କଟକ: ସହରର ବର୍ଜ୍ୟବସ୍ତୁ ସୁପରିଚାଳନା ପାଇଁ ସିଏମ୍ସି ତରଫରୁ ଘରକୁ ଘର ଅଳିଆ ସଂଗ୍ରହ କାର୍ଯ୍ୟକ୍ରମ ତିନି ବର୍ଷରୁ ଅଧିକ ଦିନ ପୂର୍ବରୁ ଆରମ୍ଭ ହୋଇଥିଲା। ଘରୁ ସହରବାସୀ ଶୁଖିଲା ଓ ଓଦା ଆବର୍ଜନାକୁ ଅଲଗା କରି ଦେବାକୁ ଏଥିରେ କୁହାଯାଇଥିଲା। କାର୍ଯ୍ୟକ୍ରମରେ ସ୍ବଚ୍ଛସାଥୀ, ନୀଳ ଓ ସବୁଜ ଡଷ୍ଟବିନରୁ ଆରମ୍ଭ ହୋଇ ‘ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର’ ପର୍ଯ୍ୟନ୍ତ ବ୍ୟବସ୍ଥା ରହିଲା। ମାତ୍ର ଏହା ମଧ୍ୟରେ ସିଏମ୍ସିର ୫୯ଟି ୱାର୍ଡରୁ ମାତ୍ର ୨୭ଟି ୱାର୍ଡରେ ଲୋକଙ୍କ ଘରୁ ପୃଥକ ଭାବେ ଅଳିଆ ସଂଗ୍ରହ କରିବାରେ ସିଏମ୍ସି ସକ୍ଷମ ହୋଇଛି। ୨୭ଟି ୱାର୍ଡରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ନିଗମକୁ ୩ ବର୍ଷରୁ ଅଧିକ ସମୟ ଲାଗିଥିବା ବେଳେ ସମସ୍ତ ୱାର୍ଡରେ ଏହାକୁ ଲାଗୁ କରିବାକୁ କେତେ ବର୍ଷ ଲାଗିବ ତାହାର ଉତ୍ତର କେବଳ ସମୟ କହିବ। ସହରକୁ ସ୍ବଚ୍ଛ ରଖିବା ପାଇଁ ନ୍ୟାସନାଲ ଗ୍ରୀନ ଟ୍ରିବୁନାଲର ନିୟମ ଅନୁସାରେ ସଫେଇ କାମ କରିବାକୁ ସିଏମ୍ସି ପକ୍ଷରୁ ଯୋଜନା କରାଗଲା। ଏନ୍ଜିଟି ନିୟମ ଅନୁଯାୟୀ ନିଗମ ପକ୍ଷରୁ ଲୋକଙ୍କ ଘରୁ ଶୁଖିଲା ଓ ଓଦା ଅଳିଆ ପୃଥକ କରି ସଂଗ୍ରହ କରିବାକୁ ରୂପରେଖ ପ୍ରସ୍ତୁତ ହେଲା।
ଏଥିପାଇଁ ସିଏମ୍ସିରେ ସ୍ବଚ୍ଛସାଥୀଙ୍କୁ ନିୟୋଜିତ କରାଯିବା ସହିତ ‘ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର’ ଓ ‘ମ୍ୟାଟେରିଆଲ ରିକଭରି ଫ୍ୟାସିଲିଟି’ ଆଦିର ନିର୍ମାଣ କରାଗଲା। ସହରବାସୀଙ୍କୁ ସେମାନଙ୍କ ଘରେ ଦୁଇଟି ରଙ୍ଗର ଡଷ୍ଟବିନ୍ ରଖିବାକୁ କୁହାଗଲା। ସବୁଜ ରଙ୍ଗର ଡଷ୍ଟବିନ୍ରେ ଓଦା ଓ ନୀଳ ରଙ୍ଗର ଡଷ୍ଟବିନ୍ରେ ଶୁଖିଲା ଆବର୍ଜନା ପକାଇବାକୁ କିଛି ୱାର୍ଡରେ ସ୍ବଚ୍ଛସାଥୀଙ୍କ ଦ୍ବାରା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଗଲା। ପ୍ରତ୍ୟେକ ଘରୁ ପୃଥକ ଭାବେ ଶୁଖିଲା ଓ ଓଦା ଅଳିଆ ସଂଗ୍ରହ ପାଇଁ ବିଓଭି (ବ୍ୟାଟେରି ଚାଳିତ ଗାଡି) ଗାଡି ବ୍ୟବହାର କରିବାକୁ ସ୍ଥିର ହେଲା। ମାତ୍ର ଏହା ମଧ୍ୟରେ ଘରକୁ ଘର ଅଳିଆ ସଂଗ୍ରହ କରିବା ସିଏମ୍ସିର ଯୋଜନାକୁ ୩ବର୍ଷରୁ ଅଧିକ ଦିନ ବିତିଯାଇ ଥିବା ବେଳେ ଏହା କେବଳ ୨୭ଟି ୱାର୍ଡର ଦେଖିବାକୁ ମିଳିଛି। ଏପରି କି ସିଏମ୍ସିର କିଛି ୱାର୍ଡର ସମସ୍ତ ଅଞ୍ଚଳରେ ଏବେ ସୁଦ୍ଧା ଘରକୁ ଘର ଅଳିଆ ସଂଗ୍ରହ ଗାଡି ପହଞ୍ଚି ପାରୁ ନଥିବାର ଅଭିଯୋଗ ହୋଇଛି। ୫୯ଟି ୱାର୍ଡର ଲୋକଙ୍କ ଘରୁ ଶୁଖିଲା ଓ ଓଦା ଅଳିଆ ସଂଗ୍ରହ ପାଇଁ ଆବଶ୍ୟକ ଥିବା ବିଓଭି ଗାଡି ନଥିବାରୁ ଏହାକୁ କରାଯାଇ ପାରୁ ନଥିବାର ସିଏମ୍ସି ପକ୍ଷରୁ କୁହାଯାଇଛି। ତେବେ ବିଓଭି ଗାଡି ଆଣିବାରେ ନିଗମ ପକ୍ଷରୁ କେଉଁଠାରେ ସମସ୍ୟା ରହୁଛି ବୋଲି ସାଧାରଣରେ ପ୍ରଶ୍ନ ହୋଇଛି। ସିଏମ୍ସିର ୨୭ଟି ୱାର୍ଡରେ ୫୫ଟି ବିଓଭି ଓ ୩୧ଟି ଏଲ୍ସିଭିରେ ପୃଥକ ଭାବେ ଅଳିଆ ସଂଗ୍ରହ କରାଯାଉଛି। ୨୦୨୨ ମାର୍ଚ୍ଚ ସୁଦ୍ଧା ସିଏମ୍ସିର ସମସ୍ତ ୱାର୍ଡରୁ ଶୁଖିଲା ଓ ଓଦା ଅଳିଆ ପୃଥକ ଭାବେ ସଂଗ୍ରହ କରାଯିବ ବୋଲି ନିଗମର ଡେପୁଟି କମିସନ୍ର (ସାନିଟେସନ୍) ସଞ୍ଜୀବିତା ରାଏ କହିଛନ୍ତି।