ପାନ ଦୋକାନ ଲାଇସେନ୍ସରେ ଗୁଟଖା କାରଖାନା, ୫୦ ଲକ୍ଷର ନକଲି ଗୁଟଖା

ନକଲି ସାମଗ୍ରୀ ୭୦ କ୍ବିଣ୍ଟାଲ ଜବତ, ଅବକାରୀ ବିଭାଗର ଲାଇସେନ୍ସ ବି ନକଲି, ମାଲଗୋଦାମ, ମୁକାମେଶ୍ବରରେ ଚଢ଼ଉ

କଟକ: ସିଏମସି ନିକଟରୁ ପାନ ଦୋକାନ ଖୋଲିବା ପାଇଁ ଲାଇସେନ୍ସ ଆଣିଥିବା ଜଣେ ବ୍ୟବସାୟୀ ଖୋଲିଥିଲା ନକଲି ଗୁଟଖା କାରଖାନା। ଏହି ଲିଙ୍କରେ ଉଭୟ ମାଲଗୋଦାମ ଓ ସଦର ଥାନା ପୁଲିସ ଗୋଟିଏ ବେଆଇନ ଗୁଟଖା କାରଖାନା ଓ ୬ଟି ନକଲି ଗୁଟଖା ଗୋଦାମରେ ଏକକାଳୀନ ଚଢ଼ଉ କରିଛି। ମୋଟ ୫୦ ଲକ୍ଷ ଟଙ୍କାର ନକଲି ଗୁଟଖା ସାମଗ୍ରୀ ଜବତ ହୋଇଛି। ମାଲଗୋଦାମରୁ ଜଣେ ବିହାରୀ ମସଲା ବ୍ୟବସାୟୀ ଗିରଫ ହୋଇଥିବା ବେଳେ ସଦରରୁ ଗୁଟଖା କାରଖାନାର ମାଲିକ ବାପ-ପୁଅ ଫେରାର ହୋଇଯାଇଛନ୍ତି। ଗୋଟିଏ ଦିନରେ ପାଖାପାଖି ୭୦ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ନକଲି ଗୁଟଖା, ଭାଙ୍ଗ ଜବତ ପରେ ସହରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, କଟକରେ ରହୁଥିବା ବିହାରର ଜଣେ ମସଲା ମାଫିଆ ୩୫ ବର୍ଷିୟ କାର୍ତ୍ତିକ ରାମ୍ ଗଲା ୬ ବର୍ଷ ହେବ ଗୋପାଳ ମସଲାର ଡିଲରସିପ୍ ଆଣି ନକଲି ଗୁଟଖା କାରବାର ଆରମ୍ଭ କରିଦେଇଥିଲା। ମାଲଗୋଦାମ ଓଭରବ୍ରିଜ ତଳେ ୬ଟି ଘର ଭଡ଼ାରେ ନେଇ ଏଭଳି ନକଲି କାରବାର ଆରମ୍ଭ କରିଦେଇଥିଲା। ମାଲଗୋଦାମ ଥାନା ପୁଲିସ ଏହି କାରବାର ସମ୍ପର୍କରେ ଖବର ପାଇଁ ଚଢ଼ଉ କରିଥିଲା। ୩ଟି ଘରୁ ପ୍ରାୟ ୬୫ ବସ୍ତା ଭାଙ୍ଗ ଗୁଲି (୨୦ କ୍ବିଣ୍ଟାଲ), ୧୦ ବସ୍ତା ନକଲି ଗୁଟଖା (୨ ଲକ୍ଷ ୨୬ ହଜାର ପ୍ୟାକେଟ୍), ପାନ ମସଲା ଇତ୍ୟାଦି ଜବତ ହୋଇଛି। ଜବତ ସାମଗ୍ରୀର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଆକଳନ କରୁଛି।

Sambad

ଇନ୍ଦୋର ଓ ଛତିଶଗଡ଼ରୁ ଭାଙ୍ଗ ଗୁଲି ଆମଦାନି କରୁଥିବା ବେଳେ ଗୁଟଖା ଭୁବନେଶ୍ବର ଓ କଟକ ସଦର ମୁକାମେଶ୍ବର ଗାଁରୁ ଆମଦାନୀ କରୁଥିଲା। ମାଲଗୋଦାମ ଥାନା ପୁଲିସ ମୁକାମେଶ୍ବର ଲିଙ୍କ୍ ପାଇବା ପରେ ସଦର ଥାନା ପୁଲିସକୁ ଏ ସମ୍ପର୍କରେ ସୂଚନା ଦେଇଥିଲା। ସଦର ଥାନା ପୁଲିସ ମୁକାମେଶ୍ବରରେ ୬୫ ବର୍ଷିୟ କାବୁଲି ଦାସ ଓ ପୁଅ ୩୪ ବର୍ଷିୟ ରାକେଶ ଦାସ ଘରେ ଚଢ଼ଉ କରିଥିଲା। ଏମାନେ ଗଲା ୫ ବର୍ଷ ହେବ ଘରେ ବେଆଇନ ଗୁଟଖା କାରଖାନା ଖୋଲିଥିଲେ। ପୁଲିସର ଚଢ଼ଉରେ ପୁରା ପରିବାର ଘରେ ତାଲା ପକାଇ ଫେରାର ହୋଇଯାଇଥିଲେ। ପୁଲିସ କାରଖାନା ଭିତରେ ପଶି ମୋଟ ୪୦ ଲକ୍ଷ ଟଙ୍କାର ନକଲି ଓ ବେଆଇନ ଗୁଟଖା ୨୦୦ ବସ୍ତା ଜବତ କରିଛି। ଜବତ ସାମଗ୍ରୀର ମୋଟ ମୂଲ୍ୟ ପ୍ରାୟ ୩୫ କ୍ବିଣ୍ଟାଲ୍ ହେବ ବୋଲି ଆକଳନ କରାଯାଉଛି। ଏହାସହିତ ପ୍ରାୟ ୮ ଲିଟର ଗୁଟଖା ବାସ୍ନା ହେବା ପାଇଁ ବ୍ୟବହୃତ ଅତର ବି ପୁଲିସ ଜବତ କରିଛି। ଏହି ବାପ-ପୁଅ କାରଖାନା ସୁଦାମ ସୁପର ଗୁଣ୍ଡି ନାଁରେ ଏକ ନକଲି ଗୁଣ୍ଡି ପ୍ରସ୍ତୁତ କରୁଥିବା ବେଳେ ତିନୋଟି ନିଜସ୍ବ ବ୍ରାଣ୍ଡ କେତକି ଖାରା ଟବାକୋ, ଲକ୍ଷ୍ମୀନାରାୟଣ ବୋତଲ ଗୁଣ୍ଡି, ଦିଲ୍ଲୀ ସୁପର ହରିଡ଼ାଖଣ୍ଡି ଗୁଣ୍ଡି ବି ପ୍ରସ୍ତୁତ କରୁଥିଲେ। ମୋଟ ଉପରେ ଏମାନେ ଗଲା ୫ ବର୍ଷ ହେବ ୪ଟି ନକଲି ବ୍ରାଣ୍ଡ ପ୍ରସ୍ତୁତ କରିଆସୁଥିଲେ। ଏମାନଙ୍କ ନିକଟରେ ବ୍ୟବସାୟ ପାଇଁ ଟ୍ରେଡ୍ ଲାଇସେନ୍ସ, ଟ୍ରେଡ୍ ରେଜିଷ୍ଟ୍ରେସନ ସାର୍ଟିଫିକେଟ, ଫୁଡ ସାର୍ଟିଫିକେଟ ନାହିଁ।

Sambad

ଏହି ବାପ-ପୁଅଙ୍କୁ ୨୦୧୮ ମସିହାରେ ସିଏମସି ପାନ ଦୋକାନ ଖୋଲିବାକୁ ଲାଇସେନ୍ସ ଦେଇଥିଲା। ଯାହାକି ୨୦୨୦ରେ ଏହାର ଅବଧି ଶେଷ ହୋଇଯାଇଛି। କିନ୍ତୁ ସେହି ଲାଇସେନ୍ସ ଦେଖାଇ ନକଲି ଗୁଟଖା କାରଖାନା ଖୋଲିଦେଇଥିଲେ ବାପ-ପୁଅ। ଆହୁରି ସବୁଠାରୁ ଚକିତ କଲା ଭଳି ଘଟଣା ହେଉଛି ପାନ ଦୋକାନରେ ପାନ ମସଲା ବିକ୍ରି କରିବା ପାଇଁ ଅବକାରୀ ବିଭାଗର ସାର୍ଟିଫିକେଟର ଆବଶ୍ୟକତା ଥିବା ବେଳେ ଏମାନେ ଅବକାରୀ ବିଭାଗ ନାଁରେ ଏକ ନକଲି ସାର୍ଟିଫିକେଟ୍ ବି ପ୍ରସ୍ତୁତ କରିଥିଲେ। ପୁଲିସ ଏହାକୁ ବି ଜବତ କରିଛି। ବାପ-ପୁଅ ମାଲଗୋଦାମର କାର୍ତ୍ତିକ ରାମ ଏବଂ ପୁରୀଘାଟର ଅନ୍ୟ ଜଣେ ବ୍ୟକ୍ତିଙ୍କ ନିକଟରୁ କଞ୍ଚା ମାଲ୍ କିଣୁଥିଲେ। ମସଲାରେ ବାସ୍ନା ହେବା ପାଇଁ ଏକ କେମିକାଲ କଲିକତାରୁ କିଣୁଥିଲେ। ଏହି କେମିକାଲ୍ ଖାଦ୍ୟ ପଦାର୍ଥରେ ବ୍ୟବହାର ଅନୁପଯୋଗୀ ହୋଇଥିବା ବେଳେ ନିୟମିତ ସେବନ କଲେ କ୍ୟାନସର ହେବାର ଆଶଙ୍କା ରହିଛି। ଏମାନେ କଟକ ସଦର ଓ ସହର ସମେତ ବାଙ୍କୀ, ଟାଙ୍ଗୀ, ଢେଙ୍କାନାଳ ଓ ଅନ୍ୟ ପଡ଼ୋଶୀ ଜିଲ୍ଲାକୁ ବି ଚାଲାଣ କରିଆସୁଥିଲେ। ଉଭୟ ମାଲଗୋଦାମ ଓ ସଦର ଅଞ୍ଚଳରେ ହୋଇଥିବା ଚଢ଼ଉରେ ଏସିପି ଅମରେନ୍ଦ୍ର ପଣ୍ଡା, ଏସିପି ଚନ୍ଦନ ଘଡ଼େଇ, ମାଲଗୋଦାମ ଆଇଆଇସି ତୃପ୍ତିରଞ୍ଜନ ନାୟକ, ସଦର ଥାନା ଆଇଆଇସି ସୁଧାଂଶୁ ଭୂଷଣ ଜେନା, ଅତିରିକ୍ତ ଆଇଆଇସି ଅନିତା ସାହୁ, ସିଏମସି ନଗର ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର, ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତିକ୍ଷାଦାସ ମହାପାତ୍ର, ସିଏମସିର ଖାଦ୍ୟ ପରିଦର୍ଶକ ଭଗବାନ ଲେଙ୍କା, ତ୍ରୈଲୋକ୍ୟ ସାହୁ ପ୍ରମୁଖ ସାମିଲ ହୋଇଥିଲେ। ଦୁଇ ଅଞ୍ଚଳରୁ ଜବତ ହୋଇଥିବା ନକଲି ଗୁଟଖା ନମୂନା ରାଜ୍ୟ ଖାଦ୍ୟ ପରୀକ୍ଷାଗାରକୁ ପଠାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର