୫ ବର୍ଷ ପରେ ବି ହୋଇ ପାରିଲାନି ସିଏମ୍‌ସିର ଡ୍ରେନେଜ୍‌ ଡିଭିଜନ୍‌

ଜଳବନ୍ଦୀରେ ଘାଣ୍ଟି ହେଉଛନ୍ତି କଟକିଆ; ପୁରୁଣା ଢାଞ୍ଚାରେ ଡ୍ରେନ୍ ବଢାଉଛି ସମସ୍ୟା

କଟକ: ଟିକିଏ ବର୍ଷାରେ ଜଳବନ୍ଦୀ ସମସ୍ୟାରେ ଘାଣ୍ଟି ହୁଅନ୍ତି କଟକିଆ। ଲୋକଙ୍କ ଘରେ ଦିନ ଦିନ ଧରି ନର୍ଦ୍ଦମା ପାଣି ଜମି ରହେ। ସରକାର କଟକର ବିକାଶର ନକ୍ସା ଆଙ୍କୁଥିବା ବେଳେ ବର୍ଷ ବର୍ଷ ଧରି ସହରବାସୀଙ୍କ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ପ୍ରତିକାର କେବେ ହେବ, ତାହାକୁ ନେଇ କିନ୍ତୁ ଉତ୍ତର ମିଳୁନି। ସହରରେ ଜଳବନ୍ଦୀ ସମସ୍ୟାର ମୂଳ କାରଣ ହେଉଛି ବିପର୍ଯ୍ୟସ୍ତ ଡ୍ରେନ ବ୍ୟବସ୍ଥା। ଏହାର ସମାଧାନ ପାଇଁ ୨୦୧୫ରେ ଏକ ସ୍ବତନ୍ତ୍ର ଡ୍ରେନେଜ୍‌ ଡିଭିଜନ୍‌ ମହାନଗର ନିଗମ ପକ୍ଷରୁ କରିବାକୁ କର୍ତ୍ତୃପକ୍ଷ ଯୋଜନା କରିଥିଲେ। ଉକ୍ତ ଡିଭିଜନ୍‌ ସହରର ଡ୍ରେନ ନିର୍ମାଣରେ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରିବା ସହ ସେଗୁଡ଼ିକର ମରାମତି କରିବା ଦିଗରେ କାମ କରିବ ବୋଲି କୁହାଯାଇ ଥିଲା। ମାତ୍ର ଏହା ମଧ୍ୟରେ ୫ବର୍ଷରୁ ଅଧିକ ଦିନ ବିତିଯାଇ ଥିଲେ ବି ସିଏମସି କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତା ଓ ଆନ୍ତରିକତା ଅଭାବ ଯୋଗୁଁ ଡ୍ରେନେଜ୍ ଡିଭିଜନ୍‌ ଗଠନ ହୋଇ ପାରିଲା ନାହିଁ। କଟକିଆଙ୍କୁ ଜଳବନ୍ଦୀରୁ ମୁକ୍ତି ଦେବାକୁ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଇଚ୍ଛା ନଥିବା ଏଥିରୁ ଜଳଜଳ ବାରି ହୋଇ ପଡୁଛି।
ମହାନଗର ନିଗମ ପକ୍ଷରୁ ସହର ମଧ୍ୟରୁ ବର୍ଷାଜଳ ନିଷ୍କାସନ ପାଇଁ ବ୍ୟବସ୍ଥିତ ଢଙ୍ଗରେ ନୂତନ ଡ୍ରେନ ନିର୍ମାଣ, ପୁରୁଣା ଡ୍ରେନ ମରାମତି ଓ ଏହାର ରକ୍ଷଣାବେକ୍ଷଣ ସହ ଜାଇକା ସହିତ ସମନ୍ବୟ ରଖିବା ପାଇଁ ଏକ ନୂତନ ଡ୍ରେନେଜ୍‌ ବିଭାଗ ଖୋଲିବାକୁ ସିଏମ୍‌ସି କର୍ତ୍ତୃପକ୍ଷ ପ୍ରସ୍ତାବ ଆଣିଥିଲେ।

ଓଡ଼ିଶା ମ୍ୟୁନିସିପାଲ କର୍ପୋରେସନ୍‌ ଆକ୍ଟ ଅନୁଚ୍ଛେଦ ୨୮୭(୧) ଅନୁଯାୟୀ ସହରର ଜଳ ନିଷ୍କାସନ କରିବା ପାଇଁ ଆବଶ୍ୟକ ନୂତନ ଡ୍ରେନ ନିର୍ମାଣ ଓ ମରାମତି ଦାୟିତ୍ବ ନିଗମ ଉପରେ ଛଡାଯାଇଛି। ମାତ୍ର ସିଏମସିର ଅନେକ ୱାର୍ଡରେ ଏବେ ସୁଦ୍ଧା ଡ୍ରେନଜ୍‌ ବ୍ୟବସ୍ଥାକୁ ସଂପୂର୍ଣ୍ଣ କରାଯାଇ ପାରିଲା ନାହିଁ। ଏପରି କି କିଛି ଅଞ୍ଚଳ ଦୀର୍ଘ ୨୫ ବର୍ଷରୁ ଅଧିକ ଦିନ ଧରି ନିଗମ ସହିତ ସଂଯୁକ୍ତ ହୋଇଥିଲେ ବି ସେଠାରେ ଜଳ ନିଷ୍କାସନ ପାଇଁ ଡ୍ରେନର ବ୍ୟବସ୍ଥା କରାଯାଇ ନାହିଁ। ମହାନଗର ନିଗମରେ ଏକ ସ୍ବତନ୍ତ୍ର ଡ୍ରେନେଜ୍‌ ଡିଭିଜନ୍‌ ଖୋଲିବାକୁ ୨୦୧୫ରେ ଯୋଜନା ପ୍ରସ୍ତୁତ କରାଯାଇ ଥିବା ବେଳେ ୨୦୧୬ ଅକ୍ଟୋବରରେ ସିଏମ୍‌ସି କାଉନସିଲ୍‌ ବୈଠକରେ ପ୍ରସ୍ତାବ ଅନୁମୋଦନ କରାଯାଇଥିଲା। ୫ବର୍ଷ ତଳୁ ‌ଅନୁମୋଦନ ମିଳିସାରଥିବା ଏହି ଯୋଜନା କାଗଜକଲମରୁ ଏଯାଏ ଆଗକୁ ବଢ଼ିପାରିଲା ନାହିଁ। ସିଏମ୍‌ସି ତଥ୍ୟ ଅନୁଯାୟୀ, ସହରରେ ମୋଟ ୧୭୨୯ କିଲୋମିଟରର ଡ୍ରେନ ରହିଛି। ସେଥିରୁ ୨୨ କିଲୋମିଟର ଏମ୍‌ଏସ୍‌ଡବ୍ଲୁସି-୧ ଓ ୨ ଡ୍ରେନ ଏବଂ ୨୯ କିଲୋମିଟର ବିଏସ୍‌ଡବ୍ଲୁ ଶାଖା ଡ୍ରେନ ରହିଛି। ଏହାଛଡ଼ା ୫୨୦ କିଲୋମିଟର ସରଫେସ୍‌, ୧୩୦ କିଲୋମିଟର ମେଜର ସରଫେସ୍‌ ଡ୍ରେନ ଥିବା ବେଳେ ବଳକା ୧୦୨୮ କିଲୋମିଟର କଚ୍ଚା ଡ୍ରେନ ରହିଛି। ସିଏମ୍‌ସିରେ ସ୍ବତନ୍ତ୍ର ଡ୍ରେନେଜ୍‌ ଡିଭିଜନ୍‌ ନ ଥିବାରୁ ନିଗମ ପକ୍ଷରୁ ସବୁ ଡ୍ରେନର ରକ୍ଷଣାବେକ୍ଷଣ କରିବା ସମ୍ଭବ ହେଉ ନାହିଁ। ଏପରିକି, ପଙ୍କୋଦ୍ଧାର ସମୟରେ ଜାଇକା ଓ ସିଏମ୍‌ସି ମଧ୍ୟରେ ସମନ୍ବୟ ଅଭାବ ରହୁନଥିବା ଦେଖିବାକୁ ମିଳୁଛି।

ବଡ ଡ୍ରେନ ଗୁଡିକର ସଫେଇ କାମ ଜାଇକା ଉପରେ ଥିବା ବେଳେ ଏହା ଠିକ ଭାବେ କରାଯାଉ ନଥିବା ସିଏମ୍‌ସି ପକ୍ଷରୁ ବାରମ୍ବାର ଅଭିଯୋଗ ହେଉଛି। ଡ୍ରେନେଜ୍‌ ଡିଭିଜନ୍‌ ନଥିବାରୁ ଅନେକ ସମୟରେ କେଉଁ ଡ୍ରେନ କିଏ ସଫା କରିବ ତାକୁ ନେଇ ଦ୍ବନ୍ଦ୍ବ ଉପୁଜିଛି। ସ୍ବତନ୍ତ୍ର ଡିଭିଜନ୍‌ ନଥିବାରୁ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଅଭିଜ୍ଞ ଯନ୍ତ୍ରୀଙ୍କ ବିନା ସହରର ଡ୍ରେନ ଗୁଡିକ ନିର୍ମାଣ ହେଉଛି। ଫଳରେ ଏଥିରେ ଅନେକ ତ୍ରୁଟି ଦେଖାଯିବା ସହିତ ବର୍ଷାଜଳ ନିଷ୍କାସନରେ ସମସ୍ୟା ହେଉଛି। ଡ୍ରେନେଜ୍ ଡିଭିଜନ୍‌ କରିବାକୁ ୨୦୧୫ରେ ସିଏମସି ପକ୍ଷରୁ ଯୋଜନା ପ୍ରସ୍ତୁତ କରାଗଲା। ଏହା ହୋଇଥିଲେ ସହରର ସମସ୍ତ ଡ୍ରେନର କାମ ଏକ ନିର୍ଦ୍ଦିଷ୍ଟ ବିଭାଗ ବୁଝିଥାନ୍ତା। ଏଥିପାଇଁ ସ୍ବତନ୍ତ୍ର ଇଂଜିନିୟର ଟିମ୍‌ କାମ କରିଥାନ୍ତା। ହେଲେ ଆଜି ସୁଦ୍ଧା ନିଗମ ପକ୍ଷରୁ ଏହା କେବଳ ଯୋଜନା ଭିତରେ ରହିଗଲା ବୋଲି ନିଗମର ପ୍ଲାନିଂ ଆଣ୍ଡ ଡେଭଲପ୍‌ମେଣ୍ଟ କମିଟିର ଅଧ୍ୟକ୍ଷ ତଥା ପୂର୍ବତନ କର୍ପୋରେଟର ମନୋଜ କୁମାର ସେଠୀ କହିଛନ୍ତି।

ସମ୍ବନ୍ଧିତ ଖବର