କଟକ: ଦଶହରା ପୂଜା ପାଇଁ ସରକାରଙ୍କ ଗାଇଡଲାଇନ୍ ବିରୋଧରେ ମାମଲା ପହଞ୍ଚିଛି ହାଇକୋର୍ଟରେ। କୋଭିଡ୍ ଗାଇଡଲାଇନ ଅନୁଯାୟୀ ବିଭିନ୍ନ କଟକଣା ଉପରେ କୌଣସି ବିରୋଧାଭାଷ ନ ଥିଲେ ବି ପୂଜା ବିଧିକୁ ନେଇ ଲାଗିଥିବା ଦୁଇଟି କଟକଣା ବିରୋଧରେ ବାଲୁ ବଜାର ପୂଜା କମିଟି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ହେବ ନାହିଁ ବୋଲି ସରକାର ଗାଇଡ ଲାଇନ ଜାରି କରିଥିବା ବେଳେ ମଣ୍ଡପକୁ ୩ ପଟୁ ପରଦାରେ ଆବୃତ କରିବା ଏବଂ ଗୋଟିଏ ପଟେ ଏଭଳି ଖୋଲା ରହିବ ଯେ ସେଥିରେ ସର୍ବସାଧାରଣ ଦର୍ଶନ ସମ୍ଭବ ହେବ ନାହିଁ ବୋଲି ଉଲ୍ଲେଖ କରାଯିବା ନିଷ୍ପତି ବିରୋଧରେ ମାମଲା ରୁଜୁ କରାଯାଇଛି। ଏହା ସହିତ ଚେଚିସ ଓ ଟ୍ରାକ୍ଟରରେ ମୂର୍ତ୍ତିକୁ ଭସାଣି ପାଇଁ ନେଇ ମାତ୍ର ଅଧଘଣ୍ଟା ଭିତରେ ବିସର୍ଜନ ଶେଷ କରିବାକୁ ଅନୁମତି ଦେବାକୁ ହାଇକୋର୍ଟରେ ଆବେଦନ କରାଯାଇଛି।

Advertisment

ଏହି ମାମଲାର ଶୁଣାଣି ଆସନ୍ତା ମଙ୍ଗଳବାର ହେବାକୁ ଥିବା ବେଳେ ଏହି ମାମଲାରେ ଅନେକ ପୂଜା କମିଟି ଆସନ୍ତା ସୋମବାର ପକ୍ଷଭୁକ୍ତ ହେବାକୁ ଯାଉଥିବା ସୂଚନା ମିଳିଛି।

publive-image YouTube

ଦୁର୍ଗାପୂଜା ଆୟୋଜନ ନେଇ ସରକାର ସେପ୍ଟେମ୍ବର ୧୦ରେ କେତେକ ନିୟମାବଳୀ ଜାରି କରି କରିଛନ୍ତି। ଏହାର ଦୁଇଟି ନିର୍ଦ୍ଦେଶକୁ ବିରୋଧ କରି ବାଲୁବଜାର ପୂଜା କମିଟି ପକ୍ଷରୁ ସଭାପତି ଆଇନଜୀବୀ ସୂର୍ଯ୍ୟକାନ୍ତ ସାଙ୍ଗନେରିଆ, ସଂପାଦକ ରାଜେନ୍ଦ୍ର ସାମଲ ଓ ରମେଶ ଚନ୍ଦ୍ର ବେହେରା ଦାୟର କରିଥିବା ଆବେଦନରେ ଦର୍ଶାଯାଇଛି ଯେ ମୂର୍ତ୍ତିର ନିର୍ମାଣ ନେଇ ୪ ଫୁଟ ଉଚ୍ଚତା ସଂପର୍କିତ ସର୍ତ୍ତ ଗ୍ରହଣୀୟ ନୁହେଁ। ସବୁ ପୂଜା ମଣ୍ଡପ ଭଳି ବାଲୁବଜାର ଦୁର୍ଗାପୂଜାର ମଧ୍ୟ ନିର୍ଦ୍ଧାରିତ ରୀତିନୀତି ରହିଛି। ଏଭଳି ପରମ୍ପରା ଆଧାରରେ ମଣ୍ଡପରେ ଦୁର୍ଗାଙ୍କ ମୂର୍ତ୍ତିର ନିର୍ମାଣ କରାଯାଇ ଥାଏ। ସବୁ ମୂର୍ତ୍ତିର ନିର୍ଦ୍ଦିଷ୍ଟ ଉଚ୍ଚତା ଓ ମୁଖା ରହିଛି। ପ୍ରତିବର୍ଷ ନିର୍ଦ୍ଦିଷ୍ଟ ଭାବେ ରହିଥିବା ପରମ୍ପରା ଆଧାରରେ ମଣ୍ଡପରେ ଦେବୀ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରାଯାଇଥାଏ। ଏଥି ସହିତ ମା ଲକ୍ଷ୍ମୀ, ସରସ୍ବତୀ, ଗଣେଶ, କାର୍ତ୍ତିକ, ସିଂହ ଓ ମହିଷାଶୁର ମୂର୍ତ୍ତି ନିର୍ମାଣ କରାଯାଇଥାଏ। ଚଳିତ ବର୍ଷ ଅଗଷ୍ଟ ୨୬ରୁ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟ କାମ ଶେଷ ହୋଇଛି।

ମୂର୍ତ୍ତିର ମୁଖା ନିର୍ମାଣ କାର୍ଯ୍ୟ ଏବେ ଚାଲିଛି। ମୃଣ୍ମୟୀ ମୂର୍ତ୍ତି କାଠ ନିର୍ମିତ ଖଡମା ଉପରେ ରହିଥାଏ। ବର୍ଷା ସାରା ଏହି ଖଡମା ମଣ୍ଡପରେ ପୂଜା କରାଯାଇଥାଏ। କାଠ ଢାଞ୍ଚା ଉପରେ ନିର୍ମାଣ କରାଯାଉଥିବା ମୂର୍ତ୍ତିର ଉଚ୍ଚତା ୭ ଫୁଟ ରହିଥାଏ। ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଆସନ୍ତା ୧୭ ତାରିଖ ଦିନ ମହାଳୟା ତଥିରେ ନିର୍ଦ୍ଦିଷ୍ଟ ଧଳା ଖଡ଼ି ନୀତି ସଂପାଦନ ହେବ। ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଅଧାରେ ପହଞ୍ଚିଥିବା ବେଳେ ସରକାର ଗତ ୧୦ ତାରିଖ ଦିନ ନିୟମାବଳୀ ଜାରି କରିଥିଲେ। ଏବେ ମୂର୍ତ୍ତିର ଆକାରରେ ପରିବର୍ତ୍ତନ ସମ୍ଭବ ନୁହେଁ ବୋଲି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏହି ପୀଠରେ ୧୫୦୯ ମସିହାରୁ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଆସୁଛି। ଦୀର୍ଘ ୫୦୦ ବର୍ଷରୁ ଅଧିକ ସମୟ ଧରି ବାଲୁବଜାରରେ ଦୁର୍ଗାପୂଜା ପରମ୍ପରା ବଜାୟ ରଖି ପୂଜା ଆୟୋଜନ କରାଯାଉଛି। ଅତୀତରେ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟା ଦେଖା ଦେଇଥିବା ବେଳେ ଏହି ପରମ୍ପରା କେବେ ଭାଙ୍ଗି ନାହିଁ।

ଏବେ କେମିତି ପରମ୍ପରା ଭାଙ୍ଗି ମୂର୍ତ୍ତିର ଆକାରରେ ପରିବର୍ତ୍ତନ କରାଯିବ ତାକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି। କରୋନା ସଂକ୍ରମଣ ରୋକିବାକୁ ସରକାର ଜାରି କରିଥିବା ବିଭିନ୍ନ ନିୟମାବଳୀ ମାନିବାକୁ ଆବେଦନକାରୀ ପ୍ରସ୍ତୁତ। କିନ୍ତୁ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା ଦୁର୍ଗା ଓ ଅନ୍ୟ ଦେବାଦେବୀଙ୍କ ମୂର୍ତ୍ତି ପରମ୍ପରା ଅନୁସାରେ ନିର୍ଦ୍ଦି‌ଷ୍ଟ ଉଚ୍ଚତାର ନିର୍ମାଣ ପାଇଁ ଅନୁମତି ପ୍ରଦାନ କରାଯାଉ। ଏହି ପୀଠରେ ସ୍ଥାୟୀ ପକ୍କା ମଣ୍ଡପ ରହିଥିବା ବେଳେ ତିନି ପାର୍ଶ୍ବ ଆଢୁଆଳ ସଂପର୍କିତ ନିୟମ ଲାଗୁ କରା ନ ଯାଉ।

ଭସାଣି ସମୟରେ ଖଡ଼ମା ଉପରେ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ସମେତ ୭ଟି ମୂର୍ତ୍ତିକୁ ଚେଚିସ୍ ଓ ଟ୍ରାକ୍ଟର ମାଧ୍ୟମରେ ବିସର୍ଜନ ପାଇଁ ପ୍ରସ୍ତୁତ ଅସ୍ଥାୟୀ ଜଳାଶୟ ପର୍ଯ୍ୟନ୍ତ ନେଇ ଅଧଘଣ୍ଟା ଭିତରେ କାର୍ଯ୍ୟକ୍ରମ ଶେଷ କରିବାକୁ ଅନୁମତି ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, କଟକ ଜିଲ୍ଲାପାଳ, ପୁଲିସ କମିସନର, ଡିସିପି, ସ୍ବତନ୍ତ୍ର ରିଲିଫ କମିସନରଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନିରୁଦ୍ଧ ସାଙ୍ଗନେରିଆ ମାମଲା ପରିଚାଳନା କରୁଛନ୍ତି।