ଜଗତପୁରରେ ନକଲି ସୋୟାବଡି କାରଖାନା ଠାବ; ୨ ଅଟକ

କଟକ: ଜଗତପୁର ନୂତନ ଶିଳ୍ପାଞ୍ଚଳ ଫେଜ୍‌-୨ଠାରେ ନକଲି ସୋୟାବଡି କମ୍ପାନି ଠାବ କରାଯାଇଛି। ଆର୍‌ଏମ୍‌ ମିଲ୍‌ସିରେ ନକଲି ସୋୟାବଡି ପ୍ରସ୍ତୁତ ହେବା ନେଇ ବିଶେଷ ସୂତ୍ରରୁ ଖବର ମିଳିବା ପରେ ଜଗତପୁର ଥାନା ଓ ମାଲଗୋଦାମ ଥାନା ପୁଲିସର ମିଳିତ ଉଦ୍ୟମରେ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ନାମୀଦାମୀ କମ୍ପାନିର ଲୋଗୋ ସମେତ ପ୍ରାୟ ୧୦ ଲକ୍ଷ ଟଙ୍କାର ସୋୟାବଡି ଜବତ କରାଯାଇଛି। ୨ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, କଟକ ଜଗତପୁର ନୂତନ ଶିଳ୍ପାଞ୍ଚଳ ଫେଜ୍‌-୨ଠାରେ ଏକ ନକଲି ସୋୟାବଡି କମ୍ପାନି ଠାବ କରିଛି କମିସନରେଟ୍‌ ପୁଲିସ।  ପ୍ରାୟ ୧୦ ଲକ୍ଷ ଟଙ୍କାର ସୋୟାବଡି ଜବତ କରାଯାଇଛି। ଚଢ଼ାଉ ସମୟରେ କଟକ କମିସନରେଟ ପୁଲିସ ଜୋନ୍‌-୧ର ଏସିପି ଅମରେନ୍ଦ୍ର ପଣ୍ଡା ଓ ମାପ ଓ ଓଜନର ଅଧିକାରୀ ଉତ୍କଳ କେଶରୀ ମହାନ୍ତି ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଜଗତପୁର ନୂତନ ଶିଳ୍ପାଞ୍ଚଳରେ ନକଲି ମସଲା, ନକଲି ଘିଅ, ନକଲି ଗୁଟଖା କମ୍ପାନିରେ କମିସନରେଟ୍‌ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ବିପୁଳ ପରିମାଣରେ ନକଲି ସାମଗ୍ରୀ ଜବତ ହୋଇଥିଲା।

ସମ୍ବନ୍ଧିତ ଖବର