କଟକ : ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଡ୍ରେନେଜ୍ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜ୍ଞାନ କୁମାର ବେଉରିଆ। ଶ୍ରୀ ବେଉରିଆଙ୍କର ସଂପତ୍ତି ଆକଳନ ପାଇଁ ଆଜି ଭିଜିଲାନ୍ସ ଟିମ୍ ଏକ ସମୟରେ ୬ଟି ଜାଗାରେ ଚଢଉ କରିଛି। ଏପର୍ଯ୍ୟନ୍ତ ହୋଇଥିବା ଚଢଉରେ ୧ କୋଟି ୪୪ ଲକ୍ଷ ୩୩ ହଜାର ୫୬୨ ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସଂପତ୍ତି ଠାବ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ ଆଜି ଶ୍ରୀ ବେଉରିଆଙ୍କର ଭୁବନେଶ୍ୱର ଜୟଦେବ ବିହାର ଠାରେ ୩ ମହଲା କୋଠା, ପଟିଆ ଫେଜ୍-୨ ଆଦର୍ଶ ବିହାରରେ ଥିବା ୨ ମହଲା କୋଠା, ଯାଜପୁର ଚୋରଦାଠାରେ ଥିବା ଦୁଇ ମହଲା କୋଠା, ଭୁବନେଶ୍ୱର ବରମୁଣ୍ଡାରେ ଥିବା ଭଡ଼ା ଘର, କଟକ ନୂଆବଜାରରେ ଥିବା ଶ୍ୱଶୁର ଘର, କଟକ ଗଣ୍ଡରପୁରରେ ଥିବା ଡ୍ରେନେଜ ବିଭାଗ ଅଫିସରେ ଚଢଉ କରାଯାଇଥିଲା। ଶ୍ରୀ ବେଉରିଆ ୧୯୯୩ରେ ଠିକା ନିଯୁକ୍ତି ପାଇ ଚାକିରି ଆରମ୍ଭ କରିଥିବା ବେଳେ ୧୯୯୯ରେ ତାଙ୍କ ଚାକିିରି ନିୟମିତ ହୋଇଥିଲା। ୨୦୧୪ରେ ସେ ସହକାରୀ ନିର୍ବାହୀ ଯନ୍ତ୍ରୀ ପାହ୍ୟାକୁ ପଦୋନ୍ନତି ପାଇଥିଲେ।
ଆଜିର ଚଢଉ ସମୟରେ ତାଙ୍କଠାରୁ ୧ ଲକ୍ଷ ୩ ହଜାର ୬୦୦ ଟଙ୍କା କ୍ୟାସ୍ ମିଳିଥିବା ବେଳେ ୭ ଭରିରୁ ଅଧିକ ସୁନା, ୫ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ଗୃହ ଉପକରଣ, ୪ଟି ଦୁଇ ଚକିଆ ଗାଡ଼ି, ୨୪ ଲକ୍ଷ ୪୪ ହଜାର ଟଙ୍କାରୁ ଅଧିକ ସ୍ଥାୟୀ ଜମା, ୧୨ ଲକ୍ଷ ୭୬ ହଜାରରୁ ଅଧିକ ବୀମା ବିନିଯୋଗ ଠାବ କରାଯାଇଛି। ଶ୍ରୀ ବେଉରିଆଙ୍କ ସଂପତ୍ତି ସଂପର୍କରେ ଅଧିକ ଖୋଳତାଡ଼ ଚାଲିଛି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/vigilanceraid.jpg)