କଟକରେ ବନ୍ଦ ହେବ ନକଲି ସାମଗ୍ରୀ ପ୍ରସ୍ତୁତ କାରଖାନା; ଜିଲ୍ଲା ପ୍ରଶାସନ ଓ ସିଏମସିର ମିଳିତ ଉଦ୍ୟମରେ ଗଠନ ହେଲା ୧୦ଟି ସ୍କ୍ୱାର୍ଡ

କଟକ: ନାମୀଦାମୀ ବ୍ରାଣ୍ଡର ନକଲି ସାମଗ୍ରୀର ହବ୍ ପାଲଟିଛି କଟକ ସହର । ବିଭିନ୍ନ ବ୍ରାଣ୍ଡ ନାଁରେ ନକଲି ସାମଗ୍ରୀ ପ୍ରସ୍ତୁତ କରି ବଜାରରେ ବିକି ମାଲାମାଲ ହେଉଛନ୍ତି ମାଫିଆ। ମସଲା, ସସ, ଘିଅ ଓ ମହୁ ଖାଦ୍ୟ ସାମଗ୍ରୀ ନାଁରେ ଗ୍ରାହକଙ୍କ ବିଶ୍ବାସରେ ବିଷ ଦେଉଛନ୍ତି ଅପମିଶ୍ରିତ କାରଖାନା ମାଲିକ। ହେଲେ ଏବେ ଏଥିରେ ପଡିବ ପୂର୍ଣ୍ଣଚ୍ଛେଦ। ଆଉ ଚଳିବନି ନକଲି ଫ୍ୟାକ୍ଟ୍ରି ମାଲିକଙ୍କର ମନମାନି । ସମଗ୍ର ଜିଲ୍ଲାରେ ନକଲି କାରଖାନା ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ବ୍ଲୁପ୍ରିଣ୍ଟ । ଏନେଇ ଗଠନ ହେବ ସ୍କ୍ବାର୍ଡ । ଯାହା ଉଭୟ ସହର ଓ ଜିଲ୍ଲାକୁ ଅନ୍ତର୍ଭୁକ୍ତ କରିବେ ।

ସିଏମସିରେ ଚୋରୋଟି ଓ ଜିଲ୍ଲାରେ ଛଅଟି ଟିମ ସର୍ବଦା ନଜର ରଖିବେ । ଯେଉଁଠିବି ସନ୍ଦେହ ହେବ ସେଠାରେ ସଙ୍ଗେ ସଙ୍ଗେ ଚଢ଼ାଉ ହେବ । ଏହାଛଡ଼ା ଟୋଲ ଫ୍ରି ନମ୍ବର ମଧ୍ୟ ଜାରି ହେବ ବୋଲି ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଛି । ଦେଢମାସ ମଧ୍ୟରେ ୧୫ରୁ ଅଧିକ ନକଲି କାରଖାନା ଠାବ କରାଯାଇଛି। ଅନେକ ଏହି ମାମଲାରେ ଗିରଫ ମଧ୍ୟ ହୋଇ ସାରିଲେଣି । ଖାଦ୍ୟ ସମଗ୍ରୀରେ ବିଷାକ୍ତ କେମିକାଲ ମିଶାଉଥିବା ଅଭିଯୋଗରେ ଗିରଫ ପ୍ରକ୍ରିୟା ମଧ୍ୟ ଜାରି ରଖିଛି ପୁଲିସ । ଚୌଦ୍ବାର, କଟକ ସଦର ଓ ମାଲଗୋଦାମ ଅଞ୍ଚଳରୁ ଅନେକ ନକଲି କାରଖାନା ସିଲ ମଧ୍ୟ ହୋଇଛି । ତେବେ ଆଗମୀ ଦିନରେ ଏହି ପ୍ରକ୍ରିୟା ଆହୁରି କଡାକଡି କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି। କେବେ ନକଲି ଘିଅ ତ କେବେ ନକଲି ସସ ।
ଜନଗହଳିପୂର୍ଣ୍ଣ କଟକ ସହର ଏବେ ନକଲି ସାମଗ୍ରୀ ପ୍ରସ୍ତୁତର ପେଣ୍ଠସ୍ଥଳ ପାଲଟିଛି । ତେବେ, ଦେଖିବାକୁ ବାକି ରହିଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ଏହି ମିଶନ କେତେ ସଫଳ ହେଉଛି ।

ସମ୍ବନ୍ଧିତ ଖବର