ଏଥର ବର୍ଷାରେ ବୁଡ଼ିବ କଟକ!

ପାଖେଇ ଆସିଲାଣି ମୌସୁମୀ; ୪ ମାସ ହେଲା ପଙ୍କୋଦ୍ଧାର କାମ ବନ୍ଦ

କଟକ: କରୋନା ଆଳରେ ଡ୍ରେନରୁ ପଙ୍କ ଉଦ୍ଧାର କାମକୁ ମହାନଗର ନିଗମ ଭୁଲିଗଲା । ମୌସୁମୀ ଆସିବା ପୂର୍ବରୁ ମେ’ ମାସ ସୁଦ୍ଧା ସହରର ‌ସମସ୍ତ ଗଳିକନ୍ଦି ଓ ମୁଖ୍ୟ ଡ୍ରେନରୁ ପଙ୍କ ଉଦ୍ଧାର କାମ ଶେଷ ହେବା କଥା। ମାତ୍ର ଏଥର ଡ୍ରେନ୍‌ ସଫେଇକୁ ଗୁରୁତ୍ବ ଦେଇନି ସିଏମ୍‌ସି। ୨୦୧୯ରୁ ‌ବର୍ଷର ସବୁ ସମୟରେ ସହର ମଧ୍ୟରେ ପଙ୍କ ଉଦ୍ଧାର କାମ କରାଯାଉଛି ବୋଲି ନିଗମ ପକ୍ଷରୁ କୁହାଯାଉଥିବା ବେଳେ ଚଳିତବର୍ଷ ଫେବ୍ରୁଆରିରୁ ଡ୍ରେନରୁ ପଙ୍କ ଉଦ୍ଧାର କାମ ଏକପ୍ରକାର ବନ୍ଦ ରହିଛି। ସିଏମ୍‌ସିର ଛୋଟନାଳରୁ ଆରମ୍ଭ କରି ଏମ୍‌ଏସ୍‌ଡବ୍ଲୁ ପରି ବଡ଼ ଡ୍ରେନ୍‌ଗୁଡିକ ସଫା ହୋଇ ନଥିବାରୁ ଏଥର ବର୍ଷାରେ ସହରରେ ଜଳବନ୍ଦୀ ସମସ୍ୟା ଅତି ଗୁରୁତର ହେବା ଆଶଙ୍କା କରାଯାଉଛି। କରୋନା ମହାମାରୀ ମଧ୍ୟରେ ସହରବାସୀ ଚଳିତବର୍ଷ ଏହି ସମସ୍ୟାରେ ଘାଣ୍ଟି ହେବା ସୁନିଶ୍ଚିତ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ହେଲାଣି।

ବର୍ଷା ଆସିବା ଆଗରୁ ସହର‌ର ସାହି ଡ୍ରେନ୍‌ରୁ ମୁଖ୍ୟ ଡ୍ରେନ୍‌ କିମ୍ବା ସ୍ଲୁଇସ୍‌ ଗେଟ୍‌ଠାରେ ପଙ୍କ ଉଦ୍ଧାର କାମ ଜୋରଦାର କରାଯାଏ। ଫେବ୍ରୁଆରିରୁ  ମେ’ ପର୍ଯ୍ୟନ୍ତ; ୪ ମାସ ମଧ୍ୟରେ ସହରର ସମସ୍ତ ଡ୍ରେନରୁ ପଙ୍କ ଉଦ୍ଧାର କାମ କରାଯାଏ। ମାତ୍ର ୨୦୧୯ ମେ’ ମାସ‌ରେ ଆସିଥିବା ଫନି ବାତ୍ୟା ପରେ ସହର ମଧ୍ୟରେ ବର୍ଷର ସବୁ ସମୟରେ ପଙ୍କ ଉଦ୍ଧାର କାମ କରିବାକୁ ସିଏମ୍‌ସି ନିଷ୍ପତ୍ତି ନେଇଥିଲା। ଗତବର୍ଷ ନିଗମର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯାଇଥିଲେ ବି ବର୍ଷା ଦିନରେ ସହରର ଅନେକ ସ୍ଥାନରେ ଲୋକେ ଜଳବନ୍ଦୀ‌ରେ ରହିଥିଲେ। ଏଥର ସହର ସମସ୍ତ ଛୋଟନାଳରୁ ଆରମ୍ଭ କରି ବିଏସ୍‌ଡବ୍ଲୁ ଓ ‌ଏମ୍‌ଏସ୍‌ଡବ୍ଲୁ ପରି ବଡ଼ ଡ୍ରେନରୁ ପଙ୍କ ସଫେଇ କାମ ହୋଇ ନାହିଁ। ବର୍ଷର ସବୁ ସମୟରେ ନାଳ ସଫା କରାଯାଉଥିବା ସିଏମସି କହୁଥିବା ବେଳେ ଚଳିତବର୍ଷ ଫେବୁଆରିରୁ ଏହି କାମ ବନ୍ଦ ରହିଛି। କେଉଁଠାରେ ବି ଡ୍ରେନ୍‌ ‌ସଫେଇ କାମ କରାଯାଉଥିବା ଦେଖିବାକୁ ମିଳୁ ନାହିଁ। ଏପରିକି କେଶରପୁର, ଗହ୍ମାଡିଆ, ବଜ୍ରକବାଟି ରୋଡ୍‌ ଦେଇଯାଇଥିବା ମୁଖ୍ୟ ଏମ୍‌ଏସ୍‌ଡବ୍ଲୁ-୧ ଡ୍ରେନରୁ ପଙ୍କ ସଫା କରାଯାଇ ନଥିବା ବେଳେ ନାଳରେ ଭାସୁଥିବା ଆବର୍ଜନା ମଧ୍ୟ ଉଠାଯାଉ ନାହିଁ। ବର୍ଷା ପୂର୍ବରୁ ‌ନାଳଗୁଡ଼ିକ ସଫା କରାଯାଇ ନଥିବାରୁ ଏଥର ବର୍ଷାଜଳ ନିଷ୍କାସନରେ ଅନେକ ସମସ୍ୟା ଦେଖାଯିବ।

ସେହିପରି ସହରର ବିଭିନ୍ନ ସ୍ଥାନରେ ଜାଇକା କାମ ଯୋଗୁଁ ଡ୍ରେନ୍‌ଗୁଡିକ ମାଟିରେ ପୋତି ହୋଇଥିବାବେଳେ ସେଗୁଡ଼ିକ ମଧ୍ୟ ସଫା ହୋଇ ନାହିଁ। ଚଳିତବର୍ଷ ଠିକ ସମୟରେ ଜୁନ୍‌ ପ୍ରଥମ ସପ୍ତାହ ମଧ୍ୟରେ ମୌସୁମୀ ଆସିବ ବୋଲି ପାଣିପାଗ ବିଭାଗ କହୁଥିବା ବେଳେ ସିଏମ୍‌ସି ହାତରେ ଡ୍ରେନ ସଫେଇ ପାଇଁ ଆଉ ସମୟ ନାହିଁ। ପୂର୍ବରୁ ସିଏମ୍‌ସି ଓ ଜାଇକା ସମସ୍ତ ପୂର୍ବ ପ୍ରସ୍ତୁତି ଓ ଯୋଜନା ସତ୍ତ୍ବେ ସହରବାସୀଙ୍କ ଘରେ ‌ଡ୍ରେନ ପାଣି ପଶୁଥିଲା। ଟିକିଏ ବର୍ଷାରେ ସହରର ଅନେକ ଅଞ୍ଚଳର ଲୋକେ ଜଳବନ୍ଦୀରେ ରହି ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏଥର ଡ୍ରେନ୍‌ ସଫେଇ କାମକୁ ନିଗମ ଆଖି ବୁଜି ଦେଇଥିବା ବେଳେ ଜଳବନ୍ଦୀ ସମସ୍ୟା କରୋନା ମହାମାରୀଠାରୁ ବଳିଯିବ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଲାଣି।

ସମ୍ବନ୍ଧିତ ଖବର