ତୁରନ୍ତ ହଟାଅ ସତୀଚୌରା ଡମ୍ପିଂୟାର୍ଡ, ଲୋକଙ୍କ ଚେତାବନୀ: ଅସହ୍ୟ ହେଲାଣି, ଆଉ ନୁହଁ

କଟକ: କଟକ ମହାନଗର ନିଗମ ଅଞ୍ଚଳର ମୌଳିକ ସମସ୍ୟା ସୁଧାରିବା ଦାୟିତ୍ବ କାହାର? ଗୋଟିଏ ପଟେ ରାସ୍ତାଘାଟ, ଡ୍ରେନ, ପରିମଳ, ରାସ୍ତା ଆଲୋକ ବ୍ୟବସ୍ଥା ବିପର୍ଯ୍ୟସ୍ତ। ଅନ୍ୟପଟେ ସହରର ପ୍ରମୁଖ ରାସ୍ତା ପାର୍ଶ୍ବରେ ଜନବସତି ଅଞ୍ଚଳରେ ରହିଥିବା ସତୀଚୌରା ଡମ୍ପିଂୟାର୍ଡ ୨୦ ହଜାରରୁ ଅଧିକ ଲୋକଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟାକୁ ଏଭଳି ପ୍ରଭାବିତ କରି ଚାଲିଛି ଯେ ଲୋକେ ଘର ଭିତରେ ରହିବା ବି ଅନେକ ସମୟରେ କଷ୍ଟକର ହୋଇ ପଡୁଛି। ପୂତିଗନ୍ଧମୟ ପରିବେଶ ସହରର ସୌନ୍ଦର୍ଯ୍ୟ ନଷ୍ଟ ସହିତ ଲୋକଙ୍କ ସ୍ବାସ୍ଥ୍ୟଗତ ସମସ୍ୟାକୁ ଡାକି ଆଣୁଛି। ମର୍କତନଗରର ପ୍ରବେଶ ପଥ, ସତୀଚଉରା ନିକଟରେ ଥିବା କଟକ ମହାନଗର ନିଗମର ବର୍ଜ୍ୟବସ୍ତୁ ସଂଗ୍ରହ କେନ୍ଦ୍ର ବା ଡମ୍ପିଂୟାର୍ଡକୁ ଯୋଗୁଁ ଲୋକେ ଭୋଗି ଆସୁଥିବା ଯନ୍ତ୍ରଣାର ଅନ୍ତ କେବେ ହେବ, ତାହାକୁ ନେଇ ସାଧାରଣ ଲୋକ ଅସହାୟ ଭାବେ ପ୍ରଶ୍ନ କରୁଛନ୍ତି। ସତୀଚୌରାର ଡମ୍ପିଂୟାର୍ଡ, ଆବର୍ଜନା ଯୋଗୁଁ ଆଖପାଖ ୪ କିମି ଅଞ୍ଚଳ ଦୁର୍ଗନ୍ଧରେ ଫାଟୁଛି।

ରିଙ୍ଗ ବନ୍ଧ ଦେଇ ଯାଇ ହେଉନି। ସତୀଚଉରା, ଇଦ୍‌ଘା କଲୋନୀ ସତୀ ଗୁମ୍ଫା, ଶିବାଜୀ ନଗର, ଜଗନ୍ନାଥ ସାହି, ନେତାଜୀନଗର, ଇମାମପଡା ଓ ଆଖାପାଖ ବସ୍ତି ଅଞ୍ଚଳରେ ରହୁଥିବା ଲୋକ ଏଠାରେ ସ୍ବାଭାବିକ ଭାବେ ରହି ପାରୁନାହାନ୍ତି। ଡମ୍ପିଂ ୟାର୍ଡ ଯୋଗୁଁ ରିଙ୍ଗ୍ ବନ୍ଧ ରାସ୍ତାର ଅଧା ଆବର୍ଜନାରେ ଜମି ରହୁଛି। ରାସ୍ତା ଉପରେ ଗାଡି ରଖି ଆବର୍ଜନା ଅନଲୋଡ କରାଯାଉଛି। ଗାଡ଼ିଗୁଡ଼ିକ ଖୋଲ‌ାରେ ଆବର୍ଜନା ଆଣୁଥିବାରୁ ସେ ଗୁଡିକ ଉଡ଼ିଲୋକଙ୍କ ଘରେ ପଶୁଛି। ରାସ୍ତା ଉପରେ ମେଡିକାଲ ଜୈବ ବର୍ଜ୍ୟବସ୍ତୁ ପଡ଼ି ରହୁଛି। ବର୍ଷା ହେଲେ ଦୁର୍ଗନ୍ଧ ଏତେ ଉତ୍କଟ ହେଉଛି ଯେ ତାହା ମର୍କତନଗର ଓ ସେଲଟର ଛକ ପର୍ଯ୍ୟନ୍ତ ବ୍ୟାପି ଯାଉଛି।

ଲୋକେ ତାତିଲେଣି, ସିଏମସି କର୍ତ୍ତୃପକ୍ଷ ଦାୟୀ ରହିବେ
କଟକ ସହରର ଏକ ପ୍ରମୁଖ ଅଞ୍ଚଳ, ରିଂ ବନ୍ଧ ବା ମୁଖ୍ୟ ରାସ୍ତା ପାର୍ଶ୍ବରେ ସହରର ସମସ୍ତ ଆବର୍ଜନାକୁ ଗଦା କରି ରଖିବା ଆଦୌ ଶୋଭାପାଉନି। ଏହା କେବଳ ସହରର ସୌନ୍ଦର୍ଯ୍ୟ ନଷ୍ଟ କରୁନି, ଏଠା‌କାର ପରିବେଶ ପୁତିଗନ୍ଧମୟ ହୋଇଯାଇଛି। ଏହି ରାସ୍ତା ଦେଇ ବିଚାରପତିଙ୍କ ଠାରୁ ଆରମ୍ଭ କରି ସହରର ଭିଭିଆଇପି ମାନେ ଯା ଆସ କରୁଛନ୍ତି। ମାତ୍ର ସିଏମସି କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି। ରିଂ ବନ୍ଧ ଜନବସତି ଅଞ୍ଚଳରେ ଆବର୍ଜନା ପରିଚାଳନା କେନ୍ଦ୍ର (ସଂଗ୍ରହ କେନ୍ଦ୍ର) ରହିବା ଉଚିତ ନୁହେଁ। ଏ ନେଇ କର୍ପୋରେଟର ହିସାବରେ ମୁଁ ବହୁ ବାର ଦାବି କରିଛି। ଏବେ ଲୋକ ତାତିଲେଣି, ସିଏମସି ଏହାକୁ ତୁରନ୍ତ ସ୍ଥାନାନ୍ତର ନ କଲେ ପରବର୍ତ୍ତି ପରିସ୍ଥିତି ପାଇଁ ସିଏମସି କର୍ତ୍ତୃପକ୍ଷ ଦାୟୀ ରହିବେ।
ଧର୍ମେଶ ନାୟକ, ପୂର୍ବତନ କର୍ପୋରେଟର

୧୦ ବର୍ଷ ହେବ ଯନ୍ତ୍ରଣା ଭୋଗିଲୁଣି ଆଉ ନୁହେଁ
ପ୍ରଥମେ କହିଲେ ଏଠାରେ କମ୍ପୋଷ୍ଟ ‌ହେବ, ଖତ ସାର ତିଆରି ହେବ। ଏହା ଆବଦ୍ଧ ରହିବ, କିଛି ସମସ୍ୟା ହେବନି। ଏବେ କିନ୍ତୁ ସାର ନୁହେଁ, ଅଳିଆ ଆବର୍ଜନା ଜମା କରି ପରିବେଶକୁ ନଷ୍ଟ କରୁଛନ୍ତି। ଇଦଘା କଲୋନିଠାରୁ ଆରମ୍ଭ କରି ଆଖପାଖର ଲୋକ ଘରେ ରହିପାରୁ ନାହାନ୍ତି। ନାକରେ କପଡା ନ ଦେଲେ ଘରେ ବି ବସି ହେଉନି। ସହରର ସବୁ ବର୍ଜ୍ୟବସ୍ତୁ ଏଠାରେ ପକାଯାଉଛି। ଫଳରେ ସଂକ୍ରମଣ ସୃଷ୍ଟି କରୁଛି। ଦୀର୍ଘ ୧୦ ବର୍ଷ ହେବ ଯନ୍ତ୍ରଣା ଭୋଗିଲୁଣି। ଏବେ କିନ୍ତୁ ଅସହ୍ୟ ‌ହେଲାଣି। ଆଉ ସହି ହେଉନି। ସିଏମସି କର୍ତୃପକ୍ଷ ଗୋଟିଏ ଦିନ ଆସି ସାହିରେ ରହି‌ ଦେଖନ୍ତୁ, ଆମେ ଏଠି କେମିତି ରହୁଛୁ।
ମହମ୍ମଦ ଅବୁଦଲ ସେହଜାଦ; ଇଦଘା କଲୋନି

ଘରେ ରହିପାରୁନୁ, ରୋଗାକ୍ରାନ୍ତ ହେଲୁଣୁ
ଗନ୍ଧରେ ପୁରା ଅଞ୍ଚଳ ଫାଟି ପଡୁଛି। ଜଣେ ବାହାର ଲୋକ ଆସିଲେ ୫ ମିନିଟ ଠିଆ ‌ହେଲେ ବାନ୍ତି କରି ଦେବ। ବାହାରେ ବୁଲିବା ତ ଦୂରର କଥା ଆମେ ଆମ ଘରେ ବି ରହିପାରୁନୁ। ଉତ୍କଟ ଗନ୍ଧ ଯୋଗୁଁ ଆମେ ଓ ଆମ ପିଲା ରୋଗ୍ରାକ୍ରାନ୍ତ ହେଉଛନ୍ତି। କଟମ ମହାନଗର ନିଗମ ତୁରନ୍ତ ଏଠାରୁ ଏହାକୁ ସ୍ଥାନାନ୍ତର କରୁ। ଅନ୍ୟ ଖୋଲା ଜାଗ‌ାରେ ନେଇ ଡମ୍ପିଂୟାର୍ଡ କରୁ।
‌‌ସେଖ୍ ଅବଦୁଲ୍ଲା, ସ୍ଥାନୀୟ ବାସିନ୍ଦା

ବର୍ଷା ହେଲେ ସ୍ଥିତି ଅସମ୍ଭାଳ
ଖରା ହେଲେ ଟିକେ ବସି ଉଠି ହେଉଛି, ବର୍ଷା ହେଲେ ସ୍ଥିତି ନ କହିଲେ ଭଲ। ବର୍ଷା ହେବା ମାତ୍ରେ ଗନ୍ଧ ଅଧିକ ଉତ୍କଟ ହେଉଛି। ଘରେ କି ବାହାରେ ରହି ‌ହେଉନି। ଆମେ ଏ ନେଇ ବହୁବାର ଅଭିଯୋଗ କଲୁଣୁ। ମାତ୍ର ଆମ କଥା କେହି ଶୁଣୁ ନାହାନ୍ତି। ଏବେ ଏହା ଆମକୁ ଯନ୍ତ୍ରଣା ଦେଲାଣି। ସ୍ଥିତି ନ ସୁଧୁରିଲେ ଆମେ ସମସ୍ତେ ଏକାଠି ହୋଇ ଏହାର ପ୍ରତିବାଦ କରିବୁ।
ସେଖ ହନିଫ ବକ୍ସ, ସ୍ଥାନୀୟ ବାସିନ୍ଦା

ତୁରନ୍ତ ସ୍ଥାନାନ୍ତର ହେଉ
ଏହି ଆବର୍ଜନା ଆମ ପାଇଁ ଏକ ବଡ ସମସ୍ୟା ସୃଷ୍ଟି କଲାଣି। ସିଏମସି କର୍ତୃପକ୍ଷ ଏବେ ଏହାକୁ ତୁରନ୍ତ ଏଠାରୁ ସ୍ଥାନାନ୍ତର କରନ୍ତୁ। ଏହି ରାସ୍ତା ଦେଇ ଲୋକ ଯାଇ ପାରୁନାହାନ୍ତି। ଏଠାରେ ଢଳା ହେଉଥିବା ଆବର୍ଜନା ଜରି ଉଡି ଲୋକଙ୍କ ଘର ଭିତ‌ରେ ପଶୁଛି। ରିଙ୍ଗ ବନ୍ଧ ନଷ୍ଟ ହେଉଛି। ମେଡିକାଲର ଆବର୍ଜନା ରାସ୍ତା ଉପରେ ଗଡୁଛି। ତେଣୁ ତୁରନ୍ତ ଏହାକୁ ଏଠାରୁ ସ୍ଥାନାନ୍ତର କରାଯିବା ଆବଶ୍ୟକ।
ଫରିଦ ଖାନ, ସ୍ଥାନୀୟ ବାସିନ୍ଦା

କବାଟ, ଝରକା ବନ୍ଦ କରି ରହିବାକୁ ପଡ଼ୁଛି
ପବନ ହେଲେ ସବୁ ଆବର୍ଜନା ଯାଇ ଘରେ ଭିତରେ ପଶୁଛି। ଫଳରେ ଆମକୁ ସବୁ ବେଳେ ଘର କବାଟ ଝରକା ବନ୍ଦ କରି ରଖିବାକୁ ପଡୁଛି। ସିଏମସି କର୍ତୃପକ୍ଷ ଏହାକୁ ତୁରନ୍ତ ସ୍ଥାନାନ୍ତର କରନ୍ତୁ। ସ୍ଥାନାନ୍ତର ନ କଲେ ଆନ୍ଦୋଳନ ହେବ।
ସେଖ୍ ମସିଉଲ୍ଲା, ସ୍ଥାନୀୟ ବାସିନ୍ଦା

ରାସ୍ତା ଉପରେ ଫିଙ୍ଗି ଦେଇ ପଳାଉଛନ୍ତି
ଆବର୍ଜନା ଆଣିଲା ବେଳେ ଠିକ୍ ଭାବେ ଆଣୁ ନାହାନ୍ତି। ସକାଳୁ ସକାଳୁ ରାସ୍ତାରେ ଯାଇ ହେଉନି। ଟ୍ରାକ୍ଟରରେ ଆସୁଥିବା ଆବର୍ଜନାକୁ ରାସ୍ତା ଉପରେ ଢାଳି ପଳାଉଛନ୍ତି। ଏହି ଆବର୍ଜନାକୁ ଠିକ୍ ଭ‌ାବେ ଅପସାରଣ କରାଯାଉନାହିଁ।
ସାଜିଦ ଖାନ, ସ୍ଥାନୀୟ ବାସିନ୍ଦା

ସ୍ଥାନାନ୍ତର ନ ହେଲେ ହେବ ଜନ ଆନ୍ଦୋଳନ
ଏଠାରୁ ଡମ୍ପିଂୟାର୍ଡକୁ ସ୍ଥାନାନ୍ତର କରିବାକୁ ଆମେ ବହୁବାର ଅଭିଯୋଗ କରିଛୁ। ଏ ନେଇ ଆନ୍ଦୋଳନ କରିଛୁ। ବିଧାୟକଙ୍କୁ ଜଣାଇଛୁ। ରାସ୍ତା ଅବରୋଧ ବି କରିଛୁ। ମାତ୍ର ସିଏମସି କର୍ତ୍ତୃପକ୍ଷ ଏହାକୁ କର୍ଣ୍ଣପାତ କରୁ ନାହାନ୍ତି। ଏବେ କିନ୍ତୁ ସବୁ ସୀମା ଟପିଲାଣି। ଏ ସମସ୍ୟାର ସ୍ଥାୟୀ ସମାଧାନ ନ ହେଲେ ଆମେ ସାହି ବାସିନ୍ଦା ଓ ଆଖପାଖ ଲୋକ ଆନ୍ଦୋଳନ କରିବୁ। ସିଏମସି ଅଫିସ‌ ଘେରିବୁ।
ମହମ୍ମଦ ସାହିଦ; ସଂପାଦକ, ଇଦ୍‌ଘା କଲୋନି

ସମ୍ବନ୍ଧିତ ଖବର