ଚପିଗଲା ନକଲି ଔଷଧ କାରବାର! ଶିବ ଜେନାକୁ ଧରି ଅଟକିଗଲା ଏସ୍‌ଟିଏଫ୍

କଟକ: ଗତବର୍ଷ କରୋନାରେ କଟକର ନକଲି ଔଷଧକୁ ନେଇ ତୁମ୍ବି ତୋଫାନ ହୋଇଥିଲା। ନକଲି ଔଷଧ କାରବାର ଚଳାଇଥିବା କଟକର ଶିବ ଜେନାଙ୍କୁ ପୁଲିସ ଗିରଫ କରିଥିଲ‌ା। ଗତ ମେ-ଜୁନରେ ଘଟିଥିବା ଏହି ଘଟଣାକୁ ନେଇ ଚଢଉ ଜୋରଦାର ହେଲା। ପୁଲିସର ସ୍ବତନ୍ତ୍ର ସ୍କ୍ବାଡ୍ (ଏସଟିଏଫ୍)ଏହାର ତଦନ୍ତ ଭାର ନେଇଥି‌ଲା। ଔଷଧକୁ ନେଇ ଧରପଗଡ ବି ହୋଇଥିଲା। ମାତ୍ର ସମସ୍ତ ଘଟଣା‌ରେ ଏସଟିଏଫ୍ କେବଳ ସେହି ଶିବ ଜେନା ପାଖରେ ଅଟକି ଯାଇଛି। ଶିବ ଜେନା ଓ ତାଙ୍କ ପତ୍ନୀଙ୍କୁ ଗିରଫ କରି ପୁଲିସ କାମ ସାରି ଦେଇଛି। ଏବେ କରୋନାର ତୃତୀୟ ଲହର ଚାଲିଛି। ଏବେ ବି ବିନା ଆନାଲିଟିକାଲ ରିପୋର୍ଟରେ ପିଡି କଂପାନି ତାଙ୍କର ବ୍ୟବସାୟ ଚେର ମେଲ‌ାଇଛନ୍ତି। ପୁଲିସ ଏହାର ମୂଳ ଚେର ପର୍ଯ୍ୟନ୍ତ ଯାଇନା‌ହିଁ। ୮ ମାସ ତଳର ଏ ମାମଲା ଏବେ ଥଣ୍ଡା ପଡିଯାଇଛି। ଡ୍ରଗସ କଣ୍ଟ୍ରୋଲ ବୋର୍ଡ ବି ଚୁପ ହୋଇ ବସିଛି। ପଶ୍ଚିମ ଓଡ଼ିଶା, ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶ‌ାରେ ପିଡି କଂପାନି ତା’ର କାୟାବିସ୍ତାର କରିଛି। ଏବେ ବେଧଡକରେ ଏ ବ୍ୟବସାୟ ଚାଲିଛି। ରାଜ୍ୟରେ ପିଡି ( ପ୍ରଚାରଧର୍ମୀ) ପ୍ରୋପାଗଣ୍ଡା କଂପାନିରୁ ଫ୍ରାଞ୍ଚାଇଜ୍ ଆଣି ବଜାରରେ ବ୍ୟବସାୟ ବନ୍ଦ ହୋଇନାହିଁ। ଏହି କଂପାନି ଗୁଡିକ ରାଜ୍ୟର ଉପାନ୍ତ ଅଞ୍ଚଳର ଜିଲ୍ଲାକୁ ଅଧିକ ଟାର୍ଗେଟ କରୁଛନ୍ତି।

ଓଡ଼ିଶାରେ ୧୫୦ରୁ ଅଧିକ ପିଡି କଂପାନି ମଧ୍ୟରୁ ଅଧିକାଂଶ ତାଙ୍କର ବ୍ୟବସାୟ ବନ୍ଦ କରୁନାହାନ୍ତି। ନାମିଦାମୀ କଂପାନିକୁ ପଛରେ ପକାଇ ଏବେ ପିଡି କଂପାନି ଗୁଡିକ ସମଗ୍ର ବ୍ୟବସ୍ଥାକୁ କବଳିତ କରିଛନ୍ତି। ଅଧିକ କମିସନ, ବଡ ଉପହାର ଲୋଭରେ ଏବେ ଏହି କଂପାନି ଗୁଡିକର ଔଷଧ ବିକ୍ରି ବନ୍ଦ ହୋଇପାରୁନାହିଁ। ରାଜ୍ୟରେ ୧୫୦ରୁ ଅଧିକ ପିଡି କଂପାନି ରହିଛନ୍ତି। ଯେଉଁମାନେ ସେମାନଙ୍କ ଔଷଧର ଆନାଲିଟିକାଲ ରିପୋର୍ଟ ‌ଦେଉ ନାହାନ୍ତି। କିଛି ବ୍ୟବସାୟୀ ଫ୍ରାଞ୍ଚାଇଜ ଆଣି ଏହାର ବ୍ୟବସାୟ କରୁଛନ୍ତି। ଏହି ପିଡି କଂପାନି ଗୁଡିକର ସ୍ଥିତି ଅବସ୍ଥିତି ଓ ବିଶ୍ବସନୀୟତା ଜାଣିବା ପାଇଁ ଓଡ଼ିଶା ଡ୍ରଗସ କଣ୍ଟ୍ରୋଲ ବୋର୍ଡ ନିୟମିତ ଯାଞ୍ଚ କରୁନାହିଁ। ଏହାର ଯାଞ୍ଚ ପାଇଁ ରହିଥିବା ଅଧିକାରୀମାନେ ମଧ୍ୟ ସେମାନଙ୍କ କର୍ତ୍ତବ୍ୟ ଠିକ୍ ପାଳନ କରୁନଥିବା ଅଭିଯୋଗ ହୋଇଛି। ରାଜ୍ୟରେ ପାଖାପାଖି ୫୦୦ କୋଟିର କାରବାରରୁ ଏହି କଂପାକି ଗୁଡିକ ସିଂହ ଭାଗ ହା‌ତେଇ ନେଉଛନ୍ତି। ୫୦ରୁ ଅଧିକ ନାମୀ କଂପାନି ଏବେ ଏମାନଙ୍କ ପ୍ରଭାବରେ ଫିକା ପଡିଯାଇଛନ୍ତି। କିନ୍ତୁ ଏବେ ବ୍ୟବସ୍ଥା କଡାକଡି ହୋଇଛି। ଆନାଲିଟିକ‌ାଲ ରିପୋର୍ଟ ନଥିଲେ ଔଷଧ ବିକ୍ରି କରାଯାଉନାହିଁ ବୋଲି ଉତ୍କଳ କେମିଷ୍ଟ ଓ ଡ୍ରଗିଷ୍ଟ ସଂଘର କର୍ମକର୍ତ୍ତା ପ୍ରଶାନ୍ତ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର