍ରେନ କାମ ଦେଖିବା ସହ ଏହାକୁ ୧୫ ଦିନରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ମେୟର ଅନୁଧ୍ୟାନ କରି ଯିବାର ୪ ଦିନ ଯାଏ ବି କାମ ଆରମ୍ଭ ହୋଇ ନାହିଁ। ଏ ସଂପର୍କରେ କର୍ପୋରେଟର ଦୀପକ କୁମାର ଦାସ କହିଛନ୍ତି ଯେ ଗଲା ଦେଢ ବର୍ଷରେ ୬ଶହ ମିଟର ଡ୍ରେନ କାମ ଶେଷ ହୋଇ ପାରିଲା ନାହିଁ। ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି। ତିନି/ଚାରି ଦିନ ତଳେ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଲହୁଲୁହାଣ ହୋଇ ପଡିଥିଲେ। ତାଙ୍କୁ ହସ୍ପିଟାଲର‌େ ଭର୍ତ୍ତି କରାଯାଇଥିଲା। ଏନେଇ ନିଗମ ନିକଟରେ ଅଭିଯୋଗ ହୋଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। କାମ ଶିଘ୍ର ଶେଷ ନହେଲେ ଏହାକୁ ବିରୋଧ କରି ଅଞ୍ଚଳବାସୀ ପୌର ନିଗମରେ ଧାରଣା ଦେ‌ବେ ବୋଲି ଶ୍ରୀ ଦାସ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର