ଜଗତପୁରରେ ନକଲି ପାନମସଲା କାରଖାନାରେ ଚଢ଼ାଉ; ୫୦ ଲକ୍ଷର ସାମଗ୍ରୀ ଓ ମେସିନ୍‌ ଜବତ, ମାଲିକ ଫେରାର

ବନ୍ଦ ଆଇସକ୍ରିମ୍‌ କମ୍ପାନି ପଛପଟେ ଚାଲୁଥିଲା ନକଲି କାରଖାନା

କଟକ-ଜଗତପୁର: ଜଗତପୁର ନୂତନ ଶିଳ୍ପାଞ୍ଚଳସ୍ଥିତ ଫେଜ୍‌-୩ରେ ଚାଲୁଥିବା ଏକ ନକଲି ପାନମସଲା(ଜର୍ଦ୍ଦା) କାରଖାନାରେ ଆଜି ପୁଲିସ ଚଢ଼ାଉ କରିଛି। ଚଢ଼ାଉ ସମୟରେ ବିପୁଳ ପରିମାଣରେ କଞ୍ଚାମାଲ୍‌, ପ୍ରସ୍ତୁତ ମସଲା ଓ ମେସିନ ଜବତ କରାଯାଇଛି। ତେବେ, ନକଲି କାରଖାନାର ମାଲିକ ଓ କର୍ମଚାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୫୦ଲକ୍ଷରୁ ଅଧିକ ହେବ ବୋଲି ସୂଚନା ମିଳିଛି।
ମିଳିଥିବା ତଥ୍ୟ ମୁତାବକ, ଜଗତପୁରର ନୂତନ ଶିଳ୍ପାଞ୍ଚଳ ଫେଜ୍‌-୩ର ଏକ ଅଚଳ ଆଇସକ୍ରିମ କମ୍ପାନି ପଛପଟ କୋଠାରେ ନକଲି ପାନମସଲା କମ୍ପାନି ଚାଲିଥିବା ନେଇ ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଫେଜ୍‌-୩ସ୍ଥିତ ଏକ ଅଚଳ ଆଇସକ୍ରିମ କମ୍ପାନି ପଛପଟେ ଥିବା ୩ଟି ବଡ଼ ହଲ୍‌ ମଧ୍ୟରେ ଉକ୍ତ ନକଲି ପାନମସଲା କାରଖାନା ଚାଲିଥିଲା।

ଜଗତପୁର ଥାନା ଆଇଆଇସି ରବୀନ୍ଦ୍ରନାଥ ମେହେର ଓ କଟକ ଜୋନ୍-୧ ଏସିପି ଅମରେନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ଏକ ପୁଲିସ ଟିମ୍‌ ସେଠାରେ ଚଢ଼ାଉ କରିବା ପାଇଁ ପହଞ୍ଚିଥିଲା। ପୁଲିସ ଚଢ଼ାଉ କରିବାକୁ ପହଞ୍ଚିବା ବେଳକୁ କାରଖାନାର ମାଲିକ ଓ କର୍ମଚାରୀମାନେ ଫେରାର୍‌ ହୋଇଯାଇଥିଲେ। ପୁଲିସ ଟିମ୍‌ ସେଠାରୁ ୫୦ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ନମ୍ବର-୧ ବ୍ରାଣ୍ଡ୍‌ ପ୍ରିଣ୍ଟ୍‌ ଥିବା ପାନମସଲା, କଞ୍ଚାମାଲ, ବ୍ୟବହାର ହେଉଥିବା‌ କେମିକାଲ ଏବଂ ୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ମେସିନ ଜବତ କରିଥିଲା। ଜବତ କଞ୍ଚାମାଲ ମଧ୍ୟରେ ଅଳେଇଚ, ଗୁଜୁରାତି ଗୁଣ୍ଡ, ଗୁଆ, ମୁଲତାନ ମାଟି, ଜର୍ଦା ସାମଗ୍ରୀ ଥିବା ୪୦ରୁ ଅଧିକ ବସ୍ତା ତଥା ପ୍ରସ୍ତୁତ ହୋଇଥିବା ବିପୁଳ ପରିମାଣ ମସଲା ମିଳିଥିଲା।

ଏହି କମ୍ପାନିରେ ପ୍ରସ୍ତୁତ ମସଲା ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲା ତଥା‌ ପଶ୍ଚିମବଙ୍ଗକୁ ବିକ୍ରି ପାଇଁ ପଠାଯାଉଥିବା ପୁଲିସକୁ ସୂଚନା ମିଳିଛି। କମ୍ପାନିର ମାଲିକ ଓ କାର୍ଯ୍ୟରତ କର୍ମଚାରୀମାନେ ଧରାପଡ଼ିବା ପରେ ବହୁତଥ୍ୟ ପର୍ଦ୍ଦାଫାସ୍‌ ହୋଇପାରିବ ବୋଲି ପୁଲିସ କହିଛି। ପୁଲିସ ତଦନ୍ତ ସମୟରେ ନମ୍ବର-୧ ପ୍ରିଣ୍ଟ୍‌ ଥିବା ଏହି ପାନମସଲା କାରଖାନାର କୌଣସି ଟ୍ରେଡିଂ ଲାଇସେନ୍ସ ଓ ବ୍ୟାଚ ନମ୍ବର ନଥିବା ଜଣାପଡ଼ିଛି। ସାମଗ୍ରୀର ପ୍ରସ୍ତୁତି ଓ ଏକ୍ସପାୟା‌ରି ତାରିଖ ଲେଖା ନଥିବାରୁ ଏହା ସମ୍ପୂର୍ଣ ବେଆଇନ କାରଖାନା ବୋଲି ପ୍ରମାଣ ମିଳିଛି। ଏ ସମ୍ପର୍କରେ ପୁଲିସ ଏକ ମାମଲା (୪୯୪/୨୦) ରୁଜ୍ଜୁ କରି ତଦନ୍ତ ଜାରି ରଖିଛି। ଖୁବ ଶୀଘ୍ର ଅଭିଯୁକ୍ତମାନେ ଧରାପଡ଼ିବେ ବୋଲି ଆଇଆଇସି ରବୀନ୍ଦ୍ରନାଥ ମେହେର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର