ପରଲୋକରେ କଟକର ପୂର୍ବତନ ଡେପୁଟି ମେୟର ଅଜୟ କୁମାର ବାରିକ

କଟକ: କଟକ ପୌର ନିଗମର ପୂର୍ବତନ ଡେପୁଟି ମେୟର, ବିଜେଡିର ବରିଷ୍ଠ ନେତା ତଥା କଟକ ଘରୋଇ ବସ୍‌ ମାଲିକ ସଂଘର ସଂପାଦକ ଅଜୟ କୁମାର ବାରିକଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୭ ବର୍ଷ ହୋଇଥିଲା। ଶଙ୍କରପୁର ବାରିକ ସାହିର ବାସିନ୍ଦା ଅଜୟ ବାରିକ କ୍ୟାନସର ରୋଗରେ ପୀଡ଼ିତ ଥିଲେ। ଗତକାଲି ବିଳମ୍ବିତ ରାତିରେ ସେ ଗୁରୁତର ଅସୁସ୍ଥ ହୋଇ ପଡିବା ସହିତ ତାଙ୍କର ବାଦାମବାଡି ଲିଙ୍କରୋଡ୍ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।

ଶେଷଶଯ୍ୟା ନିକଟରେ ପତ୍ନୀ କର୍ପୋରେଟର ମଧୁସ୍ମିତା ବାରିକ, ଝିଅ ଡାକ୍ତର ମନୀଷା ବାରିକ, ପୁଅ ମନୀଷ ବାରିକ, ବୋହୂ ପଦ୍ମା, ବଡ଼ଭାଇ ରାଜକିଶୋର ବାରିକ, ବନ୍ଧୁ ବିଜୟ ବାରିକ, ଓ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ପରଲୋକ ଖବର ପାଇ ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ଵାଳ, ଶଙ୍କରପୁର ଯୁବକ ସଂଘର କର୍ମକର୍ତ୍ତା ଆଡଭୋକେଟ ସର୍ବେଶ୍ବର ବାରିକ, ନିମାଇଁ ଚରଣ ବିଶ୍ଵାଳ, ଯୁବ ନେତା ହରିଶଙ୍କର ରାଉତ, ବସ ମାଲିକ ସଂଘର ବିଭିନ୍ନ କର୍ମକର୍ତ୍ତା, ଶଙ୍କରପୁର ଅଞ୍ଚଳର ମୁରବୀମାନେ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ।

ସୂଚନାଯୋଗ୍ୟ ଯେ ଅଜୟ ବାରିକ ବସ୍ ବ୍ୟବସାୟରେ ପାଦ ଦେଇ ବିଶେଷ ସଫଳତା ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ସେ ହୋଟେଲ୍ ତଥା ଅନ୍ୟ ବ୍ୟବସାୟରେ ମଧ୍ୟ ସଫଳତା ଅର୍ଜନ କରିଥିଲେ। ସେ ଦୀର୍ଘ ଦିନ ଧରି କଟକ ଘରୋଇ ବସ୍‌ ମାଲିକ ସଂଘର ସଂପାଦକ ଭାବେ କାର୍ଯ୍ୟ କରି ଆସୁଥିଲେ। ପରବର୍ତ୍ତୀ ସମୟରେ ସେ ରାଜନୀତିରେ ପାଦ ଦେବା ସହ ବିଜେଡି ଟିକେଟରେ କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ କଟକ ପୌର ନିଗମର ଡେପୁଟି ମେୟର ଭାବେ କାର୍ଯ୍ୟ କରିଥିଲେ। ଶଙ୍କରପୁର, ବାଦାମବାଡି ପୂଜା କମିଟିର କାର୍ଯ୍ୟକାରୀ ସଭାପତି ଭାବେ ମଧ୍ୟ ସେ ଦାୟିତ୍ବ ନିର୍ବାହ କରିଥିଲେ। ବିଭିନ୍ନ କ୍ଷେତ୍ରରେ ସାଂଗଠନିକ ଦକ୍ଷତା ଯୋଗୁଁ ସେ ଲୋକପ୍ରିୟତା ହାସଲ କରିଥିଲେ। ତାଙ୍କ ବିୟୋଗରେ ମେୟର ସୁବାସ ସିଂହ, ବିଧାୟକ ସୌଭିକ ବିଶ୍ଵାଳ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ଓଡ଼ିଶା ମୋ’ ପରିବାର ସଂଯୋଜକ ଡକ୍ଟର ରଂଜନ ବିଶ୍ବାଳ, ପୂର୍ବତନ କର୍ପୋରେଟର ରମଜାନ୍‌ ଖାଁ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି |

ସମ୍ବନ୍ଧିତ ଖବର