କଟକ: ଚଳିତ ପାର୍ବଣରେ କଟକ ସହ‌ର ମଧ୍ୟରେ ମାତ୍ର ଦୁଇଟି ସୁଉଚ୍ଚ ତୋରଣ ‌‌‌ଶୋଭା ପାଇବ। ଖାନ୍‌ନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି କାଠଯୋଡ଼ି ରିଂବନ୍ଧରେ ଜାମୁକାଶ୍ମୀରର ଅମରନାଥ ଗୁମ୍ଫାର ଅବିକଳ ତୋରଣ କରୁଥିବା ବେଳେ ଅନ୍ୟତମ ପ୍ରମୁଖ ପୂଜା ପ୍ରତିଷ୍ଠାନ ‘ଶଙ୍କରପୁର ବାଦାମବାଡ଼ି ପୂଜା କମିଟି’ ବାଦାମବାଡ଼ିରେ ବହୁଚର୍ଚ୍ଚିତ ବାହୁବଳୀ ସିନେମାର ମାହେସ୍ମତୀ ସାମ୍ରାଜ୍ୟ ତୋରଣ କରୁଛନ୍ତି। ଖାନ୍‌ନଗରରେ ଜନ୍ମାଷ୍ଟମୀ ଦିନରୁ ତୋରଣ ନିର୍ମାଣ ଆରମ୍ଭ ହୋଇଥିବା ବେଳେ ଶଙ୍କରପୁର ପକ୍ଷରୁ ଗଣେଶ ପୂଜାରେ ତୋରଣ କାମର ଶୁଭାରମ୍ଭ ହୋଇଛି। ପୂର୍ବବର୍ଷମାନଙ୍କରେ ସୁଉଚ୍ଚ ତୋରଣ ନିର୍ମାଣ କରୁଥିବା ମାଲ୍‌ଗୋଦାମ ପୂଜା କମିଟି ଓ ତୁଳସୀପୁର ମହାଦେବ ପୂଜା କମିଟି ଏବର୍ଷ ତୋରଣ କରୁ ନଥିବା ସୂଚନା ମିଳିଛି। ବିଡ଼ାନାସୀରୁ ବିଦ୍ୟାଧରପୁର, ଫୁଲନଖରାରୁ ଜଗତପୁର ପର୍ଯ୍ୟନ୍ତ ପରିବ୍ୟାପ୍ତ କଟକ ସହରର ଏବେ ୧୭୦ଟି ପୂଜା କମିଟି ପାର୍ବଣରେ ଦୁର୍ଗା, ମହାଦେବ, ଶ୍ରୀଚୈତନ୍ୟ, ପିତୁଳା ଆଦି ପୂଜା କରୁଛନ୍ତି। ଅଧିକାଂଶ ପୂଜା କମିଟି ମଣ୍ଡପ ସମ୍ମୁଖରେ ଅତ୍ୟାଧୁନିକ ତଥା ଆକର୍ଷଣୀୟ ଆଲୋକମାଳାରେ ସଜାଇଥିବା ବେଳେ ସହରର ମାତ୍ର ୪ଟି ପୂଜା ମଣ୍ଡପ ସୁଉଚ୍ଚ ତୋରଣ ନିର୍ମାଣ କରିଥାନ୍ତି। ଏବର୍ଷ କିନ୍ତୁ ମାତ୍ର ୨ଟି କମିଟି ତୋରଣ କରୁଛନ୍ତି। ଖାନ୍‌ନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ପକ୍ଷରୁ ପୂଜା ମଣ୍ଡପ ସମ୍ମୁଖରେ ଅମରନାଥ ଗୁମ୍ଫା ତୋରଣ ନିର୍ମାଣ କରାଯାଉଛି। କଲିକତା ନଦୀୟାର ଅଜୟ ଦେ’ ଏହାର ନିର୍ମାଣ କରୁଥିବା ବ‌େଳେ ଏଥିପାଇଁ ବଜେଟ୍ ପ୍ରାୟ ୭ଲକ୍ଷ ଟଙ୍କା ରହିଛି। ପୂଜା ମଣ୍ଡପର ପରମ୍ପରା ଅନୁସାରେ ଜନ୍ମାଷ୍ଟମୀରୁ ତ‌ୋରଣ ନିର୍ମାଣର ଶୁଭାରମ୍ଭ ହୋଇଛି। ଏହି ତୋରଣର ଉଚ୍ଚତା ୭୦ଫୁଟ୍ ଓ ଓସାର ୬୦ଫୁଟ୍ ରହିଥିବା ବେଳେ ଏହା ଦୁଇ ସଂପୂର୍ଣ୍ଣ ରିଂବନ୍ଧକୁ ବ୍ୟାପିକି ରହିଛି।

Advertisment

publive-image Sambad

ପ୍ରତିଦିନ ୪୦ଜଣ ଲୋକ କାମ କରୁଥିବା ବ‌େଳେ ପୂଜାର ଯଥେଷ୍ଟ ପୂର୍ବରୁ ଏହାର ନିର୍ମାଣ ଶେଷ ହେବ। ତୋରଣରେ ଅମରନାଥ ଗୁମ୍ପାର ଅବିକଳ ନମୁନା, ଏହାର ସୁରକ୍ଷା ଦାୟିତ୍ବରେ ଥିବା ଯବାନ, ଉଠୁଥିବା ହେଲିକାପ୍ଟର ଆଦି ପ୍ରତିଫଳିତ ହେବ। ଏହାକୁ ଆକର୍ଷଣୀୟ କରିବା ପାଇଁ ସୁନ୍ଦର ଆଲୋକମାଳାରେ ସଜାଯିବ ବୋଲି ପୂଜା କମିଟି ସଭାପତି ସୁବାସ ଚନ୍ଦ୍ର ବେହେରା ଓ ସାଧାରଣ ସଂପାଦକ ପ୍ରଫୁଲ କୁମାର ସାହୁ ସୂଚନା ଦେଇଛନ୍ତି। ସହରର ଅନ୍ୟ ପ୍ରମୁଖ ପୂଜା ଅନୁଷ୍ଠାନ ‘ଶଙ୍କରପୁର ବାଦାମବାଡ଼ି ପୂଜା କମିଟି’ ପକ୍ଷରୁ ଏବର୍ଷ ବାହୁବଳୀ ସିନେମାରେ ବର୍ଣ୍ଣିତ ମାହେସ୍ମତି ସାମ୍ରାଜ୍ୟର ଅନୁରୂପ ତୋରଣ ନିର୍ମାଣ ଚାଲିଛି। ଗଣେଶ ପୂଜାରେ ତୋରଣ ନିର୍ମାଣର ଶୁଭାରମ୍ଭ ହୋଇଥିବା ବ‌େଳେ କାମ ଆଗେଇ ଚାଲିଛି। ଯାଜପୁର ଜାରକାସ୍ଥିତ ସାରଳା ଟେଣ୍ଟ ହାଉସ୍ ପକ୍ଷରୁ ସଞ୍ଜୟ କୁମାର ମୁଦୁଲି ଏହାର ନିର୍ମାଣ ଦାୟିତ୍ବ ନେଇଛନ୍ତି। ଏଥିପାଇଁ ପାଖାପାଖି ୧୦ଲକ୍ଷ ଟଙ୍କା ବିନିଯୋଗ କରାଯିବ ବୋଲି ଆକଳନ କରାଯାଇଛି। ଏହି ତୋରଣଟି ସଂପୂର୍ଣ୍ଣ ବାଦାମବାଡ଼ି ରାସ୍ତାକୁ ବ୍ୟାପି ରହିବ। ଏହାର ଓସାର ୧୦୦ଫୁଟ୍‌ରୁ ଅଧିକ ରହିଥିବା ବ‌େଳେ ଉଚ୍ଚତା ୭୦ଫୁଟ୍ ରହିବ। ଆସନ୍ତାକାଲିଠୁ ଦୈନିକ ୩୦ ଜଣ ଲୋକ ନିର୍ମାଣ କାର୍ଯ୍ୟରେ ନିୟୋଜନ ହେବେ ଓ ଏହା ସଂପୂର୍ଣ୍ଣ କରିବାକୁ ପ୍ରାୟ ମାସେ ଲାଗିବ। ସମସ୍ତ କାରିଗର ସୁଦୂର କୋଲକାତାର। ଏହି ତୋରଣ କଟକ ସହରର ମୁଖଶାଳା କୁହାଯାଉଥିବା ବାଦାମବାଡ଼ି-ଲିଙ୍କରୋଡର ସ‌ୌନ୍ଦର୍ଯ୍ୟକୁ ବହୁଗୁଣିତ କରିବ ‌ବୋଲି ଶଙ୍କରପୁର-ବାଦାମବାଡ଼ି ପୂଜା କମିଟି ସଭାପତି ପ୍ରମ‌ୋଦ ପାତ୍ର, ଯୁଗ୍ମ ସଂପାଦକ କୃଷ୍ଣଚନ୍ଦ୍ର ପରିଡ଼ା, ସଂଗଠନ ସଂପାଦକ ରମାନାଥ ସ୍ବାଇଁ, କୋଷାଧ୍ୟକ୍ଷ କେଦାର ରାଉତ ସୂଚନା ଦେଇଛନ୍ତି।