ଚାକିରି କରାଇଦେବାକୁ କହି ଟଙ୍କା ହଡ଼ପ: ନକଲି ନୌସେନା ଅଧିକାରୀ ଗିରଫ

ମହାନଦୀବିହାର: ନିଜକୁ ଜଣେ ପୂର୍ବତନ ପୁଲିସ ଡିଜିଙ୍କ ପୁଅ ତଥା ନିଜେ ଜଣେ ନୌସେନା ଅଧିକାରୀ ଭାବେ ପରିଚୟ ଦେଉଥିଲା। ନୌସେନାରେ ଚାକିରି କରାଇଦେବାକୁ କହି ଟଙ୍କା ହଡପ କରୁଥିଲା। ଏଭଳି ଜଣେ ନକଲି ନୌସେନା ଅଧିକାରୀକୁ ଚାଉଳିଆଗଞ୍ଜ ଥାନା ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ସେ ପୂର୍ବରୁ ମଧ୍ୟ ନିକରୁ ସରକାରୀ ଅଧିକାରୀ ପରିଚୟ ଦେଇ ବହୁ ଲୋକଙ୍କୁ ଠକିଥିବାର ମାମଲା ରହିଛି। ତା’ ନିକଟରୁ ୭ଟି ନକଲି ପରିଚୟପତ୍ର ଜବତ କରାଯାଇଛି। ପୁଲିସ ସୂଚନା ଅନୁଯାୟୀ, ମହାନଦୀବିହାରର ପ୍ଲଟ ନମ୍ବର ୧୦୮୧ରେ ରହୁଥିବ କଳ୍ପନା ସାହୁଙ୍କ ପୁଅଙ୍କୁ କିଶନନଗର ଥାନା ଅନ୍ତର୍ଗତ ସୋମପୁର ପାଟିପୁରର ସୌମ୍ୟରଞ୍ଜନ ମିଶ୍ର ନାମକ ଯୁବକ ଫୋନ୍‌ କରି ନିଜକୁ ଜଣେ ଅବସରପ୍ରାପ୍ତ ପୁଲିସ ଡିଜିଙ୍କ ପୁଅ ତଥା ଭାରତୀୟ ନୌସେନାରେ କାର୍ଯ୍ୟରତ ଅଧିକାରୀ ବୋଲି ପରିଚୟ ଦେଇଥିଲା।

ୟୁଏଇ ନୌସେନାରେ ଚାକିରି କରାଇ ଦେଇ ପାରିବ ବୋଲି ବି କହିଥିଲା। ଏହା ପରେ ସେ ନିଜର ଫେକ୍‌ ଆଇ.ଡିରୁ କଳ୍ପନାଙ୍କ ପୁଅ ନିକଟକୁ ମେଲ କରିଥିଲା ତାଙ୍କୁ ୟୁଏଇ ନୌସେନାରେ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇଥିଲା। ପୁଅର ଚାକିରି କରାଇବା ପାଇଁ କଳ୍ପନା, ସୌମ୍ୟଙ୍କ ପେ’ଟିଏମ୍‌ ଆକାଉଣ୍ଟକୁ ୩୩ ହଜ଼ାର ୮ଶହ ଟଙ୍କା ପଠାଇଥିଲେ। ଟଙ୍କା ପାଇବା ପରେ ସୌମ୍ୟ ନିଜ ଫୋନ ବନ୍ଦ୍‌ କରି ଆଉ ଧରା ଛୁଆଁ ଦେଇ ନଥିଲା। ଏ ସଂକ୍ରାନ୍ତରେ କଳ୍ପନା ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ କରିବା ପରେ ଆଇଆଇସି ଶଶିକାନ୍ତ ରାଉତ ସୌମ୍ୟର ମୋବାଇଲ୍‌ ଟ୍ରାକିଂ କରି ତାକୁ ଜଗତସିଂହପୁର ଟାଉନ୍‌ରୁ ଗିରଫ କରିଥିଲେ। ତା’ ନିକଟରୁ ଏକ ନୌସେନା ଟୋପି, ଏକ ଦାମୀ ମୋବାଇଲ୍‌ ଓ ନଗଦ ୩୩ ହଜ଼ାର ୮ଶହ ଟଙ୍କା, ଏକ ମାରୁତି ବାଲେନା କାର୍‌ (ନଂ- ଓଡି-୦୨ବିଏଲ୍‌-୭୦୬୬) ଜବତ କରାଯାଇଛି। ସୌମ୍ୟ ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିଜକୁ ସରକାରୀ ଅଫିସର ଭାବେ ପରିଚୟ ଦେଇ ବହୁ ଲୋକଙ୍କୁ ଠକିଥିବା ବେଳେ ତା’ ନିକଟରୁ ପୁଲିସ ୭ଟି ନକଲି ପରିଚୟପତ୍ର ଜବତ କରିଛି। ସୌମ୍ୟକୁ ଖୁବ ଶୀଘ୍ର ରିମାଣ୍ଡ୍‌ରେ ଅଣାଯାଇ ଅଧିକ ଜେରା କରାଯିବ ବୋଲି ଆଇଆଇସି ଶ୍ରୀ ରାଉତ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର