୯ମାସ ହେଲା ରାଜ୍ୟର ସର୍ବପୁରାତନ ବତକ ପ୍ରଜନନ କେନ୍ଦ୍ର ଅଚଳ

ପୁରୁଣା ହାଚେରି କାମ ଦେଉନି, ନୂଆ ପାଇଁ ଚାଲିଛି ଯୋଗାଯୋଗ, ନୂଆ ଆଳରେ ଅଟକିଛି ରାଜ୍ୟର ବୃହତ୍ତମ କୃଷିଭିତ୍ତିକ ଶିଳ୍ପ

କଟକ: ମରାମତି ହୋଇପାରିବନି ରାଜ୍ୟର ସର୍ବପୁରାତନ ଖପୁରିଆସ୍ଥିତ ବତକ ପ୍ରଜନନ କେନ୍ଦ୍ର। ପୁରୁଣା ହାଚେରି, ମେସିନ୍‌ ସବୁ ଅଚଳ। ୯ମାସ ହେଲା ଉତ୍ପାଦନ ସଂପୂର୍ଣ୍ଣ ବନ୍ଦ। ଯେତିକି ବତକ ଥିଲେ, ସେ ବି ଆଉ ନାହାନ୍ତି। ଫଳରେ ଅଚଳ ସ୍ଥିତିରେ ଥିବା ବତକ ପ୍ରଜନନ କେନ୍ଦ୍ରକୁ କିପରି ପୁଣି ଥରେ କାର୍ଯ୍ୟକ୍ଷମ କରାଯିବ ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଛି। ନୂଆ ହାଚେରି କରିବା ପାଇଁ କର୍ତ୍ତୃପକ୍ଷ ଆଇପିଡିସି ସହିତ ଆଲୋଚନା ଚଳାଇଛନ୍ତି। ଖୁବ୍‌ଶୀଘ୍ର କେନ୍ଦ୍ରରେ ପୁଣି ଥରେ ନୂଆ ‌ହାଚେରି ବସାଯାଇ ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି କୁହାଯାଉଛି। କିଛିମାସ ପୂର୍ବରୁ, ଅର୍ଥାତ୍‌ ଗତ ସେପ୍ଟେମ୍ବର୍‌ ମାସରେ ପ୍ରବଳ ବର୍ଷା ଯୋଗୁଁ କେନ୍ଦ୍ରରେ ପାଣି ଜମି ବତକ ମୃତ୍ୟୁ ପରେ ହାଚେରି ମରାମତି ପାଇଁ କାମ ନେଇଥିବା ସଂସ୍ଥା କାମ କରୁନି। ଫଳରେ ହାଚେରି କାମ ଆଗେଇ ପାରୁନି। ଏହି ଘଟଣାକୁ ନେଇ ବତକ ପ୍ରଜନନ କେନ୍ଦ୍ର କର୍ତ୍ତୃପକ୍ଷ କାରଣଦର୍ଶାଅ ନୋଟିସ୍‌ ଜାରି କରିଥିଲେ ବି ସ୍ଥିତି କିନ୍ତୁ ସୁଧୁରୁନି। ବତକ ପ୍ରଜନନ କେନ୍ଦ୍ର ମ୍ୟାନେଜର୍‌ ପଦ ଖାଲି ପଡ଼ିଥିବାରୁ ଟାଙ୍ଗୀ ବ୍ଳକ୍‌ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଦାୟିତ୍ବରେ ଏବେ ଏହି କେନ୍ଦ୍ର ରହିଛି। କିନ୍ତୁ ୩ ମାସ ହେଲା ବତକ ଚିଆଁ ପ୍ରଜନନ ବନ୍ଦ ଥିଲା ବେଳେ ଆଗକୁ ଆଉ କେତେମାସ ‌ବନ୍ଦ ହେବ, ତାହାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଫଳରେ ଚାଷୀ ଏବେ ଘରୋଇ ସଂସ୍ଥାରୁ ଅଧିକ ଦରରେ ବତକ ଚିଆଁ କିଣୁଛନ୍ତି। ଖପୁରିଆଠାରେ ଥିବା ଏହି ବତକ ପ୍ରଜନନ କେନ୍ଦ୍ର ବିଭିନ୍ନ ରାଜ୍ୟରୁ ବିଭିନ୍ନ ବ୍ରିଡ୍‌ର ତଥା ଉନ୍ନତମାନର ବତକ ଅଣ୍ଡା ଆଣି ପ୍ରଜନନ କରିବା ସହ ରାଜ୍ୟର ଚାଷୀଙ୍କୁ ଉନ୍ନତମାନର ବତକ ଯୋଗାଇ ଥାଏ। ବର୍ଷକ ତଳେ ପାଖାପାଖି ୭ଶହ ଅଣ୍ଡା ବେଙ୍ଗ‌ାଲୁରୁରୁ ଅଣାଯାଇଥିଲା। ସେଗୁଡିକୁ ହାଚେରିରେ ରଖାଯାଇଥିଲା। ତେବେ ସେହି ଅଣ୍ଡାରୁ ଛୁଆ ଫୁଟାଯିବା ପରେ ଫାର୍ମରେ ୪ରୁ ୮ସପ୍ତାହର ୭ଶହ ବତକ ଛୁଆ ରଖାଯାଇଥିଲା।

କିନ୍ତୁ ଗଲା ସେପ୍ଟେମ୍ବର୍‌ ୧୪ରେ କଟକରେ ପ୍ରବଳ ବର୍ଷା ଯୋଗୁଁ ପ୍ରଜନନ କେନ୍ଦ୍ରରେ ଥିବା ହାଚେରି, ୨ଟି ଫାର୍ମ, ଅଫିସ୍‌ ଗୃହ, ଜେନେରେଟର୍‌ ଗୃହ, ଦାନା ଗୋଦାମ, ଫିଡ୍‌ ୟୁନିଟ୍‌ରେ ପାଣି ପଶିଯାଇଥିଲା। ପାଣି ନିଷ୍କାସନର କୌଣସି ବ୍ୟବସ୍ଥ‌ା ନଥିବାରୁ ୪ ଦିନ କାଳ ପାଣି ଜମି ରହିବା ସହିତ ୪୫୫ ବତକଙ୍କ ମୃତ୍ୟୁ ହୋଇଥିଲା। ସେହି ସମୟରେ ଯେଉଁ କିଛି ବତକଙ୍କୁ କୃଷକ ଭବନକୁ ସ୍ଥାନାନ୍ତର କରାଯାଇଥିଲା ଏହି କେନ୍ଦ୍ରରେ ପାଣି ପଶିଯିବା ଓ ଦୀର୍ଘଦିନ ଧରି ପାଣିଘେରରେ କେନ୍ଦ୍ର ରହିବା ଫଳରେ ଏହାର ହାଚେରି ଏବେ ତା’ କ୍ଷମତା ହରାଇଛି ଓ ଏଥିରୁ ଉତ୍ପାଦନ ହୋଇପାରୁନି। ୨୦୦୮ର ହାଚେରି ଓ ଇନ୍‌କ୍ୟୁଭେଟର୍‌ ସେ ସମୟରେ ୧୫ହଜାର ବତକ ପ୍ରଜନନ ପାଇଁ କ୍ଷମତା ରଖିଥିଲା। କିନ୍ତୁ ଦୀର୍ଘବର୍ଷର ପ୍ରକଳ୍ପ ହୋଇଥିବାରୁ ଏହାର କ୍ଷମତା ହ୍ରାସ ପାଇବା ସହ ବର୍ଷାପାଣିରେ ଏହା ଅଚଳ ହୋଇଯାଇଥିବା କୁହାଯାଉଛି। ଏହାର ମରାମତି କାର୍ଯ୍ୟ ଏକ ସଂସ୍ଥାକୁ ଦିଆଯାଇଥିଲା। କିନ୍ତୁ ସେହି ପୁରୁଣା ହାଚେରି କାମରେ ଆସୁନି। ଫଳରେ ନୂଆ ଯୋଜନାରେ ଆହୁରି କେତେ ଦିନ ବନ୍ଦ ରହିବ ବତକ ପ୍ରଜନନ କେନ୍ଦ୍ର ତାକୁ ନେଇ ସବୁ ମହଲରେ ଚର୍ଚ୍ଚା। କାରଣ ସରକାରୀ ସଂସ୍ଥା ବୋଲି ରାଜ୍ୟର ଏଭଳି ବୃହତ୍ତ କୃଷିଭିତ୍ତିକ ପ୍ରକଳ୍ପର ଅବସ୍ଥାକୁ ନେଇ ଏବେ ଚାଷୀ ମହଲରେ ବିମୁଖତା ଦେଖାଦେଲାଣି। ସରକାରୀ ସଂସ୍ଥା ଉପରୁ ଭରସା ତୁଟାଇ ଘରୋଇ ସଂସ୍ଥା ପ୍ରତି ଚାଷୀଙ୍କୁ ଆକୃଷ୍ଟ କରିବାକୁ ସରକାର ପରୋକ୍ଷରେ ସୂଚାଇ ଦେଉଥିବା କିଛି ଚାଷୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର