କଟକ: ଦାୟିତ୍ବ ଗ୍ରହଣ କରିବାର କେଇଦିନ ପରେ ମହାନଗର ନିଗମର ବିଭିନ୍ନ ଅଞ୍ଚଳ ବୁଲିବା ବେଳେ ମେୟର୍ ସୁବାସ ସିଂହ ସହରର ବିଭିନ୍ନ ଅବ୍ୟବସ୍ଥା ତୁରନ୍ତ ସୁଧାରିବାକୁ ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇ କହିଥିଲେ। ରାସ୍ତାଘାଟ ମରାମତି, ନର୍ଦମା ସଫେଇ ଓ ପଙ୍କ ଉଦ୍ଧାର କାର୍ଯ୍ୟ କରାଯିବା ସହ ଡ୍ରେନ୍ରୁ ବାହାରୁଥିବା ପଙ୍କ ସେହିଦିନ ଉଠାଯିବ ବୋଲି ମେୟର୍ ସେତେବେଳେ କହିଥିଲେ। ଏପରିକି ଗତ ସପ୍ତାହରେ ମେୟର୍ଙ୍କ ଉପସ୍ଥିତିରେ କମିସନର୍ ନେଇଥିବା ବୈଠକରେ ବି ଏହାକୁ ଦୋହରା ଯାଇଥିଲା। ହେଲେ, ସେ ସବୁ ଘୋଷଣା କେବଳ ଘୋଷଣାରେ ସୀମିତ ରହିଯାଇଛି। ଆଜି ବି ସହରର ଗଳିମାନଙ୍କରେ ଡ୍ରେନ୍ରୁ ପଙ୍କ କଢ଼ାଯିବା ପରେ ଦିଇ/ତିନିଦିନ ରାସ୍ତାରେ ପଡ଼ି ରହୁଛି।
ସେଇ ଦୁଇ/ତିନିଦିନ ଭିତରେ ବର୍ଷା ହେଲେ ଡ୍ରେନ୍ରୁ ଉଠାଯାଇଥିବା ପଙ୍କ ପୁଣି ଡ୍ରେନ୍ ଭିତରକୁ ବହିଯାଉଛି। ଆଜି ଅରୁଣୋଦୟନଗରର ସାଉଥ୍ପଏଣ୍ଟ୍ ହସ୍ପିଟାଲ୍ ଗଳିରେ ଡ୍ରେନ୍ରୁ ଉଠାଯାଇଥିବା ପଙ୍କ ଏହାର ସଦ୍ୟ ଉଦାହରଣ। ଅନ୍ୟ ଅଞ୍ଚଳ ତ’ ଦୂରର କଥା, ହସ୍ପିଟାଲ୍ ସାମ୍ନାରୁ ପଙ୍କ ବି ଗୋଟିଏ ଦିନରେ ଉଠାଇବାକୁ ନିଗମ ପକ୍ଷରୁ ନିୟୋଜିତ ସଂସ୍ଥା ଜରୁରି ମଣିନି। ମେୟର୍ଙ୍କ ଘୋଷଣାକୁ ଡ୍ରେନ୍ ସଫା କରୁଥିବା ଲୋକ ସାମାନ୍ୟ ଗୁରୁତ୍ବ ଦେଉ ନଥିବା ଦେଖାଯାଉଛି।