ନକଲି ଔଷଧ ଜବତ ମାମଲାରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ

କଟକ: କଟକର ‌ମହତାବ ରୋଡ୍‌ରେ ଥିବା କୋରିଅର୍ ସଂସ୍ଥା ତ୍ରିଦେବ ଏକ୍ସପ୍ରେସ୍‌ କାର୍ଗୋରୁ ଗତକାଲି ୩ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ନକଲି ଉଚ୍ଚ ରକ୍ତଚାପ ଔଷଧ ଜବତ କରାଯାଇଥିଲା। ନକଲି ଔଷଧ ଘଟଣାରେ ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି ଅଭିଷେକ ଦାସ। ସେ ଜନସ୍ବାର୍ଥ ମାମଲା ରୁଜୁ କରିବା ସହ ଇଣ୍ଟର ଷ୍ଟେଟ୍ ଲିଙ୍କ ରହିଥିବା କୌଣସି ସଂସ୍ଥା ଏହାର ତଦନ୍ତ ନକରି ସିବିଆଇ କରୁ ବୋଲି ଦାବି କରିଛନ୍ତି। ଏହାସହ କେବଳ କାରବାର ନୁହେଁ କେଉଁଠି ଏହା ପ୍ରସ୍ତୁତ ହେଉଛି ସେ ନେଇ ବି ଯାଞ୍ଚ ହେଉ ବୋଲି ସେ ତାଙ୍କ ଆବେଦନରେ ଜଣାଇଛନ୍ତି। ଏହି ମାମଲାରେ ପୁଲିସ୍‌ ଡିଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସଚିବଙ୍କ ସମେତ ୫ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଗତକାଲି ଜବତ ହୋଇଥିବା ନକଲି ଔଷଧରେ ରହିଥିଲା ଟେଲ୍‌ମା ୪୦ ନକଲି ଉଚ୍ଚ ରକ୍ତଚାପ ଔଷଧ।ଏହି ନକଲି ଔଷଧ କାରବାର ମାମଲାରେ ଗତକାଲି ସୁଦ୍ଧା ପୁଲିସ ଓ ଡ୍ରଗ୍‌ସ କଣ୍ଟ୍ରୋଲ ବିଭାଗ କୋଟିଏ ଟଙ୍କାର ସମ୍ପତ୍ତି ଜବତ କରିସାରିଥିଲା। ଏତେ ପରିମାଣର ସମ୍ପତ୍ତି ଜବତ ସହ ନକଲି ଔଷଧ କାରବାରରେ ତିନୋଟି ରାଜ୍ୟର ମାଫିଆ ସମ୍ପୃକ୍ତ ଥିବାରୁ ଏହାର ତଦନ୍ତ ଭାର ସିବିଆଇ ହାତକୁ ଯିବ ବୋଲି ଅନୁମାନ କରାଯାଉଥିଲା।

ଏପଟେ ନକଲି ଔଷଧ କୋରିଅର୍ ମାଧ୍ୟମରେ ଆମଦାନୀ ହୋଇଥିବାରୁ କମିସନରେଟ୍ ପୁଲିସ କଟକ ସହରର ପ୍ରମୁଖ ୧୨ଟି କୋରିଅର୍ ସଂସ୍ଥାରେ ଯାଞ୍ଚ ଆରମ୍ଭ କରିଥିଲା।

ପୂର୍ବରୁ ଭି.ଆର୍ ଡ୍ରଗ୍ ଏଜେନ୍ସିର ରାହୁଲ କ୍ୟାଲ୍ ଓ ପୂଜା ଏଣ୍ଟରପ୍ରାଇଜେସର ସଞ୍ଜୟ ଜଲାନଙ୍କ ନିକଟରୁ ପୁରୀଘାଟ ଥାନା ପୁଲିସ ୩୦ ଲକ୍ଷ ଟଙ୍କାର ନକଲି ଔଷଧ ଜବତ କରିଥିଲା। ଏମାନେ ଖୋଲା ବଜାରରେ ଯେଉଁ ରିଟେଲରଙ୍କୁ ଏହି ନକଲି ଔଷଧ ବିକ୍ରି କରିଥିଲେ, ସେମାନଙ୍କଠାରୁ ଏଯାଏ ୨୦ ଲକ୍ଷ ଟଙ୍କାର ଔଷଧ ଜବତ ହୋଇସାରିଲାଣି। ଜବତ ହୋଇଥିବା ଟେଲମା-୪୦ ଓ ଟେଲମା ଏ.ଏସ୍ ଷ୍ଟ୍ରିପରେ ପ୍ରତି ଷ୍ଟ୍ରିପ୍ ପିଛା ୨୨୨ ଟଙ୍କା ଲେଖାଏ କରି ମୋଟ ୫୩ ଲକ୍ଷ ଟଙ୍କାର କେବଳ ଔଷଧ ବାବଦ ଟଙ୍କା ଆକଳନ କରାଯାଉଛି। ଏହି ଔଷଧ ବାଦ୍ ବିହାରର ବାଲାଜୀ ଡ୍ରଗସ, ରାହୁଲ କ୍ୟାଲ୍ ଏବଂ ସଞ୍ଜୟ ଜଲାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ମୋଟ ୪୦ ଲକ୍ଷ ଟଙ୍କା ପୁଲିସ ଜବତ କରିସାରିଲାଣି। ଆଜି ପୁଣିଥରେ ଚଢ଼ଉକୁ ତ୍ବରାନ୍ବିତ କରିଛି ପୁଲିସ। ଏସିପି ଅମରେନ୍ଦ୍ର ପଣ୍ଡା, ପୁରୀଘାଟ ଥାନା ଆଇଆଇସି ଯତିନ ସେଠୀ, କଟକ ସର୍କଲ-୧ର ଆସିଷ୍ଟାଣ୍ଟ ଡ୍ରଗ୍ କଣ୍ଟ୍ରୋଲର ମହତାବ ରୋଡରେ ଥିବା ତ୍ରିଦେବ ଏକ୍ସପ୍ରେସ୍ କାର୍ଗୋରେ ଚଢ଼ଉ କରିଥିଲେ। ଏହି କୋରିଅର୍ ସଂସ୍ଥାରୁ ୩ ଲକ୍ଷ ଟଙ୍କାର ଟେଲମା-୪୦ ଔଷଧ ମିଳିଥିଲା। ଏହି ଔଷଧ ମାଣିକଘୋଷ ବଜାରସ୍ଥିତ ଭି.ଆର. ଡ୍ରଗ୍ ଏଜେନ୍ସି ପକ୍ଷରୁ ବିହାର ଗୟା ଜିଲ୍ଲାରେ ଥିବା ବାଲାଜୀ ଡ୍ରଗ୍‌ସରୁ କିଣାଯାଇଛି। ଏହି ରସିଦ୍‌ରେ ଯେଉଁ ଜିଏସ୍‌ଟି ନମ୍ବର ରହିଛି, ପୁଲିସ ଏହାରି ଆଧାରରେ ବିହାରର ସଂପୃକ୍ତ କମ୍ପାନିକୁ ଚିହ୍ନଟ କରିଛି। ରାହୁଲ ଓ ସଞ୍ଜୟ ନକଲି ଔଷଧ ଆମଦାନୀ ପାଇଁ କୋରିଅରର ସହାୟତା ନେଉଥିବାରୁ ଏବେ କଟକ ସହରରେ ୧୨ଟି କୋରିଅର୍ ସଂସ୍ଥା ଚିହ୍ନଟ କରାଯାଇଛି।

ସମ୍ବନ୍ଧିତ ଖବର