ବାମନ ବୋଲି ମିଳୁ ନ ଥିଲେ ଜୀବନସାଥୀ, ଏବେ ସୁଜିତ ଓ ସୁଚିତ୍ରା ପରସ୍ପରର ହାତ ଧରି ଖୁବ୍ ଖୁସୀ

କଣ୍ଟାପଡ଼ା:  ଭଗବାନଙ୍କ ସୃଷ୍ଟିରେ କେହି ବି ମଣିଷ ବଡ ସାନ, ଧନୀ, ଗରିବ, ଶାରୀରିକ ଭାବେ ସକ୍ଷମ ବା ଅକ୍ଷମ ନଥାନ୍ତି । ଏହି ପାର୍ଥକ୍ୟ ତ ଆମ ସମାଜ ଓ ଏଥିରେ ବସବାସ କରୁଥିବା ଲୋକଙ୍କ ସୃଷ୍ଟି। ଆଉ ଏହି ପାର୍ଥକ୍ୟ କାରଣରୁ ବାମନ ହୋଇ ଜନ୍ମ ଲାଭ କରିଥିବା କଣ୍ଟାପଡା ବ୍ଲକର ସୁଜିତ ମଲ୍ଲିକଙ୍କ ବିବାହ ହୋଇ ପାରୁ ନ ଥିଲା । ହେଲେ ଶେଷରେ ତାଙ୍କୁ ମିଳିଯାଇଛି ତାଙ୍କ ମନଲାଖି ଜୀବନସାଥି ।

ଦୁଇ ବାମନ ବରକନ୍ୟାଙ୍କର ହାତଗଣ୍ଠି ପଡ଼ିଛି । ହାତକୁ ଶଂଖା ଓ ମଥାରେ ସିନ୍ଦୂରଦେଇ ସାତ ଜନମର ସାଥୀ ଭାବେ ସୁଚିତ୍ରାଙ୍କୁ ବାଛିଛନ୍ତି ସୁଜିତ । ଦୈବିକ ରୀତିନୀତିରେ ସମ୍ପନ୍ନ ହୋଇଛି ସୁଜିତ ଓ ସୁଚିତ୍ରାଙ୍କ ବାହାଘର । ବ୍ୟାଣ୍ଡ ବାଜା ରୋଷଣୀ ଧରି, ନାଚ ଗୀତ ସହ ବରଯାତ୍ରୀଙ୍କୁ ନେଇ କନିଆ ସୁଚିତ୍ରାଙ୍କ ଘରେ ପହଞ୍ଚି ବିବାହ କରିଛନ୍ତି ସୁଜିତ୍ । ନିଜ ଭଳି ସାଥିଟିଏ ପାଇ ବେଶ ଖୁସି ଥିବା କହିଛନ୍ତି ସୁଜିତ୍ ।

କଣ୍ଟାପଡା ବ୍ଲକ ନୂଆଗାଁ ଶାସନର ସୁଜିତ ମଲ୍ଲିକ ବାମନ ହୋଇଥିବାରୁ ତାଙ୍କ ପାଇଁ ଝିଅଟିଏ ମିଳୁ ନ ଥିଲା । ହେଲେ ଭଗବାନଙ୍କ କୃପା । ସୁଜିତଙ୍କ ପାଇଁ ଆସିଲା କେନ୍ଦ୍ରାପଡା ଜିଲ୍ଲା ପତ୍ରକଣା ଗାଁର ଜଣେ ବାମନ ଝିଅ ସୁଚିତ୍ରା ନାଥଙ୍କ ବିବାହ ପ୍ରସ୍ତାବ । ଏହାପରେ ଉଭୟ ପରିବାରଙ୍କ ସହମତିରେ ସମ୍ପନ୍ନ ହେଲା ଦୁହିଁଙ୍କ ବିବାହ । ସୁଜିତ୍ ଓ ସୁଚିତ୍ରାଙ୍କ ଭିତରେ ଜାତିଗତ ତାରତମ୍ୟ ଥିଲେ ବି ଏମାନଙ୍କ ବିବାହ କରାଇବାକୁ ନିଷ୍ପତ୍ତି ନେଲେ ପରିବାର ବର୍ଗ । ସୁଜିତ ଓ ସୁଚିତ୍ରାଙ୍କ ବିବାହ ପରେ ଉଭୟ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ଏମାନଙ୍କୁ ଦେଖି କେବଳ ଏତିକି କୁହାଯାଇ ପାରେ- ବିବାହ ସ୍ବର୍ଗରେ ସ୍ଥିର ହୋଇଥାଏ।

ସମ୍ବନ୍ଧିତ ଖବର