କଟକ: ଦୁଇ ମାସ ବିତିଗଲା। ହେଲେ ଆଜି ସୁଦ୍ଧା ମରାମତି ସରିପାରିଲାନି ରାଜ୍ୟର ସର୍ବପୁରାତନ ଖପୁରିଆସ୍ଥିତ ବତକ ପ୍ରଜନନ କେନ୍ଦ୍ର। ଏହାର ମରାମତି ଏବେ ୭ଦିନ ତଳୁ ଆରମ୍ଭ ହୋଇଥିବାବେଳେ ୨୦୦୮ର ହାଚେରି ଓ ଇନ୍କ୍ୟୁଭେଟର କ୍ଷମତା କମିଛି। ଫଳରେ ମରାମତି ନକଲେ ଏହାର ଉତ୍ପାଦନ ହାର କମିବ। ତେଣୁ ଯେଉଁ ଚିଆଁ ଉତୁରି ଯାଇଥିଲେ ଓ କିଛିଦିନ ପରେ ବଣ୍ଟନ ଆରମ୍ଭ ହୋଇଥାନ୍ତା, ସେସବୁ ବର୍ଷାପାଣିରେ ଉବୁଟୁବୁ ହୋଇ ମରିଗଲେ। ଯାହା କିଛି ଜୀବିତ ଅଛନ୍ତି ସେଗୁଡିକୁ ବ୍ରିଡିଙ୍ଗ କରାଯାଇପାରୁନି, କାରଣ ହାଚେରି ଖରାପ। ଫଳରେ ଖପୁରିଆ ବତକ ପ୍ରଜନନ କେନ୍ଦ୍ରରୁ ଚିଆଁ ଉତ୍ପାଦନ ପାଇଁ ଆହୁରି ଦୁଇମାସ ଚାଷୀଙ୍କୁ ଅପେକ୍ଷା କରିବାକୁ ପଡିବ। ଯଦି ଠିକ୍ ଢଙ୍ଗରେ ମରାମତି ନହୁଏ ତେବେ ଏହି ଅବଧି ବି ବଢ଼ିପାରେ।
ରାଜ୍ୟର ଏଭଳି ବୃହତ୍ତ କୃଷିଭିତ୍ତିକ ପ୍ରକଳ୍ପର ଅବସ୍ଥାକୁ ନେଇ ଏବେ ଚାଷୀ ମହଲରେ ବିମୁଖତା ଦେଖାଦେଲାଣି। ଗତ ସେପ୍ଟେମ୍ବର ୧୪ରେ ବର୍ଷା ପାଣିରେ ଉବୁଟୁବୁ ହୋଇଥିଲା କଟକର ଖପୁରିଆସ୍ଥିତ ବତକ ପ୍ରଜନନ କେନ୍ଦ୍ର। ବର୍ଷା ଛାଡ଼ିବା ପାଇଁ ୪ଦିନ ସମୟ ଲାଗିଥିଲେ ବି ପାଖାପାଖି ୧୦ଦିନ ଧରି ଏହାର ପ୍ରଭାବରେ କାର୍ଯ୍ୟ ସବୁ ପ୍ରଭାବିତ ହୋଇଥିଲା। ହାଚେରି, ଫାର୍ମ ଓ ଅଫିସ୍ ଗୃହ ପାଣିରେ ବୁଡ଼ି ରହିଥିଲା। ଏଭଳି ସ୍ଥିତିରେ ଦୁଇଦିନରେ ୪ରୁ ୮ସସ୍ତାହର ୪୫୫ରୁ ଅଧିକ ବତକଙ୍କ ମୃତ୍ୟୁ ଘଟିଥିଲା। ସେହି ସମୟରେ ଯେଉଁ ୨୪୫ ବତକଙ୍କୁ କୃଷକ ଭବନକୁ ସ୍ଥାନାନ୍ତର କରାଯାଇଥିଲା ସେଥିରୁ ଏବେ ୧୭୦ ବତକ ପ୍ରଜନନ କେନ୍ଦ୍ରରେ ରହିଛନ୍ତି। ଏହି କେନ୍ଦ୍ରରେ ପାଣି ପଶିଯିବା ଓ ଦୀର୍ଘଦିନ ଧରି ପାଣିଘେରରେ କେନ୍ଦ୍ର ରହିବା ଫଳରେ ଏହାର ହାଚେରି ଏବେ ତାର କ୍ଷମତା ହରାଇଛି ଓ ଏଥିରୁ ଉତ୍ପାଦନ ହୋଇପାରୁନି।
୨୦୦୮ର ହାଚେରି ଓ ଇନ୍କ୍ୟୁଭେଟରର ସେ ସମୟରେ ୧୫ହଜାର ବତକ ପ୍ରଜନନ ପାଇଁ କ୍ଷମତା ରଖିଥିଲା। କିନ୍ତୁ ଦୀର୍ଘବର୍ଷର ପ୍ରକଳ୍ପ ହୋଇଥିବାରୁ ଏହାର କ୍ଷମତା ହ୍ରାସ ପାଇବା ସହ ବର୍ଷାପାଣିରେ ଏହା ଅଚଳ ହୋଇଯାଇଥିବା କୁହାଯାଉଛି। ଏହାର ମରାମତି କାର୍ଯ୍ୟ ଏବେ ଯଦିଓ ଆରମ୍ଭ ହୋଇଛି କିନ୍ତୁ ଏହା ସରିବା ପାଇଁ ଆହୁରି ୧୦ଦିନ ଉପରେ ସମୟ ଲାଗିବ। ଫଳରେ ପୁଣି ଥରେ ଏହି ପ୍ରଜନନ କେନ୍ଦ୍ରର ହାଚେରିରୁ ବତକ ବାହାରିବାକୁ ଅତିକମ୍ରେ ଦୁଇମାସ ସମୟ ଲାଗିବ ବୋଲି କେନ୍ଦ୍ରର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ଖପୁରିଆଠାରେ ଥିବା ଏହି ବତକ ପ୍ରଜନନ କେନ୍ଦ୍ର ବିଭିନ୍ନ ରାଜ୍ୟରୁ ବିଭିନ୍ନ ବ୍ରିଡ୍ର ତଥା ଉନ୍ନତମାନର ବତକ ଅଣ୍ଡା ଆଣି ପ୍ରଜନନ କରିବା ସହ ରାଜ୍ୟର ଚାଷୀଙ୍କୁ ଉନ୍ନତମାନର ବତକ ଯୋଗାଇଥାଏ।
ଗତ କିଛିମାସ ତଳେ ପାଖାପାଖି ୭ଶହ ଅଣ୍ଡା ବେଙ୍ଗାଲୁରରୁ ଅଣାଯାଇଥିଲା। ସେଗୁଡିକୁ ହାଚେରିରେ ରଖାଯାଇଥିଲା। ତେବେ ସେହି ଅଣ୍ଡାରୁ ଛୁଆ ଫୁଟାଯିବା ପରେ ଏବେ ଫାର୍ମରେ ୪ରୁ ୮ସପ୍ତାହର ୭ଶହ ବତକ ଛୁଆ ରଖାଯାଇଥିଲା। ଅବିରାମ ବର୍ଷା ଯୋଗୁଁ ପ୍ରଜନନ କେନ୍ଦ୍ରରେ ଥିବା ହାଚେରି, ୨ଟି ଫାର୍ମ, ଅଫିସ୍ ଗୃହ, ଜେନେରେଟର ଗୃହ, ଦାନା ଗୋଦାମ, ଫିଡ୍ ୟୁନିଟ୍ରେ ପାଣି ପଶିଯାଇଥିଲା। ପୂର୍ତ୍ତ ବିଭାଗ ପକ୍ଷରୁ ନୂଆପଡ଼ାରୁ ପ୍ରେସ୍ ଛକଯାଏ ଚାଲିଥିବା ରାସ୍ତାକାମ ଯୋଗୁଁ ଏହି ପାଣି ସବୁ ଖପୁରିଆ ପ୍ରଜନନ କେନ୍ଦ୍ର ଭିତରେ ପଶିଥିବାରୁ ଏଭଳି ଅସୁବିଧା ସୃଷ୍ଟି ହୋଇଥିବା କୁହାଯାଇଥିଲା। ନିଷ୍କାସନର କୌଣସି ବ୍ୟବସ୍ଥା ନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା ଯେ, ୪୫୫ ବତକଙ୍କ ଏକକାଳୀନ ମୃତ୍ୟୁ ହୋଇଥିଲା।