ସିଏମ୍‌ସିରେ ଆରମ୍ଭରୁ ଝୁଣ୍ଟିଲାଣି ଓଦା ଓ ଶୁଖିଲା ଅଳିଆ ସଂଗ୍ରହ ‌ଯୋଜନା, ଏମ୍‌ଆର୍‌ଏଫ୍‌କୁ ଆସୁନି ଶୁଖିଲା ଅଳିଆ

କଟକ: ମହାନଗର ନିଗମରେ ଶୁଖିଲା ଓ ଓଦା ଅଳିଆ ଲୋକଙ୍କ ଘରୁ ପୃଥକ କରି ଆଣିବା ପ୍ରକ୍ରିୟା ଗତ ଡିସେମ୍ବରରୁ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୨୫ଟି ୱାର୍ଡରେ ଏହା ଆରମ୍ଭ ହୋଇଥିବା ବେଳେ ଏବେ ଏହି ଯୋଜନା ଆରମ୍ଭରୁ ଝୁଣ୍ଟିଲାଣି। ଲୋକଙ୍କ ଘରୁ ଆସୁଥିବା ଓଦା ଅଳିଆ ସିଏମ୍‌ସିର ଏମ୍‌ସିସିରେ ପହଞ୍ଚୁଛି। ମାତ୍ର ଅନେକ ୱାର୍ଡରେ ଲୋକଙ୍କ ଘରୁ ବାହାରୁ ଥିବା ଶୁଖିଲା ଅଳିଆ ଏମ୍‌ଆର୍‌ଏଫ୍‌ରେ ପହଞ୍ଚୁ ନାହିଁ। ଅଳିଆ ସଂଗ୍ରହ କରୁଥିବା କିଛି ସଫେଇ କର୍ମଚାରୀ ଶୁଖିଲା ଅଳିଆକୁ କବାଡ଼ିଆ ବାଲାଙ୍କୁ ବିକ୍ରି କରି ଦେଉଥିବା ସିଏମ୍‌ସି ପକ୍ଷରୁ ଅଭିଯୋଗ ହୋଇଛି। ଏଥିପାଇଁ ସିଏମ୍‌ସିର ବିଭିନ୍ନ ସ୍ଥାନରୁ ୨୦ରୁ ଅଧିକ କବାଡ଼ିଆ ବାଲାଙ୍କୁ ଆସନ୍ତାଦିନରେ ଉଠାଯିବାର ଯୋଜନା କରାଯାଇଥିବା ସୂଚନା ରହିଛି। ସିଏମ୍‌ସିର ୨୫ଟି ୱାର୍ଡରୁ ଏବେ ‌ଲୋକଙ୍କ ଘରୁ ଓଦା ଓ ଶୁଖିଲା ଅଳିଆ ପୃଥକ କରି ସଂଗ୍ରହ କରାଯାଉଛି। ଏଥିପାଇଁ ୨୫ଟି ୱାର୍ଡରେ ୫୫ଟି ବିଓଭି (ବ୍ୟାଟେରି ଚାଳିତ ଗାଡି) ଓ ୩୧ଟି ଏଲ୍‌ସିଭି (‌ହାଲୁକା ବ୍ୟବସାୟକ ଗାଡି) ବ୍ୟବହାର କରାଯାଉଛି। ଲୋକଙ୍କ ଘରୁ ପୃଥକ ହୋଇ ବାହାରୁଥିବା ଓଦା ଅଳିଆକୁ ସିଏମ୍‌ସିରେ କାର୍ଯ୍ୟକ୍ଷମ ହୋଇଥିବା ୮ଟି ଏମ୍‌ସିସି ବା ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରକୁ ପଠାଯାଉଛି। ସେପଟେ ଲୋକଙ୍କ ଘରୁ ବାହାରୁ ଥିବା ଶୁଖିଲା ଅଳିଆକୁ ଏମ୍‌ଆର୍‌ଏଫ୍‌ ବା ମ୍ୟାଟେରିଆଲ ରିସାଇକ୍ଲେିଂ ଫେସିଲିଟକୁ ପଠାଯିବାର ନିୟମ ରହିଛି। ମାତ୍ର ୨୫ଟି ୱାର୍ଡର ଅନେକ ସ୍ଥାନରୁ ଏହା ଏମ୍‌ଆର୍‌ଏଫ୍‌କୁ ଯାଉନାହିଁ।

-ୱାର୍ଡରେ ଅଳିଆ ସଂଗ୍ରହ କରୁଥିବା କିଛି ସଫେଇ କର୍ମଚାରୀ ଏହାକୁ ଏମ୍‌ଆର୍‌ଏଫ୍‌ ବଦଳରେ କିଛି କବାଡ଼ିଆ ବ୍ୟବସାୟୀଙ୍କୁ ବିକ୍ରି କରି ଦେଉଥିବା ଅଭିଯୋଗ ହୋଇଛି। ଏହାକୁ ଚେକ୍‌ ଦେବା ପାଇଁ ସିଏମ୍‌ସିର ଏସ୍‌ଆଇ(ସାନିଟାରି ଇନ୍ସିପେକ୍ଟର)ଙ୍କୁ ୱାର୍ଡରୁ ବାହାରୁଥିବା ଶୁଖିଲା ଓ ଓଦା ଅଳିଆ ଠିକ ଭାବେ କେନ୍ଦ୍ରରେ ପହଞ୍ଚୁଛି କି ନାହିଁ ତାହା ଦେଖିବାକୁ କୁହାଯାଇଛି। ସେହିପରି ପ୍ରତି ଅଳିଆ ସଂଗ୍ରହ ଗାଡିରେ ଜଣେ ସ୍ବଚ୍ଛସାଥୀଙ୍କୁ ପଠାଇବାକୁ ନିଗମ ପକ୍ଷରୁ ସ୍ଥିର ହୋଇଛି। ଏହି ସବୁ ପରେ ଯେଉଁ ଅଞ୍ଚଳରେ ଏମ୍‌ଆର୍‌ଏଫ୍‌ ପଏଣ୍ଟ କରାଯିବ ଏହାର ଆଖପାଖ ଅଞ୍ଚଳରୁ କବାଡ଼ିଆ ବାଲାଙ୍କୁ ଉଠାଇବା ପାଇଁ ଆଗାମୀ ଦିନରେ ସିଏମ୍‌ସି ପକ୍ଷରୁ ଉଦ୍ୟମ ଆରମ୍ଭ ହେବ। ସୂଚନାଯୋଗ୍ୟ ସିଏମ୍‌ସିରେ ୮ଟି ଏମ୍‌ସିସି କାର୍ଯ୍ୟକ୍ଷମ ହୋଇଥିବା ବେଳେ ୨ଟି ଏମ୍‌ଆର୍‌ଏଫ୍‌ ଯଥା ପୋତାପୋଖରୀ ଓ ସାର୍ତ୍ତୋଳରେ ଆରମ୍ଭ ହେଲାଣି। ଆସନ୍ତା ଦିନରେ ସହରରେ ୫ରୁ ଅଧିକ ଏମ୍‌ଆରଏଫ୍‌ କରାଯିବ ବୋଲି ସୂଚନା ରହିଛି। ଲୋକଙ୍କ ଘରୁ ବାହାରୁଥିବା ଶୁଖିଲା ଅଳିଆ ଏମ୍‌ଆର୍‌ଏଫ୍‌ ପଏଣ୍ଟ ବଦଳରେ କବାଡିଆ ବାଲାଙ୍କ ନିକଟକୁ ଯାଉଛି। ଏହାକୁ ଦେଖିବାକୁ ୱାର୍ଡର ଏସ୍‌ଆଇ ଓ ସ୍ବଚ୍ଛସାଥୀଙ୍କୁ ନିୟୋଜିତ କରାଯିବା ସହ ପଏଣ୍ଟ ନିକଟରୁ କବାଡ଼ିଆ ବ୍ୟବସାୟୀଙ୍କୁ ଖୁବଶିଘ୍ର ହଟାଯିବ ‌ବୋଲି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର